ଶିଶୁ ପୁସ୍ତକ ‘କଥାଟିଏ କହୁଁ ଗପଟିଏ’ ଉନ୍ମୋଚିତ ଓ ବସନ୍ତରେ କୁହୁ କୁହୁ କବିତା ଆସର
ବଡ଼ସାହି,(ନିରଞ୍ଜନ ମହାନ୍ତ): ବାଣୀପୀଠ ପ୍ରକାଶନୀ ତରଫରୁ ଡ଼କ୍ଟର କୁମାର ବାବୁଲିଙ୍କ ଷଷ୍ଠ ଶିଶୁ ଗଳ୍ପ ସଂକଳନ ‘କଥାଟିଏ କହୁଁ ଗପଟିଏ’ ମହାସମାରୋହରେ ଉନ୍ମୋଚିତ ହୋଇ ଯାଇଛି। ଏଥି ସହିତ ପିଲାଙ୍କ ପାଇଁ ବସନ୍ତରେ କୁହୁ କୁହୁ କବିତା ଆସର ଜେଜେ ଗୁରୁଜୀ ବେଣୁଧର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଗବେଷକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ ଯୋଗଦାନ କରି ପୁସ୍ତକ ହେଉଛି ସମାଜର ଦର୍ପଣ। ଯାହା ସମାଜର ଅନେକ କଥାକୁ ପ୍ରତି ବିମ୍ବିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଡ଼କ୍ଟର ଶଶୀଧର ବିଶ୍ଵାଳ, ଆଦରଣୀୟ ଅତିଥିଭାବେ ପରିବେଶବିତ୍ ଡ଼କ୍ଟର ରମାକାନ୍ତ ମହାନ୍ତ, ବିଶିଷ୍ଟ ଅତିଥି ଭାବେ ଅଧ୍ୟକ୍ଷା ଡକ୍ଟର ମନ୍ଦାକିନି ସାହୁ ଓ ଶିଶୁସାହିତ୍ୟିକ ପର୍ଶୁରାମ ସାହୁ ଓ ସମ୍ମାନିତ ଅତିଥି ଭାବେ ଆଶୁକବି ବାସୁଦେବ ନାପିତ, କବି ରତିକାନ୍ତ ବେହେରା, ଅବସରପ୍ରାପ୍ତ ଶିକ୍ଷକ ରଣଜିତ୍ କୁମାର ଦାସ ଏବଂ କବି ନୀରୋଦ ସୁନ୍ଦର ଜେନା ଯୋଗଦାନ କରିଥିବାବେଳେ କବି ଓ ଗୀତିକାର ଶଚୀନ୍ଦ୍ର କୁମାର ବିଶ୍ଵାଳ ପୁସ୍ତକ ସମୀକ୍ଷା କରିଥିଲେ। ବାଣୀପୀଠର ମୁଖ୍ୟ ମାଆ ନିଶାମଣି ରାଉତ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶିଶୁ କବିତା ଆସରର ସଂଯୋଜନା ଶିଶୁ ସାହିତ୍ୟକ ଶିବଙ୍କର ଭୂୟାଁ ଓ କବି କାର୍ତ୍ତିକ ସେଠୀ କରିଥିଲେ। ବାଣୀପୀଠର ସଂପାଦିକା ପୁହାଣ ସୂର୍ଯ୍ୟକାନ୍ତି ରାଉତ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ବଙ୍କିମ୍ ଚନ୍ଦ୍ର ବାରିକ ମଞ୍ଚ ସଂଚାଳନ କରିଥିଲେ। ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀମାନଙ୍କ ଦ୍ବାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଛାତ୍ରୀ ହିତୈଶ୍ରୀ ମାହାର୍ଣ୍ଣା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ଅତିଥି ମାନଙ୍କଦ୍ୱାରା ପୁସ୍ତକ ଉନ୍ମୋଚିତ ହୋଇଥିଲା। ସର୍ବଶେଷରେ ଶୁଭଜିତ ଶୁଭଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


