ନବରଙ୍ଗପୁରରେ ଅନ୍ତ୍ୟୋଦୟ ଗୃହ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ
ନବରଙ୍ଗପୁର, (ୱାଇଏନଏସ): ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଆୟୋଜିତ “ଅନ୍ତ୍ୟୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାର ହିତାଧିକାରୀଂକୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ” ଅନ୍ତ୍ୟୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କରିଥିଲେ ଏହି କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ସାଇ କଲ୍ୟାଣ ମଣ୍ଡପ ଠାରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକ , ନବରଙ୍ଗପୁର ବିଡିଓ ସୁନୀଲ ଖରା ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଏହି “ଅନ୍ତ୍ୟୋଦୟ ଗୃହ ଯୋଜନା” ନିଶ୍ଚିତ ଭାବେ ଗରିବ ଏବଂ ନିମ୍ନ ଆୟ ବର୍ଗ ଲୋକମାନଙ୍କ ପାଇଁ ମୁଣ୍ଡକୁ ଛାତ ଯୋଗାଇବାର ଏକ ଅଭିନବ ପଦକ୍ଷେପ ବୋଲି କହିଥିଲେ। ଏହି ଯୋଜନାରେ ରାଜ୍ୟ ସରକାର ୭୫୫୦ କୋଟି ବ୍ୟୟ ବରାଦ କରି ତିନି ବର୍ଷ ମଧ୍ୟରେ ୨,୨୫,୦୦୦ ଲୋକଙ୍କୁ ପକ୍କା ଘର ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଏହି ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ୨୫ ବର୍ଗ ମିଟର ପରିଧିର ପକ୍କା ଘର ପାଇଁ ୧,୨୦,୦୦୦ ଟଙ୍କା ର ଆର୍ଥିକ ସହାୟତା ଦିଆଯିବ। ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବାସହୀନ ବ୍ୟକ୍ତି ବା କଚାଘରେ ରହୁଥିବା ବ୍ୟକ୍ତି, ଦିବ୍ୟାଙ୍ଗ, ସରକାରୀ ଗ୍ରାମୀଣ ଗୃହ ଯୋଜନା ରେ ବାଦ ପଡିଥିବା ନିମ୍ନ ଆୟ କରୁଥିବା ବ୍ୟକ୍ତି, ଜଙ୍ଗଲ ଅଧିକାର ଆଇନ ୨୦୦୬ ହିତାଧିକାରୀ, ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ, ସରକାରୀ ପ୍ରକଲ୍ପ , ଅଭୟାରଣ୍ୟ, ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରେ ରହୁଥିବା ଏବଂ ସ୍ଥାନାନ୍ତରିତ ପ୍ରକ୍ରିୟାରେ ସାମିଲ ବ୍ୟକ୍ତି, ସହିଦ, କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଓ ଅନ୍ୟାନ୍ୟ ସରକାରୀ ଧାର୍ଯ୍ୟ ଯୋଗ୍ୟତା ଗାଇଡ ଲାଇନ ଅନୁଯାୟୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।ନବରଙ୍ଗପୁର ବ୍ଲକ ସମେତ ଜିଲ୍ଲାର ସମସ୍ତ ବ୍ଲକରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ କରାଯାଇ ହିତାଧିକାରୀଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରଯାଇଥିଲା। ନବରଙ୍ଗପୁର ବ୍ଲକ ରେ ମନ୍ତ୍ରୀ ୧୩୫ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ୭୯, ଡ଼ାବୁଗାଁ ବ୍ଲକ ରେ ୬୬ ଜଣ, ଝରିଗାଁ ବ୍ଲକ୍ ରେ ୧୯୨ ଜଣ,କୋଷାଗୁମୁଡ଼ା ବ୍ଳକରେ ୩୮୧ ଜଣ, ନନ୍ଦାହାଣ୍ଡି ବ୍ଲକରେ ୭୪ ଜଣ, ପାପଡ଼ାହାଣ୍ଡି ବ୍ଲକ ରେ ୪୧୬ ଜଣ, ରାଇଘର ବ୍ଲକ୍ ରେ ୩୨୯ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକ ରେ ୧୧୮ ଜଣ, ଉମରକୋଟ ବ୍ଲକ୍ ରେ ୨୭୨ ଜଣ ଏଭଳି ମୋଟ ୨୦୬୨ ଜଣଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରଯାଇଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ,ପି ଆର୍ ଆଇ ସଭ୍ୟ, ଡିଏସଏସଓ ସୁଧାଂଶୁ ପାତ୍ର, ଡିଆଇପିଆରଓ ମନୋଜ କୁମାର ବେହେରା ଙ୍କ ସହ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଜରୁରୀକାଳୀନ ଶାଖା ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ପଟ୍ଟନାୟକ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


