ତେଲମରା ଲୋକ
ଦିପ୍ତିମୟୀ ନାୟକ
ଆମ ମାନଙ୍କ ଦୈନନ୍ଦିନ ଜୀବନରେ ଖାଇବା ତେଲ, ମୁଣ୍ଡରେ ଲଗେଇବା ତେଲ, ମୁଣ୍ଡ ବିନ୍ଧା ତେଲ, ଗୋଡ ବିନ୍ଧା ତେଲ, ହାତ ବିନ୍ଧା ତେଲ ଦେହରେ ଲଗେଇବା ତେଲ ବିଷୟରେ ଶୁଣିଛେ କାରଣ ଏହି ତେଲ ଗୁଡିକ ମଣିଷର ହୀତରେ ଲାଗିଥାଏ | ଯେମିତିକି କେବେ ଶରୀର ଯନ୍ତ୍ରଣାରୁ ମୁକ୍ତି ଆଉ କେବେ ଖାଦ୍ୟ ପ୍ରସ୍ତୁତି ସମୟରେ ସହାୟକ ହୋଇଥାଏ | ହେଲେ କିଛି ତେଲିଆ ଲୋକଙ୍କ ତେଲିଆ କଥା ନା ଶରୀରର ଯନ୍ତ୍ରଣାକୁ ଦୂର କରିଥାଏ ନା କାହାର କୌଣସି ଉପକାର ହୋଇଥାଏ | ଯଦି କେବଳ କାହାର କେବେ ଉପକାର ହୋଇଥାଏ ତେବେ ତେଲିଆ ଲୋକଙ୍କ ତେଲିଆ କଥା ହିଁ ତେଲିଆ ଲୋକଙ୍କୁ ଭାରି ବଢିଆ ଲାଗିଥାଏ | ଅନ୍ୟ ମୁଣ୍ଡ ଉପରେ ବସିବାକୁ ଗୋଟେ ସୁଯୋଗ ମିଳିଥାଏ | ଯେଉଁ ସୁଯୋଗ ଗୋଟେ ସାଧାରଣ ଲୋକ ପାଇନଥାଏ | ସେ ସୁଯୋଗ ଏଭଳି ତେଲିଆ ଲୋକଙ୍କୁ ହିଁ ମିଳିଥାଏ |
ତେବେ ଏତେ ସବୁ କହିବା ଭିତରେ ଆପଣ ଭାବୁଥିବେ ତେଲିଆ ଲୋକ କଣ | ତେଲିଆ ଲୋକଙ୍କର ଏମିତି କଣ ଉପକାର ହୋଇଥାଏ ଯେ, ମୁଁ ଏଠାରେ ତେଲିଆ ଲୋକଙ୍କ କଥା ମୋ ବିଷୟବସ୍ତୁ ଭିତରକୁ ଆଣିଦେଲି | ଯଦି ଆମେମାନେ ତେଲିଆ ଲୋକଙ୍କ ମହିଳା ବିଷୟରେ ଜାଣିବାନି ହୁଏତ ତେଲିଆ ଲୋକଙ୍କ ଗୁପ୍ତ କଳାର ରହସ୍ୟ ଗୁପ୍ତ ଭାବରେ ରହିଯିବ ଏବଂ ଦିନକୁ ଦିନ ତେଲିଆ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ | ଆପଣ ଜାଣିଥିବେ ଏ ଦୁନିଆରେ ଦୁଇପ୍ରକାର ଲୋକ ଅଛନ୍ତି | କିଛି ଭଲ ଲୋକ ଆଉ କିଛି ମନ୍ଦ ଲୋକ | ଭଲ ଲୋକ ଅନ୍ୟର ମଙ୍ଗଳ ଚିନ୍ତା କରନ୍ତି ଆଉ ମନ୍ଦ ଲୋକ ଅନ୍ୟର ମନ୍ଦ ପାଞ୍ଚନ୍ତି | ଫଳସ୍ୱରୂପ ଭଲ ଲୋକ ସମସ୍ତଙ୍କ ନଜରରେ ସବୁବେଳେ ଭଲ ହୋଇ ରୁହନ୍ତି ଆଉ ମନ୍ଦ ଲୋକ ଲୋକଙ୍କ ନଜରରୁ ହଟି ଯାଆନ୍ତି | ଆଉ ଏମିତିରେ ଭଲ ଲୋକ କେବେ ଅନ୍ୟପାଇଁ ଗାତ ଖୋଳନ୍ତିନି କିନ୍ତୁ ମନ୍ଦ ଲୋକ ଅନ୍ୟପାଇଁ ଗାତ ଖୋଳି ନିଜେ ସେହି ଗାତରେ ପଡନ୍ତି | କିନ୍ତୁ ତୃତୀୟ ଲୋକ ତେଲିମରା ଲୋକ ଥାଆନ୍ତି ଯାହା ଖୁବ କାମ ଆଲୋଚନା ହୋଇଥାଏ |
ତେଲିମରା ଲୋକ ଯେମିତି ଜଣାପଡନ୍ତି ସେମାନେ ସେମିତି ହୋଇନଥାନ୍ତି | ଏମାନେ ଯେଉଁ ପତ୍ରରେ ଖାଇବେ ସେହି ପତ୍ରକୁ ଗୋଇଠା ମାରିବେ | ସମୟ ସୁବିଧା ଦେଖି ଲୋକ ସମ୍ପର୍କ ବଢ଼ାଇ ଲୋକଙ୍କ ବିଶ୍ୱାସ ସହ ଖେଳିବେ | ଆଜି ଯାହାପାଇଁ ଭଲ କାଲି ତା ପାଇଁ ମନ୍ଦ ହୋଇଯିବେ | ସମୟ ଯେମିତି ବଦଳେ ଏ ଲୋକ ମଧ୍ୟ ସମୟ ଠାରୁ ଖୁବ ଶୀଘ୍ର ବଦଳିଯାଏ | କୁକୁର ବିଶ୍ୱସ୍ତ ପ୍ରାଣୀ ହୋଇପାରେ କିନ୍ତୁ ଏପରି ଲୋକ କାହାର ବିଶ୍ୱସ୍ତ ଲୋକ ହୋଇପାରିବେନି | ଏମାନେ ଯାହାକୁ ଯାହା ମୁହଁରେ ଭଲ କହିବେ ତାକୁ ପୁଣି ଅନ୍ୟ ଆଗରେ ବଦଲାମ କରିବେ | ଛଅ, ନଅ, ଛୟାନବେ ଲଗେଇ କହିବେ | ଯେମିତି ଇଂରାଜୀ ସଂଖ୍ୟା ‘ଛଅ’କୁ ଓଲଟେଇ ଦେଲେ ‘ନଅ’ ହୋଇଥାଏ ଆଉ ‘ନଅ’କୁ ଓଲଟେଇ ଦେଲେ ‘ଛଅ’ ହୋଇଥାଏ | ଯେତେବେଳେ ଛଅ ଏବଂ ନଅକୁ ଏକାଥରେ ଓଲଟେଇ ଦିଆଯାଏ ସେତେବେଳେ ଅଣସ୍ତରୀ ବଦଳରେ ଛୟାନବେ ହୋଇଥାଏ | ଛୟାନବେକୁ ଓଲଟେଇ ଦେଲେ ଅଣସ୍ତରୀ ହୋଇଥାଏ | ଠିକ ସେହିପରି ଏହି ତେଲମରା ଲୋକଙ୍କ ପ୍ରତିଭା ହୋଇଥାଏ | ହୁଏତ ଡାକ୍ତରଙ୍କୁ ରୋଗୀର ରୋଗ ଚିହ୍ନିବା ଟିକେ ବିଳମ୍ବ ହୋଇପାରେ କିନ୍ତୁ ଏମାନେ ଅନ୍ୟର ଭାବନାକୁ ବୁଝିବି ବୁଝି ପାରିବେନି | ଏମାନେ ହେଲେ ସ୍ୱାର୍ଥପର ଲୋକ | ସ୍ଵାର୍ଥ ଯେଉଁଠି ଥାଏ ତେଲମରା କଥା ସେଇଠି ସେତେ ଶୁଣିବାକୁ ମିଳୁଥାଏ | ହୁଏତ ତେଲିଆ ଜିନିଷ ବାସନରୁ ଛାଡ଼ିଯିବ କିନ୍ତୁ ଏମାନଙ୍କ ତେଲମରା କଥା ହୃଦୟ ଭିତରେ ଚିକ୍କଣ ହୋଇ ରହିଥିବ |
ତେବେ ଆପଣ ଭାବୁଥିବେ ତେଲମରା ଲୋକର ପ୍ରକୃତ ଅର୍ଥ କଣ | ଯାହାଫଳରେ ସେମାନଙ୍କ ବିଷୟରେ ଏତେ ବର୍ଣ୍ଣନା ହୋଇଛି | କିଛି ଗାଁ ଗହଳି ମାନଙ୍କରେ ତେଲମରା ଲୋକ କେହି କାହାକୁ ଯଦି ରାଗିକି କହିଦିଅନ୍ତି ତେବେ ଅନ୍ୟଜଣ ମଧ୍ୟ କହିଦିଏ ହଁ ଯା ମୁଁ ତେଲମରା ଲୋକ ହେଲେ ତୁ କେଉଁ ଭଲ ଲୋକ | ପ୍ରାୟ ସମୟରେ ଅନେକ ଲୋକ କୁହନ୍ତି ତେଲମରା ଲୋକ କହିବା ଖରାପ କଥା | ଏମିତି କାହାକୁ କୁହାଯାଏନି | ଅନେକ ସମୟରେ ମୁଁ ମଧ୍ୟ ଯଦି କାହାକୁ କହିଦିଏ ହଁ ତୁମେ ତେଲମରା ଲୋକ ତେଲିଆ କଥା କହୁଥାଅ ତମ କଥା କିଏ ଶୁଣୁଛି | ସେତେବେଳେ ଅନ୍ୟମାନେ କୁହନ୍ତି ଝିଅଟା ହେଇକି ତେଲମରା ଲୋକ କହୁଛୁ ଏଟା ଖରାପ କଥା କିନ୍ତୁ ତେଲମରା ଶବ୍ଦର ଅର୍ଥ ଖୋଜୁଖୋଜୁ ଥରେ ନିଜ ମନ କହିଲା ଏହା କୌଣସି ଖରାପ କଥା ନୁହେଁ | ତେଲମରା ଲୋକଙ୍କୁ ତେଲମରା ଲୋକ କହିବନି ତ ଆଉ କଣ କହିବ | ତେଲମରାର ପ୍ରକୃତ ଅର୍ଥ ହେଉଛି ଚାମଚା ଲୋକ | ଯେଉଁମାନେ ବେଶି ଚାମଚାଗିରି କରନ୍ତି ସେମାନଙ୍କୁ ଏ ସମାଜ ତେଲମରା ଲୋକର ଆଖ୍ୟା ଦେଇଥାଏ | ଏହି ତେଲମରା ଲୋକଙ୍କ ମୁଣ୍ଡରେ ବୁଦ୍ଧି ନଥିଲେ ବି ଏମାନେ ପଣ୍ଡିତ | ଅଶିକ୍ଷିତ ହୋଇଥିଲେ ବି ଶିକ୍ଷିତ | ଏମାନଙ୍କ କଥା କହିବା ଶୈଳୀ ମଧ୍ୟ ଖୁବ ଭିନ୍ନ | ଲୋକଙ୍କୁ ସେମାନଙ୍କ କଥା କିପରି ଆକୃଷ୍ଟ କରିବ ସେଥିପାଇଁ ଏମାନେ ଖୁବ ସଚେତନଶୀଳ | ସତ କଥା କହିବାକୁ ଗଲେ ଏମାନେ ଅନ୍ୟକୁ ନିଜ କଥାରେ ଖୁବ ଶୀଘ୍ର ବଶୀଭୂତ କରିଦିଅନ୍ତି | ପରଚର୍ଚ୍ଚା କରି କିଛି ଲୋକଙ୍କ ପ୍ରିୟର ମଣିଷ ହୋଇଥାନ୍ତି | ସତ କହୁଥିବା ଲୋକଙ୍କ କଥା ମିଛ ହୋଇପାରେ କିନ୍ତୁ ଏମାନଙ୍କ ମିଛ କଥା କେବେବି ମିଛ ହୋଇପାରିବନି | ଏମିତି ତେଲିଆ ଲୋକଙ୍କୁ ସବୁଠି ଦେଖିବାକୁ ମିଳେ | ଆଜିକାଲି ପ୍ରାୟ ପ୍ରତ୍ୟେକ ଲୋକ ନିଜ କର୍ମସ୍ଥଳରେ ଏମିତି ତେଲିଆ ଲୋକଙ୍କୁ ଦେଖୁଥିବେ |ସଠିକ କର୍ମ କରୁଥିବା କର୍ମଚାରୀଟିଏ ଯେତିକି ସଫଳତାର ଶ୍ରେୟ ନିଏନି ତେଲମରା ଲୋକଟି ଭାରି ପ୍ରଶଂସା ପାଇଥାଏ | କର୍ମ କରେ ଜଣେ ଶ୍ରେୟ ପାଏ ଆଉ ଜଣେ | ଏ ଲୋକଗୁଡ଼ା ମଧ୍ୟ ସେମିତି ଭଲ ଲୋକଙ୍କୁ ଚିହ୍ନିବେନି କିନ୍ତୁ ମନ୍ଦ ଲୋକଙ୍କୁ ମୁଣ୍ଡରେ ମୁଣ୍ଡେଇବେ କାରଣ ଆଜିକାଲି ଯୁଗ ଓଲଟା ଯିଏ ଆପଣଙ୍କ ସହ ବେଶି ହେଁ ହେଁ ଫେଁ ଫେଁ ହୋଇପାରୁଛି ସେ ଭଲ ଆଉ ଯିଏ ଏତକ ନକରିପାରୁଛି ସେ ଖରାପ |ହେଲେ ଏମାନେ ଭୁଲିଯାଇଥାନ୍ତି ବେଶି ହେଁ ହେଁ ଫେଁ ଫେଁ ଲୋକ ତେଲମରା ଲୋକ ହୋଇଥାଆନ୍ତି ସ୍ଵାର୍ଥ ପାଇଁ ଅନ୍ୟକୁ ଦୋଷୀ କରି ନିଜେ ଖସି ଯାଆନ୍ତି | ଆମ ଶିକ୍ଷିତ ସମାଜ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ହେଁ ହେଁ ଫେଁ ଫେଁ ଲୋକଙ୍କୁ ବେଶି ବିଶ୍ୱାସ କରନ୍ତି ସେଥିପାଇଁ ଅନେକ ନିରୀହ ଲୋକ ତେଲମରା ଲୋକଙ୍କ କବଳରୁ ମୁକ୍ତି ପାଇପାରନ୍ତିନି | ଆଖିର ଲୁହକୁ ଆଖିରେ ରଖି କର୍ମ କରନ୍ତି କିନ୍ତୁ ଏହି ତେଲମରା ଲୋକ ସବୁବେଳେ ସମସ୍ତଙ୍କ ମୁଣ୍ଡ ଉପରେ ବସିକି ଥାଆନ୍ତି | ଆଉ ଲୋକ ଦେଖି ଭଲ ତେଲ ମରା କହିଜାଣନ୍ତି
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର