ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଅଭିଯୋଗ ଶୁଣାଣୀ ଶିବିର
ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ବତନ୍ତ୍ର ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ପ୍ରାଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦିନେଶ ପାଟିଲ୍ , ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଈ, ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ନରେଶ ଚନ୍ଦ୍ର ଶବର ଓ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ପ୍ରମୁଖ ଉପସ୍ଥିତ ରହି ପାଖାପାଖି ୭୧ ଗୋଟି ଅଭିଯୋଗ ଶୁଣାଣୀ କରିଥିଲେ । ଉକ୍ତ ଅଭିଯୋଗ ଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା:- ଆୱାଶିୟ ଗୃହ ଯୋଗାଇବା, ରାସ୍ତା ଘାଟର ମରାମତି/ ନିର୍ମାଣ ସମ୍ବନ୍ଧୀୟ, ପାଇପଲାଇନ ଜଳ ଯୋଗାଣ ସମ୍ବନ୍ଧରେ, ଓରିଙ୍ଗି ଘାଟି ରାସ୍ତା କାର୍ଯ୍ୟ ପ୍ରଶସ୍ତିକରଣ ସମ୍ବନ୍ଧୀୟ, କୁଡୁମୁଲୁଗୁମ୍ମା ଠାରୁ ବିଙ୍ଗୁଗୁଡା ଆରଡ଼ି ରାସ୍ତା ନିର୍ମାଣ ସମ୍ବନ୍ଧୀୟ, ନୃସିଂହ ମନ୍ଦିର ରାସ୍ତାକୁ ପକ୍କା କଂକ୍ରିଟ ରାସ୍ତା କରିବା ଓ ଦୁଇ ଜଣ ୮୦% ରୁ ଉର୍ଦ୍ଧ ଭିନ୍ନକ୍ଷମଙ୍କୁ ସରକାରୀ ସହାୟତା ପ୍ରଦାନ ସମ୍ବନ୍ଧରେ ଅଭିଯୋଗ ପ୍ରମୁଖ ହୋଇଥିଲା ଓ ଜିଲ୍ଲାପାଳ ତୁରନ୍ତ ଉକ୍ତ ଅଭିଯୋଗ ଗୁଡିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶନା ଦେଇଥିବା ଜଣାପଡ଼ିଛି । ଶେଷରେ ଦୁଇଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଦୁଇଟି ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଉକ୍ତ ଶିବିରକୁ କୁଡୁମୁଲୁଗୁମ୍ମା ତହସିଲଦାର କ୍ରିଷ୍ଣା ଚନ୍ଦ୍ର ଦାସ ଆୟୋଜିତ କରିଥିଲେ, ଯେଉଁଥିରେ ପ୍ରାୟ ସବୁ ବିଭାଗର ଜିଲ୍ଲା ଅଧିକାରୀ ଓ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ କୁଡୁମୁଲୁଗୁମ୍ମା ଓ ପରକନମାଳା ଗ୍ରାମ ପଞ୍ଚାୟତର ପାଖାପାଖି ୨୦୦ ରୁ ଉର୍ଦ୍ଧ ଜନସାଧାରଣ ଯୋଗଦେଇଥିଲେ ।