କଶ୍ମୀରରେ ଅସ୍ତ୍ର ଉଠାଇଲେ ଜୀବନ ଦେବାକୁ ପଡ଼ିବ : ଭାରତୀୟ ସେନା
ଜମ୍ମୁ: ଏଣିକି କଶ୍ମୀରରେ ଭାରତୀୟ ସେନା ବିରୋଧରେ କେହି ଅସ୍ତ୍ର ଉଠାଇଲେ ସେମାନଙ୍କୁ ଏନକାଉଣ୍ଟର କରାଯିବ। କଶ୍ମୀରରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ନିୟୋଜିତ ହେଉଥିବା ଯବାନମାନେ ଅଧିକ ଶହୀଦ ହେଉଛନ୍ତି। ତେଣୁ ଯବାନମାନଙ୍କ ବିରୋଧରେ ଯିଏ ବନ୍ଧୁକ ଧରିବ ତା’କୁ ଜୀବନ ଦେବାକୁ ପଡ଼ିବ ବୋଲି ଭାରତୀୟ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି।
ମଙ୍ଗଳବାର ଭାରତୀୟ ସେନା, ସିଆରପିଏଫ ଏବଂ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ପୁଲୱାମା ଆକ୍ରମଣ ଘଟଣାରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦିଆଯାଇଥିଲା। ଏହି ଅବସରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଆକ୍ରମଣ ପଛରେ ପାକିସ୍ତାନୀ ସେନା ତଥା ଗୋଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି। ଆକ୍ରମଣର ବ୍ଲୁପ୍ରିଣ୍ଟ ପାକିସ୍ତାନରୁ ପ୍ରସ୍ତୁତ ହୋଇଛି। ଆଇଏସଆଇ ଜୈଶ-ଏ-ମହମ୍ମଦ(ଜେଇଏମ)କୁ ନିୟନ୍ତ୍ରଣ କରୁଛି। ତେବେ ଆକ୍ରମଣର ୧୦୦ ଘଣ୍ଟା ମଧ୍ୟରେ ଭାରତୀୟ ସେନା ପ୍ରତିଶୋଧ ନେଇଛି। ପୁଲୱାମାରେ ଏନକାଉଣ୍ଟର କରାଯାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ରସିଦ ଓ କମରାନଙ୍କ ସମେତ ୩ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏମାନେ କଶ୍ମୀରେ ଜୈଶ ଆତଙ୍କବାଦୀ ସଂଗଠନର ନେଉଥିଲେ। ଏହି ଆତଙ୍କବାଦୀଙ୍କ ନିପାତ ଶହୀଦ ଯବାନମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି ସେନା ପକ୍ଷରୁ କୁହାଯାଇଛି।
ଏହାବ୍ୟତୀତ କଶ୍ମୀରେ ସେନା ବିରୋଧରେ ଅସ୍ତ୍ର ଉଠାଉଥିବା ଆତଙ୍କବାଦୀମାନଙ୍କ ମା’ମାନଙ୍କୁ ସେମାନଙ୍କ ସନ୍ତାନଙ୍କୁ ଆତ୍ମସମର୍ପଣ କରାଇବାକୁ ଆହ୍ବାନ କରାଯାଇଛି। ଆତ୍ମସମର୍ପଣ ନ କଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଯଦି କେହି ସୀମାରେ ଅନୁପ୍ରବେଶ କରନ୍ତି ତେବେ ସେମାନେ ଆଉ ନିଜ ଜୀବନ ବଞ୍ଚାଇପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି।


