ସାଙ୍ଗକୁ ଧାର ଦିଅନି
ଦିପ୍ତିମୟୀ ନାୟକ
ବନ୍ଧୁତା ଏକ ପବିତ୍ର ସମ୍ପର୍କ | ଯେଉଁ ସମ୍ପର୍କ ମଝିରେ ସନ୍ଦେହ ନଥାଏ | କେବଳ ପ୍ରେମ, ସ୍ନେହ, ସହାନୁଭୂତି, ସମ୍ବେଦନଶୀଳ, ସାଧୁତା, ନିଃସ୍ୱାର୍ଥପରତା, ପାରସ୍ପରିକ ବୁଝାମଣା, କରୁଣା ଓ ପରସ୍ପର ଉପସ୍ଥିତିରେ ଅଗାଢ଼ ଖୁସି ଲୁଚି ରହିଥାଏ | ଯେଉଁ ଖୁସି କେବଳ ବନ୍ଧୁଙ୍କ ମଧ୍ୟରେ ସୀମିତ ରହିଥାଏ | ପରିବାର ପରେ ଯେଉଁମାନେ ଆମମାନଙ୍କୁ ବେଶି ବୁଝନ୍ତି ସେମାନେ ହେଉଛନ୍ତି ଆମ ଜୀବନରେ ଥିବା କିଛି ସାଙ୍ଗସାଥି | ଯେଉଁମାନେ ରକ୍ତର ସମ୍ପର୍କ ନହୋଇ ମଧ୍ୟ ରକ୍ତର ସମ୍ପର୍କ ଭଳି ଲାଗନ୍ତି | କେତେବେଳେ ଭାଇଭଉଣୀ ପରି କେତେବେଳେ ବାପ-ମା’ଙ୍କ ପରି ଭଲପାଇବା ଦେଇଥାନ୍ତି | ହୃଦୟ ଭିତରେ ଯେତେବେଳେ ଅହରହ ଯନ୍ତ୍ରଣା ମନକୁ ଜାଳି ଦିଏ ସେତେବେଳେ ପ୍ରକୃତ ବନ୍ଧୁ ହିଁ ହୃଦୟ ଭିତରେ ଥିବା ଜ୍ୱାଳାକୁ ଲିଭେଇ ଦିଅନ୍ତି କାରଣ ସେମାନେ ସାଙ୍ଗ ହୋଇଥାନ୍ତି | ସବୁଠାରୁ ବଡ଼ କଥା ହେଲା ବନ୍ଧୁଟିଏ ଯଦି ଜୀବନରେ ଥାଏ ବିପଦଆପଦର ଭୟ ରହିନଥାଏ | ଆଉ ଯେତେବେଳେ ବନ୍ଧୁ ପ୍ରତି ବନ୍ଧୁର କିଛି ଭୟ ଆସିଯାଏ ସେତେବେଳେ ହୁଏତ କିଛି ଘଟଣା ମନକୁ ସ୍ତବିତ କରିଦେଇଥାଏ | ଯେଉଁଥିପାଇଁ କିଛି ବନ୍ଧୁଙ୍କ ନାଁ ଶୁଣୁ ଶୁଣୁ ମନରେ ଭୟ ସୃଷ୍ଟି ହୋଇଥାଏ | କହିବାକୁ ଗଲେ ଆଜିକାଲି ଏହି ଭୟଟା କେବଳ ସେହି ଧାର ନେଉଥିବା ବନ୍ଧୁ ପାଖରେ ରହିଥାଏ କାରଣ ସେ ବନ୍ଧୁ ନେଲାବେଳେ ନିଜର ଦେଲାବେଳେ ପର | ଟଙ୍କା ପାଇଁ ସମ୍ପର୍କ ଯୋଡ଼େ ଟଙ୍କା ସରିଲେ ସମ୍ପର୍କ ତୁଟାଇବା ଆଳରେ ସମ୍ପର୍କକୁ ଖରାପ କରେ | ଅବଶ୍ୟ ସାଙ୍ଗ ବିପଦ ବେଳେ ଯଦି ସାଙ୍ଗଟିଏ ଛିଡା ହେବନି ସେ କିଭଳି ସାଙ୍ଗ ହେଲେ ଯଦି ସାଙ୍ଗଟିଏ ସାଙ୍ଗକୁ ବିପଦ ମୁଁହକୁ ଠେଲେ ତେବେ ଆପଣ ମଧ୍ୟ ବିଚାର କରନ୍ତୁ ସେ କିଭଳି ସାଙ୍ଗ | ଥରେ ଭାବନ୍ତୁ ସାଙ୍ଗପାଖରେ ଯଦି ପୁଳାପୁଳା ପଇସା ଥାଏ ସେ ନିଦ୍ୱନ୍ଦରେ ସାଙ୍ଗ ମାନଙ୍କ ପାଇଁ ଖର୍ଚ୍ଚ କରିଦିଏ କିନ୍ତୁ ସାଙ୍ଗ ପାଖରେ ଯଦି ପଇସା ନଥାଏ ସେ ଉଦାସ ମନରେ କୌଣସି ସାହାଯ୍ୟ କରିବାପାଇଁ ମନା କରିଦିଏ କିନ୍ତୁ ମନ ସମ୍ଭାଳେନି ସାଙ୍ଗଟିର ଯେତିକି ପଇସା ଆବଶ୍ୟକ ଥାଏ ସେ ଅନ୍ୟ ମାନଙ୍କ ଠାରୁ ଧାର ଆଣି ସେହି ସାଙ୍ଗକୁ ପଇସା ଦେଇଥାଏ ହେଲେ ସେହି ସାଙ୍ଗ ସେହି ପଇସାକୁ ଗିଳି ଲୁଚକାଳି ଖେଳେ | କେବଳ ଆବଶ୍ୟକତା ବେଳେ ସାଙ୍ଗକୁ ଖୋଜିବା | ସାଙ୍ଗଠୁ ଲୁଟିବା ସାଙ୍ଗର ସମ୍ପର୍କ ହୋଇନଥାଏ | ସାଙ୍ଗ ସେ ହୋଇଥାଏ ଯିଏ ତୁମ ବିପଦ ସମୟରେ ଠିଆ ହୋଇଥାଏ | ସାଙ୍ଗର ସମ୍ମାନ ରକ୍ଷା କରିବା ପାଇଁ ତାଠାରୁ ଆଣିଥିବା ଟଙ୍କା ତାକୁ ଫେରସ୍ତ କରିଦେଇଥାଏ | ଗୋଟେ ଭଲ ସାଙ୍ଗ କେବେବି ଚାହିଁବନି ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ବନ୍ଧୁକୁ କେବେ ହଇରାଣ କରିବାପାଇଁ କିନ୍ତୁ କିଛି ସାଙ୍ଗ ଥାଆନ୍ତି ଯେଉଁମାନେ ସାଙ୍ଗକୁ ହଇରାଣ କରିଥାଆନ୍ତି | ଆଉ ଏହି ସାଙ୍ଗପାଇଁ ସାଙ୍ଗଟିଏ ତଣ୍ଡ ଗଣିଥାଏ | ଅନ୍ୟଠୁ ଗାଳି ଶୁଣି ନିଜ ଆତ୍ମସମ୍ମାନ ହରାଇଥାଏ | ଦୁଃଖର ବିଷୟ ତଣ୍ଡ ଗଣେଇଥିବା ବନ୍ଧୁକୁ ଏନେଇ କିଛି ପ୍ରଭାବ ପଡ଼ିନଥାଏ | ନିଜର କଥା କହିବାର ଭିନ୍ନ ଶୈଳୀ ମାଧ୍ୟମରେ ଏମାନେ ବନ୍ଧୁ ରୂପକ ଲୁଟେରା ହୋଇଥାନ୍ତି |
ଜୀବନରେ ଯଦି କାହା ସହ ସାଙ୍ଗ ହେଉଛନ୍ତି ତେବେ ପଇସା ସମ୍ପର୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ତଣ୍ଡ ଗଣିବାପାଇଁ ପ୍ରସ୍ତୁତ ଥାଆନ୍ତୁ | ହୁଏତ ଏକଥା ଅନେକ ଜଣକୁ ଖରାପ ଲାଗିପାରେ ବନ୍ଧୁତା ଭଳି ସମ୍ପର୍କ ମଝିରେ ଦାଗ ଲାଗିପାରେ କିନ୍ତୁ ଏସବୁ ଅନେକ ଜଣକ ଜୀବନରେ ଘଟିଛି | ଯେଉଁଥିପାଇଁ ବନ୍ଧୁତା ଭଳି ସମ୍ପର୍କ ଅନେକ ଜଣଙ୍କର ଖରାପ ହୋଇଛି | ତେବେ ଯେଉଁମାନଙ୍କ ପାଖରେ ଯେତେବେଳେ ପଇସା ଅଛି ସେମାନେ ଅନ୍ୟକୁ ସେତେବେଳେ ଧାର ଦିଅନ୍ତୁ ଆଉ ଯେତେବେଳେ ଆପଣଙ୍କ ପାଖରେ ପଇସା ନଥିବ ଆପଣ ଅନ୍ୟଠୁ ଧାର ଆଣି ଆଉ କାହାକୁ ଧାର ଦେଵେ ସେତେବେଳେ ଆପଣ ନିଜେ ତଣ୍ଡ ହିଁ ଗଣିବେ | ଯେମିତିକି ଥରେ ଗୋଟେ ସାଙ୍ଗ ପାଖରେ ପଇସା ନଥିଲା ସେ ତାର ଅନ୍ୟଜଣ ସାଙ୍ଗକୁ ଧାର ମାଗିଲା ହେଲେ ସେହି ବନ୍ଧୁ ପାଖରେ କିଛି ପଇସା ନଥିଲା | ସେ ମନା କରିଦେଲା ମୋ ପାଖରେ ପଇସା ନାହିଁ | ସେହି ବନ୍ଧୁ ଜଣକ ମୁହଁ ଶୁଖେଇ କହିଲେ ଆଚ୍ଛା ମୋ ପାଇଁ ଆଉ କେଉଁଠୁ ଟିକେ ବ୍ୟବସ୍ଥା କରେ | ବନ୍ଧୁ ଜଣକ ବନ୍ଧୁର ଉଦାସୀନତା ଚେହେରା ଦେଖି ଅନ୍ୟ ଜଣେ ବନ୍ଧୁଠୁ ମୋଟା ଅଙ୍କର ଟଙ୍କା ଆଣି ଦେଇଦେଲା | ସେଇଠୁ ହେବ କଣ ସେହି ବନ୍ଧୁ ଜଣକର ଆଉ କିଛି ଧରା ଛୁଆଁ ମିଳିଲାନି ଅନ୍ୟ ଜଣେ ବନ୍ଧୁ ତଣ୍ଡ ଗଣିଲେ | ସେଥିପାଇଁ ଜୀବନରେ ଏମିତି ବନ୍ଧୁ ରଖନ୍ତୁ ଯେଉଁମାନେ ତୁମକୁ କୌଣସି ଅସୁବିଧାରେ ପକାଉନଥିବେ | ଆଜିକାଲି ଦୁନିଆରେ କିଛି ବନ୍ଧୁ ସ୍ୱାର୍ଥବାଦୀ ବନ୍ଧୁ ମିଳିବେ ଆଉ କିଛି ବିନା ସ୍ୱାର୍ଥରେ ତୁମ ସହ ବନ୍ଧୁତା ଭଳି ପବିତ୍ର ସମ୍ପର୍କ ଯୋଡ଼ିବେ | ସାହାଯ୍ୟ କରନ୍ତୁ ମନା ନାହିଁ କିନ୍ତୁ ତଣ୍ଡ ଗଣଉଥିବା ସାଙ୍ଗଙ୍କ ସହ ବନ୍ଧୁ ବାନ୍ଧିବା କିଛି ଆବଶ୍ୟକ ନାହିଁ | ଆଜିକାଲି ପଇସା ପାଇଁ ଇଜ୍ଜତ ସରେ ଆଉ ଏହି ପଇସା ପାଇଁ ହିଁ ଇଜ୍ଜତ ମିଳେ | ତେଣୁ ପଇସାର ଆବଶ୍ୟକତା ସମସ୍ତଙ୍କର ରହିଛି | ଆବଶ୍ୟକତା ଠାରୁ ଯଦି ଅଧିକ କିଏ ଧାର ନେଇ ଉଧାର ଦିଏନି ସେତେବେଳେ ମଣିଷ ନିଜ ଆତ୍ମସମ୍ମାନ ହରାଏ | ଆଜିକାଲି କୁକୁରକୁ ତ ସମ୍ମାନ ମିଳୁଛି କିନ୍ତୁ ଧାର ଆଣିଥିବା ଲୋକକୁ କୁକୁର ମାଙ୍କଡ଼ଙ୍କ ଠାରୁ ହୀନ ଦୃଷ୍ଟିରେ ଦେଖିବାକୁ ମିଳୁଛି | ଶେଷରେ ଗୋଟେ କଥା କହିବି ସାଙ୍ଗ ହୁଅନ୍ତୁ କିନ୍ତୁ ସାଙ୍ଗକୁ ଧାର ଦିଅନ୍ତୁନି କି ସାଙ୍ଗପାଇଁ ନିଜେ ତଣ୍ଡ ଗଣନ୍ତୁନି |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ