ନୟାଗଡ଼ରେ ହତ୍ୟା କନ୍ଧମାଳରୁ ଶବ ଉଦ୍ଧାର ମୁଖ୍ୟ ଅଭିଯୁକ୍ତ ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ଗଳିତ ଶବ ଉଦ୍ଧାର । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣି ନିକଟରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପୋଲିସ୍ । ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ପୋଲିସ୍ ଓ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ମୃତକ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଆଡ଼କଟା ପଞ୍ଚାୟତର ଦହପଶି ଗ୍ରାମର ଚରଣ ବେହେରା ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତ ଜାନୁଆରୀ ୩୦ ତାରିଖ ଦିନ ଗାଁ ରେ ଅଷ୍ଟ ପ୍ରହରୀ ଚାଲିଥିବା ବେଳେ ଗାଁ ର କିଛି ଲୋକ ଚରଣ ବେହେରାଙ୍କୁ ମଦ ପିଇବାକୁ ଡାକି ନେଇଥିଲେ । ଚରଣ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଚରଣଙ୍କ କୌଣସି ସନ୍ଧାନ ନପାଇ ୩୧ ତାରିଖରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ପ୍ରକାରେ ଗଣିଆ ପୋଲିସ୍ ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ବେହେରାକୁ ଗିରଫ କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତକୁ ସାଙ୍ଗରେ ଧରି ହତ୍ୟାକାଣ୍ଡର ରିକ୍ରିଏସନ୍ କରିଛି ପୋଲିସ୍ । ଏଥିସହିତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିରୁ ଚରଣଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ୍ । ସେପଟେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ଏହାକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ମୁଖ୍ୟ ଅଭିଯୁକ୍ତ ସହ ଆଉ କେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ଗଣିଆ ପୋଲିସ୍ ।