ସ୍ୱତନ୍ତ୍ର ଶୈଳୀ
ସ୍କୁଲରେ ତ ସମସ୍ତେ ପାଠ ପଢ଼ନ୍ତି. ଗୁରୁ ଅଜ୍ଞାନ ହଟେଇ ଜ୍ଞାନ ଦିଅନ୍ତି ବୋଲି ଯୁଗେ ଯୁଗେ ପୂଜା ପାଆନ୍ତି. ଏହି ଦୃଷ୍ଟିକୋଣରୁ ବିଚାର କଲେ ଜାପାନର ସ୍କୁଲ ଗୁଡିକ ପ୍ରଥମେ ନଜରକୁ ଆସେ. ସେଠି ସବୁ ଛାତ୍ର ଛାତ୍ରୀଙ୍କ ଭିତରେ ସମନ୍ୱୟ ଓ ସାମ୍ୟବାଦକୁ ଗୁରୁତ୍ୱ ଦିଆଯାଇ ଏକା ପ୍ରକାର ସ୍କୁଲ ବ୍ୟାଗ ସହିତ, ପାଣିବୋତଲ, ଛତା ଓ କମ୍ପାସ ଇତ୍ୟାଦି ସବୁ ଗୋଟିଏ ପ୍ରକାରର ବ୍ୟବହୃତ ହେଉଥିବାରୁ ପ୍ରତ୍ୟେକ ପିଲା ମନରେ ଆମେ ସବୁ ଏକ ଓ ଏକାଭଳି ଜୀଵନ ଶୈଳୀର ଭାବନାରୁ ଜାଗ୍ରତ ହେଉଥିଲା ମିଳିତ ଉଦ୍ୟୋଗରେ ପ୍ରତ୍ୟେକ ପିଲା ଭିତରେ ଉତ୍ପନ୍ନ ହୁଏ ନୂତନ କିଛି ସୃଜନୀ. ଯେମିତିକି କିଛି କଳା କୌଶଳର ଉଦ୍ଭାବନ ବା ଶିଳ୍ପ କାରିଗରୀର ଯନ୍ତ୍ରପାତିର ଉଦ୍ଭାବନ ସାଙ୍ଗକୁ କିଛି ଆବିଷ୍କାର କରିବାର ଦକ୍ଷତା . ସେଇ ଦେଶର ଯୁବ ବୈଜ୍ଞାନିକଙ୍କ ଦୃଷ୍ଟିକୋଣ ଏତେ ସୁଦୂର ପ୍ରସାରୀ ଯେ ଏବେ ଫୋନରେ ଏମିତି ସବୁ ଆପ ଡାଉନଲୋଡ଼ ହେଉଛି ଯେ ଫୋନରୁ ଯୋଉଠି ଇଛା ସେଇଠି ବସି କାନ୍ଥ ଆଦିରେ ଟିଭି ଚଳାଇ ନିଜ ଦେଶ ସହ ଅନ୍ୟ ଦେଶର ଖବର ଜାଣି ପୃଥିବୀ ଏକ ଗ୍ଲୋବାଲ ଗାଁରେ ପରିଣତ ହୋଇପାରିଛି.ଏ କ୍ଷେତ୍ରରେ ଆଉ ଟିକେ ଆଗରେ ଜାପାନ ସ୍କୁଲ. ଖାଲି ପିଲାମାନଙ୍କ ଭିତରେ ଐକ୍ୟ ଭାବଧାରା ନୁହେଁ ଗୁରୁ ଶିଷ୍ୟଙ୍କ ଭିତରେ ମଧ୍ୟ ପ୍ରଭେଦ ନରଖିବା ଭାବନାକୁ ଜାଗ୍ରତ କରି ପିଲାମାନେ ଓ ଗୁରୁ ଏକା ଖାଦ୍ୟ, ଏକାଠି, ଗୋଟିଏ ପ୍ରକାର ଥାଳିରେ ତଥା ଗୋଟିଏ ଡାଇନିଂରେ ବସି ଭୋଜନ କରନ୍ତି. ସଫା ବା ସଫେଇ କାର୍ଯ୍ୟ ମଧ୍ୟ ନିଜେ କରନ୍ତି. ଖାଲି ଛାତ୍ର ଛାତ୍ରୀ ନୁହଁନ୍ତି ବରଂ ଶିକ୍ଷକମାନେ ମଧ୍ୟ ଘର, କ୍ଳାସରୁମ, ଖାଇବାସ୍ଥାନ, ଟେବୁଲ, ବେଞ୍ଚ ଅର୍ଥାତ ନିଜ ବାସନ କୁସନକୁ ମଧ୍ୟ ତୋର, ମୋର କି ତାଙ୍କର ନଭାବି ପରିସ୍କାର କରନ୍ତି ସବୁକିଛି.ପରିବାର ହିଁ ପିଲାଟିର ମୁଳୁଦୁଆ ଓ ବାପା ମାଆ ହିଁ ପିଲାର ପ୍ରଥମ ଗୁରୁ ଅନୁଭବକୁ ସୁଦୃଢ କରିବାକୁ ଶନି ରବି ଦୁଇ ଦିନ ସପ୍ତାହରେ ପିଲାଏ ଯେପରି ଘରୋଇ ପରିବେଶରେ ପରସ୍ପରକୁ ବୁଝୁ ବୁଝୁ ସମାଜର ପ୍ରତ୍ୟେକ ସ୍ରୋତରେ ସାମିଲ ହେବେ ସେଥିପାଇଁ ମଧ୍ୟ ସ୍କୁଲରେ ଖୁବ ଗୁରୁତ୍ୱର ସହ ବିଚାର କରାଯାଏ. ଫଳରେ ପ୍ରତ୍ୟେକ ପିଲା ଭିତରେ ସୃଜନୀଶୀଳତାର ଚରମ ପରିପ୍ରକାଶ ସହ ସମସ୍ତେ ଭବିଷ୍ୟତରେ ଜଣେ ଜଣେ କୁଶଳୀ ଶିଳ୍ପୀ ହୋଇ ବାହାରନ୍ତି. ପ୍ରଥମ ପାଞ୍ଚ କି ସାତ ବର୍ଷ ପାଖାପାଖି ପିଲାଟିକୁ ପାଠ ପଢ଼େଇ ଘୋଷା ବଳଦ ପରି ନକରି ପରୀକ୍ଷା ଦେଇ ନମ୍ବର ଅଧିକା ରଖିବା ଅପେକ୍ଷା କିଣ୍ଡରଗାର୍ଟନ ଶ୍ରେଣୀରୁ ହିଁ ସ୍ୱାବଳମ୍ବି ପ୍ରଣାଳିରେ ଶିଳ୍ପ ଅର୍ଥାତ କାରିଗରୀ ବିଦ୍ୟାରେ ସୃଜନୀଶୀଳତା ଆଣିବା ପାଇଁ ସାମଗ୍ରିକ ଚେଷ୍ଟା କରାଯାଇଥାଏ ପରିବାର ଶିକ୍ଷା ସୌଜନ୍ୟରୁ.ଏବେ ଭାରତର ମଧ୍ୟପ୍ରଦେଶରେ ସେହିଭଳି ଏକ ଅଭିନଵ ପଦକ୍ଷେପ ଗ୍ରହଣ କରାଯାଇ, ସ୍କୁଲ ମାନଙ୍କରେ ପିଲାକୁ ପ୍ରଥମେ ଗୋଟେ ହାତରେ ଲେଖିବାକୁ ଶିଖେଇବା ଓ ତା ପରେ ଅନ୍ୟ ହାତରେ ଲେଖେଇବାକୁ ଶିଖାଇ ପରେ ପରେ ଏକାସାଙ୍ଗରେ ଦୁଇହାତରେ ଦୁଇ ପଟେ ଲେଖିବାକୁ ଶିକ୍ଷା ଦିଆଯିବା ସହ ମସ୍ତିଷ୍କର ସିମେଟ୍ରିକ ଶକ୍ତିକୁ ଉଜ୍ଜୀବିତ କରି ଏହି ପ୍ରଣାଳୀରେ ପିଲାଟି ଏକାସାଥେ ଲେଖିପାରୁଛି ଦୁଇଯୋଡ଼ା ଭାଷା.ଏକାସାଥେ ଦୁଇ ବିପରୀତ ଭାଷା ଲେଖିବା ପରି କରିସ୍ମାକୁ ଆପଣେଇ ଏହି ପ୍ରକାର ବୀଣା ବାଦିନୀ ସ୍କୁଲରେ ଛାତ୍ର ଛାତ୍ରୀମାନେ ସମୁଦାୟ ଛଅ ଗୋଟି ଭାଷାକୁ ଦୁଇଯୋଡା ଲେଖାଏଁ ଏକାଠି ଲେଖି ନିଜକୁ ଆମ୍ବିଟେକ୍ସଚର ଛାତ୍ରରୂପେ ପ୍ରତିଷ୍ଠିତ କରିପାରିବା ଏକ ସ୍ୱତନ୍ତ୍ର କଥା ନିଶ୍ଚୟ. ତିନି ଘଣ୍ଟାରେ ହେଉଥିବା ପରୀକ୍ଷାକୁ ପିଲାମାନେ ସାଧାରଣତଃ ଠିକ ସମୟରେ ସାରି ପାରୁନଥିବା ବେଳେ ଏପରି ଆମ୍ବିଟେକ୍ସଚର ପିଲାମାନଙ୍କୁ ମାତ୍ର ଏକଘଣ୍ଟା ସମୟ ଲାଗୁଛି.
ଏସବୁ କଥା ଶୁଣି ରାଜୁ ଖୁବ ଖୁସି ହୋଇଯାଇଥିଲା କାରଣ ସେ ବାପାଙ୍କ ଠାରୁ ଗାଳି ଖାଇ ମଧ୍ୟ ଦେଖିଥିବା ସେହି ହିନ୍ଦି ଫିଲ୍ମ ଯାହାର ନାମ “ଥ୍ରୀ ଇଡ଼ିଅଟ୍ସ “ଥିଲା, ସେହି ପିଲ୍ମର କାହାଣୀ ପରି ଲାଗୁଥିବା ଦୁଇହାତରେ ଲେଖିପାରିବା ଦକ୍ଷତା ସେ ଏଣିକି ନିଜେ ସେହି ବୀଣା ବାଦିନୀ ସ୍କୁଲରେ ପଢି ଲେଖି ପାରିବ ବୋଲି ଭାବୁଥିଲା . ପିତାମାତା କିନ୍ତୁ ଅନ୍ୟ କିଛି ଭାବୁଥିଲେ.ଦୁଇ ପୁଅଙ୍କୁ ଯୋଗ୍ୟ କରିବାକୁ ଯାଇ ବଡ଼ପୁଅ ଆଣ୍ଡାମାନ ଯାଇ ସେଠିକା ଜନଜାତି ସମ୍ପ୍ରଦାୟ ଲୋକଙ୍କ ସଙ୍ଗେ ମିଶି ସେମାନଙ୍କୁ ସମାଜର ମୁଖ୍ୟ ସୋତ୍ରରେ ଆପଣେଇବାକୁ ଯାଇ ଆଜି ସମସ୍ତଙ୍କ ଚକ୍ଷୁରେ ଦୋଷୀ ସାବ୍ୟସ୍ତ ହୋଇଛି କାରଣ ସମସ୍ତେ ଚାହାଁନ୍ତି ସେଠିକାର ଜନଜାତି ଅଞ୍ଚଳର ଲୋକ ସେମିତି ଦେଶୀୟ ହୋଇ ରହନ୍ତୁ ତାଙ୍କ ନିଜସ୍ୱ ଶୈଳୀ, ଭାଷା, ପୋଷାକ, ଅଳଙ୍କାର, ଅସ୍ତ୍ରଶସ୍ତ୍ର ଓ ସଂସ୍କୃତି ପରମ୍ପରା ତଥା ସେମାନେ ଯେ ଜଙ୍ଗଲ ଯୋଦ୍ଧା ହିସାବରେ ସ୍ୱତନ୍ତ୍ର ରହି ପରିବ୍ରାଜକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଥାଆନ୍ତୁ .ଠିକ ସେତିକିବେଳେ ବଡ଼ପୁଅ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ଉଦ୍ୟମ ଜାରି ରଖିବା କେତେଦୂର ସମିଚୀନ ତାହା ଚର୍ଚ୍ଚାରେ ଥିବାବେଳେ ସାନପୁଅକୁ ମଧ୍ୟପ୍ରଦେଶରେ ବୀଣା ବାଦିନୀ ସ୍କୁଲରେ ପଢ଼ାଇବା କେତେ ଦୂର ଉଚିତ ଅନୁଚିତ ହେବ ପ୍ରଶ୍ନରେ ଘାରି ହେଉଥିବା ପିତାମାତାଙ୍କୁ ଅସ୍ଥିର କରି ରାଜୁ କେଵେ ଯାଇ ସେ ସ୍କୁଲରେ ପଢିବ ବୋଲି ସ୍ବପ୍ନ ଦେଖୁଥିଲା କାରଣ ତା ବାପାଙ୍କର ମଧ୍ୟପ୍ରଦେଶକୁ ବଦଳି ହୋଇଯାଇଥିଲା. ଠିକ ସେତିକି ବେଳେ ବଡପୁଅ ଘରକୁ ଫେରିଆସିବା ଘଟଣା ବାପା ମାଆଙ୍କୁ ଚମତ୍କୃତ କରିଥିଲା. ରାଜୁ ପରି ସେ ମଧ୍ୟ ଜଣେ ଆମ୍ବିଟେକ୍ସଚର ପିଲା ହେବାକୁ ଚାହେଁ ବୋଲି ସାନଭାଇକୁ କହିଲା ବେଳେ ରାଜୁ କହୁଥିଲା ତୋ ଜୀଵନ ସଂଗୀତ ଆଉ ମୋ ଜୀଵନ ସଂଗୀତ ଏକା ତାଳ ଲୟରେ ଚାଲିଲେ ଆମ ବାପା ମାଆ ଖୁସି ହେବେ. ଏତେ ବର୍ଷା ଭିତରେ ମଧ୍ୟ ବାପା ମାଆ ଗାଁକୁ ଯାଇ ଜେଜେ ଜେଜେମାଙ୍କ ଆଶୀର୍ବାଦ ନେଇ ଦୁଇପୁଅଙ୍କ ସହ ମଧ୍ୟପ୍ରଦେଶ ଯିବାକୁ ବାହାରିଥିଲେ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ