ଆଉଟ୍ସୋର୍ସିଂ ସଂସ୍ଥା ସହ ସରିଲାଣି ଚୁକ୍ତିନାମା
ଆସିକା, (ୱାଇଏନ୍ଏସ୍):ସରକାର ବଦଳିବା ପରେ ଆଉଟସୋର୍ସିଂ ସଂସ୍ଥା ରାଜ୍ୟରେ କେତେକ ସରକାରୀ ଅନୁଷ୍ଠାନରୁ ବଦଳିବାରେ ଲାଗିଛି । ସରକାରଙ୍କ ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ପରିଚାଳିତ ହୋଇଆସୁଥିବା ବିଭିନ୍ନ ବିଭାଗରେ ବର୍ଷବର୍ଷ ଧରି ଘରୋଇ ଏଜେନ୍ସି ଜରିଆରେ କାର୍ଯ୍ୟରତ ଥିବା ଠିକା କର୍ମଚାରୀ ମାନଙ୍କୁ କେତେକ ଅଞ୍ଚଳରେ ବିଦା କରାଯାଇ ସେମାନଙ୍କ ସ୍ଥାନ ନୁଆଁ ଆଉଟ୍ସୋର୍ସିଂ ସଂସ୍ଥାରେ ଠିକା କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଉଛି । ଗତ ଅକ୍ଟୋବର ମାସ ପହିଲାରୁ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରପାଳିକା ଓ ଏନ୍ଏସି ଗୁଡିକରେ ବର୍ଷବର୍ଷ ଧରି ଘରୋଇ ଏଜେନ୍ସି ଅଧୀନରେ ଆଉଟ୍ସୋର୍ସିଂ ପଦ୍ଧତିରେ କାର୍ଯ୍ୟରତ ଥିବା କେତେକ ଠିକା କର୍ମଚାରୀଙ୍କୁ ହଟାଇ ଦିଆଯାଇଛି । ତେବେ ଆସିକା ଏନ୍ଏସି କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ମୁକ୍ତା ଯୋଜନା କାର୍ଯ୍ୟର ତଦାରଖ କରିବା ପାଇଁ ଘରୋଇ ଏଜେନ୍ସି ଦରିଆରେ ଆଉଟ୍ସୋର୍ସିଂ କର୍ମଚାରୀ ରୂପେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ବିଗତ କିଛି ଦିନ ହେଲା ଇଞ୍ଜିନିୟରିଂ ବିଭାଗରେ ବସି ବିଭିନ୍ନ ଫାଇଲ୍ କାମ କରୁଥିବା ଆସିକାର ଗଳିକନ୍ଦିରେ ଚର୍ଚ୍ଚା ଜୋର୍ ଧରିଥିବା ଲକ୍ଷ୍ୟ କରାଯାଇଛି । ଚାକିରୀ ଯିବାର ଦୀର୍ଘ ଦିନ ପରେ ବି ଉକ୍ତ କର୍ମଚାରୀ ଜଣକ କେଉଁ ଅଦୃଶ୍ୟ ଶକ୍ତିର ଆଶୀର୍ବାଦରେ ଆସିକା ଏନ୍ଏସି କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ ବସି କାମ କରୁଛନ୍ତି ତାହାର ଏକ ନିରପେକ୍ଷ ତଦନ୍ତ କରିବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆଉଟ୍ସୋର୍ସିଂ ପଦ୍ଧତିରେ ଘରୋଇ ଏଜେନ୍ସି ଜରିଆରେ କାର୍ଯ୍ୟ କରି ଛଟେଇ ହୋଇଥିବା କର୍ମଚାରୀଙ୍କ ଆସିକା ଏନ୍ଏସି ମୋହ କେବେ ତୁଟିବ ବୋଲି ଚର୍ଚ୍ଚା ହେଉଛି । ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଆସିକା ଏନ୍ଏସି କାର୍ଯ୍ୟାଳୟରେ ସରକାରଙ୍କ ବିନା ଅନୁମତିରେ ଚାକିରୀ ହରାଇଥିବା ଜଣେ ଆଉଟ୍ସୋର୍ସିଂ କର୍ମଚାରୀ ଇଞ୍ଜିନିୟରିଂ ବିଭାଗରେ କିପରି ଜଣେ ଆସିକା ଏନ୍ଏସି କର୍ମଚାରୀଙ୍କ ଭଳି ଗତ କିଛି ଦିନ ହେଲା ଫାଇଲ୍ କାମ କରୁଛନ୍ତି ତାହାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ଏନ୍ଏସି କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କଲେ ପ୍ରକୃତ ତଥ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବିିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


