ଆସିକା ପୁରୁଣା ବସ୍ଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ଛକରେ ଟ୍ରାଫିକ୍ ପୋଷ୍ଟ ନିର୍ମାଣ ଦାବୀ
ଆସିକା, (ୱାଇଏନ୍ଏସ୍):ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ବି ୧୫୭ ନମ୍ବର ଜାତୀୟ ରାଜପଥର ଆସିକା କଳିଙ୍ଗ ରୋଡ୍ର ପୁରୁଣା ବସଷ୍ଟାଣ୍ଡ ଛକ ଓ ବିଜୁ ପଟ୍ଟନାୟକ ଛକରେ ଜନସାଧାରଣଙ୍କ ସୁବିଧା ଲାଗି ପ୍ରଶାସନ ପକ୍ଷରୁ ଟ୍ରାଫିକ ପୋଷ୍ଟ ନିର୍ମାଣ କରିବା ସମ୍ଭବପର ହୋଇନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟୁଷରୁ ରାତ୍ର ପର୍ଯ୍ୟନ୍ତ ସଦାସର୍ବଦା ଜନଗହଳିପୂର୍ଣ୍ଣ ରହୁଥିବା ଆସିକା ବିଜୁ ପଟ୍ଟନାୟକ ଛକରୁ ଦୈନିକ ଆସିକା-ଭୁବନେଶ୍ୱର, ଆସିକା-ବ୍ରହ୍ମପୁର, ଆସିକା-ଫୁଲବାଣୀ ଅଭିମୁଖେ ବହୁ ଯାନବାହାନ ଚାଳଚଳ ଠାରୁ ଆରମ୍ଭ କରି ହଜାର ହଜାର ଜନତା ଯାତାୟାତ କରିଥାନ୍ତି । ସେହିଭଳି ଆସିକା ସହରକୁ ପ୍ରବେଶ ପାଇଁ ଉଦ୍ଦିଷ୍ଟ କଳିଙ୍ଗ ରୋଡର ପୁରୁଣା ବସଷ୍ଟାଣ୍ଡ ଛକରୁ ଦୈନିକ ଶହ ଶହ ଗାଡି ମଧ୍ୟ ବିଭିନ୍ନ ଦିଗକୁ ଚଳାଚଳ କରିଥାଏ । ସଦାସର୍ବଦା ବ୍ୟସ୍ତବହୁଳ ଓ ଜନଗହଳିପୂର୍ଣ୍ଣ ରହୁଥିବା ଆସିକା ପୁରୁଣା ବସଷ୍ଟାଣ୍ଡ (ମା ଖମ୍ବେଶ୍ୱରୀଙ୍କ ଗେଟ୍ ପାଖ) ଓ ବିଜୁ ପଟ୍ଟନାୟକ ଛକରେ ଟ୍ରାଫିକ୍ ପୋଷ୍ଟ ନିର୍ମାଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୁରୁଣା ବସ୍ଷ୍ଟାଣ୍ଡ ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ତିନି ପାଶ୍ୱର୍ରୁ ଛୋଟବଡ ଯାନବାହାନ କରୁଥିବା ଜଣାପଡିଛି । ଆସିକା ପୁରୁଣା ବସଷ୍ଟାଣ୍ଡ ଛକ ଓ ବିଜୁ ପଟ୍ଟନାୟକ ଛକରେ ଟ୍ରାଫିକ୍ ପୋଷ୍ଟ ନିର୍ମାଣ ହୋଇନଥିବା ଯୋଗୁଁ ବିଭିନ୍ନ ସମୟରେ ବହୁ ଅମାନିଆ ଗାଡି ଚାଳକ ଓ କେତେକ ଯୁବପିଢୀ ମନଇଛା ଗଳାବାଟ ଦେଇ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ଉକ୍ତ ବ୍ୟସ୍ତବହୁଳ ପୁରୁଣା ବସଷ୍ଟାଣ୍ଡ ଛକ ଓ ବିଜୁ ପଟ୍ଟନାୟକ ଛକରେ ଟିକିଏ ଅସାବଧାନତା କିମ୍ବା ଆଖି ଏପଟେ ସେପଟ ହୋଇଗଲେ ଦୁର୍ଘଟଣା ଘଟିବା ଥୟ ଓ କେତେବେଳେ କାହାର ଜୀବନ ଦୀପ ଅକାଳରେ ଲିଭିବ ତାହା କହିବା ମୁସ୍କିଲ୍ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଶହ ଶହ ଜନତାଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ତିନି ପାଶ୍ୱର୍ରୁ ଆସୁଥିବା ଓ ଯାଉଥିବା ଗାଡିର ଭିଡକୁ ନିୟନ୍ତ୍ରଣ କରିବା ସହ ସାଧାରଣ ଜନତାଙ୍କ ଯାତାୟତର ପଥ ସୁଗମ କରିବା ପାଇଁ ଆସିକା ପୁରୁଣା ବସଷ୍ଟାଣ୍ଡ ଛକ ଓ ବିଜୁ ପଟ୍ଟନାୟକ ଛକରେ ଟ୍ରାଫିକ୍ ପୋଷ୍ଟ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


