ଆଶାକର୍ମୀଙ୍କୁ ଅସଦାଚରଣ ମାମଲା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ଶୁକ୍ରବାର ଗତ ୨୦୦୯ ମସିହାର ଏକ ପୁରୁଣା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।ଦିଗପହଣ୍ଡି ଥାନା ଡଙ୍କାରି ଗ୍ରାମର ଅଭିଯୁକ୍ତ ନରି ଗୌଡ ଦଣ୍ଡିତ ଜୋରିମାନା ଅର୍ଥରାଶି କୋର୍ଟରେ ଜମା କରିବା ପରେ ତାଙ୍କୁ ଛାଡି ଦିଆଯାଇଛି।ସୂଚନା ପ୍ରକାରେ ଗତ ୩.୧.୨୦୦୯ ତାରିଖରେ ଆଶାକର୍ମୀ ପି.ଅନିତା ଓ ତାଙ୍କ ଅନ୍ୟ ଜଣେ ସହକର୍ମୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ ବୈଠକରୁ ଫେରି ଗଣିଆନାଳ ଛକରେ ଛିଡା ରହିଥିଲେ।ସେହି ସମୟରେ ଅଭିଯୁକ୍ତ ନରି ଗୌଡ ସେଠାରେ ପହଞ୍ଚି ଅନିତାଙ୍କୁ ଅସଦାଚରଣ କରିଥିଲା।ପରେ ଡଙ୍କାରି ଗାଁ କୁ ଯିବା ରାସ୍ତାରେ ମଧ୍ୟ ଅଭିଯୁକ୍ତ ଜଣକ ସାଇକେଲରୁ ଓହ୍ଲାଇ ଅନିତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ପୂର୍ବକ ଲଜ୍ଜିତ କରିଥିଲା।ଅନିତାଙ୍କ ଏତଲା ଭିତ୍ତିରେ ପୋଲିସ ଥାନା ମାମଲା ନଂ. ୨/୦୯ ପ୍ରକାରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଶେଷରେ ଅଭିଯୁକ୍ତ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ।ସମସ୍ତ ସାକ୍ଷ୍ୟ ବିଚାରଣା ଓ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାଜିଷ୍ଟ୍ରେଟ ଆଇପିସିର ଦଫା ୩୪୧ ଏବଂ ୫୦୯ ରେ ଅଭିଯୁକ୍ତକୁ ୮୦୦ ଟଙ୍କା ଜୋରିମାନା ପ୍ରଦାନ କରିବାକୁ କହିଥିଲେ।ଜୋରିମାନା ଅନାଦେୟ ୧୭ ଦିନ ପାଇଁ ଅଭିଯୁକ୍ତ କୁ ଜେଲ ଯିବାକୁ ଆଦେଶ ଦେଇଥିଲେ।ତେବେ ଶେଷ ମୂହୁର୍ତ୍ତରେ ଅଭିଯୁକ୍ତ ଜୋରିମାନା ଅର୍ଥ କୋର୍ଟରେ ଦାଖଲ କରିଥିବା ଜଣାପଡିଛି।ଆଶାକର୍ମୀଙ୍କ ପକ୍ଷରୁ ସରକାରୀ ଓକିଲ ବିପ୍ଲବ କୁମାର ମୁଦୁଲି, ନକୁଳ ପ୍ରଧାନ ମାମଲା ପରିଚାଳନା କରିଥିଲେ।