ମା’ଶ୍ୟାମଳାଇଙ୍କ ଚୈତ୍ର ପର୍ବ ଆରମ୍ଭ ପ୍ରଥମ ମଙ୍ଗଳବାର ପୀଠରେ ଭକ୍ତଙ୍କ ଭିଡ଼

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚୈତ୍ର ମାସ ୧ମ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା । ଦୂରଦୁରାନ୍ତରରୁ ଭକ୍ତ ମାନେ ସେମାବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇବା ସହ ମନ୍ଦିର ପ୍ୱାର୍ଶ୍ବରେ ମାନସିକ ଧାରୀ ମାନେ ନିଜ ନିଜ ଶିଶୁ ମାନଙ୍କୁ ମୁଣ୍ଡନ କରାଉଥିବାର ଦେଖିବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ପରିଲିକ୍ଷିତ ହୋଇଥିଲା । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ଭକ୍ତ ମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ମନ୍ଦିର ନିକଟରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବୀ ମାନଙ୍କ ପକ୍ଷରୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ମଙ୍ଗଳବାର ଭୋରରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ୱାବଧାନରେ ଥାନା ଏସ.ଆଇ. ସୁରେଶ କୁମାର ସାହୁ ଓ ତାଙ୍କ ଟିମ୍ ମନ୍ଦିର ପରିସରରେ ପହଞ୍ଚି ଶାନ୍ତି ଶୃଙ୍ଖଳା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଭକ୍ତ ମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୁପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ଗ୍ରାମରେ ଅଧିଷ୍ଠିତ ମା’ କରେଇଶୁଣୀଙ୍କ ପୀଠରେ ମଧ୍ୟ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବହୁ ମାନସିକ ଧାରୀ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇବା ସହ ମନ୍ଦିର ଚର୍ତୁପ୍ୱାର୍ଶ୍ବରେ ଭୋଜିଭାତର ଆୟୋଜନ କରିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ