ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପନୀ ଉତ୍ସବରେ ମହାଭାରତ ନାଟକ ମଞ୍ଚସ୍ଥ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଶେରଗଡ଼ ବ୍ଳକ ମହୁପଦର ପଞ୍ଚାୟତ ଖମାର ଗ୍ରାମରେ ସଙ୍କଟ ମୋଚନ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ରବିବାର ଦିନ କର୍ମ ପଣ୍ଡିତ ଭବାନୀ ଶଙ୍କରାଚାର୍ଯ୍ୟ ତ୍ରିପାଠୀଙ୍କ ପୈାରହିତ୍ୟରେ ଯାଜ୍ଞିକ ପଣ୍ଡିତଙ୍କ ଦ୍ବାରା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।କର୍ତ୍ତା ରୂପେ ଭଜରାମ ନାୟକ ଓ ଧର୍ମପତ୍ନୀ ନମିତା ନାୟକ ଉପବିଶେନ କରିଥିଲେ। ଜଳଯାତ୍ରା, ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜଳଯାତ୍ରାରେ ସାମିଲ ହୋଇଥିଲେ। ପ୍ରତିଷ୍ଠା ଉତ୍ସବ ସକାଶେ ଗ୍ରାମକୁ ରଙ୍ଗବେରଙ୍ଗ ବାନା ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ପ୍ରତ୍ୟେକ ଘର ସମ୍ମୁଖରେ ପୁର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଥିଲା। ସୋମବାର କର୍ମାରମ୍ଭ, ବ୍ରାହ୍ମଣବରଣ, ଶାଲାସଂସ୍କାର, ଅଗ୍ନିସ୍ଥାପନ, ନାମଯଜ୍ଞ ଓ ଅନ୍ନଯଜ୍ଞ ଆରମ୍ଭ ହୋଇଥିଲା। ମଙ୍ଗଳବାର ସୂର୍ଯ୍ୟପୂଜା, ଦେବତାଙ୍କ ମହାସ୍ନାନ ଓ ଜୀବନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ଦେବତାଙ୍କ ନଗର ଭ୍ରମଣ, ଦେବତା ପ୍ରବେଶ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଅନ୍ନଯଜ୍ଞ ଅନୁଷ୍ଠିତ ହେବା ସହ ଖମାର ଗ୍ରାମ ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିବା ସହ ପ୍ରଭୃକୃପା ଲାଭ କରିଥିଲେ। ଗୁରୁବାର ସନ୍ଧ୍ୟାରେ ପୈାରାଣିକ ନାଟକ ମହାଭାରତ ମଞ୍ଚସ୍ଥ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଧାନିଧି ଚୌଧୁରୀ ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଶେଷଦେବ ସାହୁ, ଗ୍ରାମ୍ୟ କମିଟି ସଭାପତି ପିତବାସ ଜେନା, ଉପସଭାପତି ନାର୍ଶୁ ନାୟକ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ବୁଧିରାମ ସ୍ବାଇଁ ପରିଚାଳନା କରିଥିବା ବେଳେ ଆନନ୍ଦ ଜେନା, କୃଷ୍ଣ ନାୟକ, ସିମାଞ୍ଚଳ ଗୈାଡ, ମନୋଜ୍ ସ୍ବାଇଁ, ଜଗନ୍ନାଥ ନାୟକ, ଯୁବ ସ୍ଵେଚ୍ଛାସେବୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।