ମନ୍ଦିର ସମେତ ବିଭିନ୍ନ ସ୍ଥାନରୁ ଚୋରି: କାର୍ଯ୍ୟାନୁଷ୍ଠାନ ଶୂନ
କାକଟପୁର/ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): ଥାନା ଅଧିକାରିଣୀଙ୍କ ଅମଳରେ ଅସ୍ତରଙ୍ଗ ଥାନା ଅଞ୍ଚଳ ଚୋରମାନଙ୍କ ଚରଣାଭୂମିରେ ପରିଣତ ହୋଇଛି। ଦୀର୍ଘ ୪ ମାସ ଉର୍ଦ୍ଧ ମଧ୍ୟରେ ୫ରୁ ଅଧିକ ମନ୍ଦିର ସମେତ ଅଙ୍ଗନବାଡି, ସ୍କୁଲ୍, ଘରେ ଲଗାତାର ଚୋରି ହୋଇଛି । ଲକ୍ଷାଧିକ ଟଙ୍କା ଓ ସୁନା ରୂପା ଅଳଙ୍କାର ଲୁଟ୍ ହୋଇସାରିଲାଣି। କିନ୍ତୁ ଅସ୍ତରଙ୍ଗ ପୋଲିସ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଚୋରକୁ ଗିରଫ କରିପାରିନାହିଁ । ୪ ମାସ ରେ ୫ରୁ ଅଧିକ ସ୍ଥାନରେ ଚୋରି, ଶୂନ ଗିରଫ ଏଇଟା ହିଁ ଅସ୍ତରଙ୍ଗ ପୋଲିସର ରିପୋର୍ଟ କାର୍ଡ। ତଥ୍ୟ ଖୁବ୍ ସ୍ପଷ୍ଟ । ନୂଆ ଅସ୍ତରଙ୍ଗ ଥାନାରେ ନୂଆ ଥାନାଅଧିକାରିଣୀ ଯୋଗ ଦେବା ଦିନଠାରୁ ଅସ୍ତରଙ୍ଗ ଅଞ୍ଚଳରେ ଚୋରି ଘଟଣା ଆଶଙ୍କାଜନକ ଭାବେ ବୃଦ୍ଧି ପାଇଛି । ଭେଡ଼ାବନ୍ଦ ମା’ ଅମ୍ବିକା ମନ୍ଦିର ରୁ ତାଲା ଭାଙ୍ଗି ଲକ୍ଷାଧିକ ସାମଗ୍ରୀ ଟଙ୍କା ଚୋରି, ଆଙ୍କୁଅ ମନ୍ଦିର ଲୁଟ୍, ବରଡ଼ି ଜଗନ୍ନାଥ ମନ୍ଦିରୁ ସାମଗ୍ରୀ ଗାଏବ,ଡେରୁଣିଆ ଅଞ୍ଚଳରେ ସ୍କୁଲ ଘରୁ ଚୋରି ପ୍ରତିଦିନ ନୂଆ ନୂଆ ଘଟଣା । ଡେରୁଣିଆ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟ ଚୋରି ହୋଇଛି।ଗତ ରାତ୍ରରେ ପୋଟଳ ଛକ ରାଧାକୃଷ୍ଣ ମନ୍ଦିର ରୁ ରୂପା ମୁକୁଟ, ଘଣ୍ଟ, ଅଷ୍ଟ ପ୍ରହରୀ ସାମଗ୍ରୀ ଚୋରି ହୋଇଛି। ପ୍ରତି ଚୋରି ପରେ ପୋଲିସ କ’ଣ କରୁଛି? ଘଟଣାସ୍ଥଳ ପରିଦର୍ଶନ, ମାମଲା ରୁଜୁ, ସାଇଣ୍ଟିଫିକ ଟିମ୍ ଫଟୋ ଉଠାଉଛି। ବାସ୍ ୪ ମାସରୁ ଉର୍ଦ୍ଧ ବିତିଗଲାଣି, ତଦନ୍ତର ଅଗ୍ରଗତି ଶୂନ। ଗୋଟିଏ ବି ମାମଲାର ପର୍ଦାଫାସ ହୋଇନାହିଁ। ମାନେ ପୋଲିସ କେବଳ କାଗଜ କଲମରେ ତଦନ୍ତ ସାରି ଦେଉଛି। ଚୋର ଧରିବା ନାମରେ ଶୂନ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅତି ଗମ୍ଭୀର। ରାତିରେ ପାଟ୍ରୋଲିଂ ହେଉନାହିଁ । ପୁରୁଣା ଚୋରମାନଙ୍କ ଉପରେ ପୋଲିସର ନଜର ନାହିଁ। ଗୁଇନ୍ଦା ବ୍ୟବସ୍ଥା ପୁରା ବିଫଳ। ଫଳରେ ଚୋରମାନେ ନିର୍ଭୟରେ ମନ୍ଦିର ତାଲା ଭାଙ୍ଗୁଛନ୍ତି, ସ୍କୁଲ ଘର ଲୁଟୁଛନ୍ତି। ଚୋରି ହେଲେ କେବଳ କାଗଜ କଲମରେ ତଦନ୍ତ। ଗାଁ ଲୋକେ ରାତି ଅନିଦ୍ରା ହୋଇ ମନ୍ଦିର ଜଗୁଛନ୍ତି ଏଇଟା ଅସ୍ତରଙ୍ଗର ବାସ୍ତବ ଚିତ୍ର। ସୁରକ୍ଷା ଦେବା ପୋଲିସର ଦାୟିତ୍ୱ, କିନ୍ତୁ ଲୋକେ ନିଜେ ଲାଠି ଧରି ରାତି ଜଗୁଛନ୍ତି। ଏଠୁ ବଡ଼ ଲଜ୍ଜା ଆଉ କ’ଣ ହୋଇପାରେ? ପୂଜକ ସୁବଳ ପାଢ଼ୀ କହିଛନ୍ତି ପୋଲିସ ପାଟ୍ରୋଲିଂ ସମ୍ପୂର୍ଣ୍ଣ ଅଭାବ। ମନ୍ଦିର ମଧ୍ୟ ସୁରକ୍ଷିତ ନାହିଁ। ପୁରୀ ଏସ୍ପି ତୁରନ୍ତ ହସ୍ତକ୍ଷେପ କରନ୍ତୁ । କମିଟି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କ କଥା ସେଇଆ – ପୋଲିସ ଥିଲେ ବି ନଥିବା ଭଳି। ଏବେ ଅଞ୍ଚଳବାସୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଛି। ସେମାନେ ଏକ୍ସ ମାଧ୍ୟମରେ ସିଧା ପୋଲିସ ମହାନିର୍ଦ୍ଦେଶକଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି – ବର୍ତମାନ ଥାନାଅଧିକାରିଣୀ ଚୋରି ରୋକିବାରେ ସମ୍ପୂର୍ଣ୍ଣ ଅକ୍ଷମ। ୪ ମାସରେ ଗୋଟିଏ ଚୋର ଧରା ପଡ଼ିଲାନି। ଏଭଳି ଅଧିକାରୀଙ୍କୁ ଥାନାରେ ରଖି ଲୋକଙ୍କ ଜୀବନ ସହ ଖେଳିବା ଠିକ୍ ନୁହେଁ। ଲୋକଙ୍କ ଦାବି ଗୋଟିଏ – ତୁରନ୍ତ ଥାନାଅଧିକାରିଣୀଙ୍କୁ ବଦଳି କରି ଜଣେ ଦକ୍ଷ, କାର୍ଯ୍ୟଦକ୍ଷ ଅଧିକାରୀଙ୍କୁ ଅସ୍ତରଙ୍ଗ ଥାନାରେ ନିଯୁକ୍ତି ଦିଆଯାଉ। ନଚେତ୍ ଆଗାମୀ ଦିନରେ ଅସ୍ତରଙ୍ଗ ଥାନା ଘେରାଉ ହେବ। ଲୋକେ ଆଉ ସହିବେନି। ଥାନାଅଧିକାରିଣୀ ଆସିବା ପରେ ଚୋରି ବଢ଼ିଲା, ପୋଲିସ ଶୋଇଲା ଏଇଟା ଅସ୍ତରଙ୍ଗର ଲୋକଙ୍କ ମୁହଁର କଥା। ପୋଲିସ ଏବେ ଉତ୍ତର ଦେଉ ।


