ଆୟୁଷ୍ମାନ ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାସ): ଆୟୁଷ୍ମାନ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ଗୁରୁବାର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ଯେ କେନ୍ଦ୍ରାପଡା ସଦର ଥାନା ପୋଲିସ ଏହି ଘଟଣାର ସଠିକ ଭାବରେ ତଦନ୍ତ କରୁନଥିବା ବେଳେ ଅଭିଯୁକ୍ତକୁ ଧରି ଛାଡିଦେବା ଘଟଣା ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ନିମନ୍ତେ ଜିଲ୍ଲାପାଳ ସୁପାରିଶ କରନ୍ତୁ ବୋଲି ଦାବି କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ପୁଅ ଆୟୁଷ୍ମାନ ମହାନ୍ତି(୧୪)ଓରଫ ଧନଙ୍କୁ ଯୋଜନାବଦ୍ଧ ଭାବେ ଲୁଣା ନଦୀକୁ ଠେଲି ହତ୍ୟା କରାଯାଇଛି। ହତ୍ୟାକାରୀମାନଙ୍କୁ କେନ୍ଦ୍ରାପଡା ସଦର ଥାନା ପୋଲିସ ସହଯୋଗ କରୁଛି। ଫଳରେ ହତ୍ୟାକାରୀ ଅପରାଧ କରି ନିର୍ଭୟରେ ବୁଲୁଛି। ତେଣୁ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ନିମନ୍ତେ ଏହାର କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଆୟୁଷ୍ମାନର ପରିବାର ସଦସ୍ୟଙ୍କ ସମେତ ତାଙ୍କ ଗ୍ରାମର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ମୃତ ଆୟୁଷ୍ମାନ ଚାଟରାଚକଡା ପଞ୍ଚାୟତର ଛତାସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ର ଥିଲା। ଚଳିତ ମାଟ୍ରିକ ପରୀକ୍ଷା ଦେବା ପରେ ସେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ଥିବା ମାମୁଁଘରକୁ ମା’ସହିତ ବୁଲିବାକୁ ଆସିଥିଲା। ମାମୁଁଘରୁ ମା’ ଘରକୁ ଫେରିଯାଇଥିବା ବେଳେ ଆୟୁଷ୍ମାନ ରଙ୍ଗଖେଳିବା ପାଇଁ ମାମୁଁଘରେ ରହିଥିଲା। ମାର୍ଚ୍ଚ୧୯ତାରିଖରେ ଆୟୁଷ୍ମାନ ରଙ୍ଗଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ଆୟୁଷ୍ମାନଙ୍କ ବାପା ଖଗେଶ୍ୱର କେନ୍ଦ୍ରାପଡା ସଦର ଥାନାରେ ଆୟୁଷ୍ମାନ ନିଖୋଜ ହେବା ନେଇ ଏତଲା ଦେଇଥିଲେ। ଏହାର ପରଦିନ ଅର୍ଥାତ ମାର୍ଚ୍ଚ ୨୦ତାରିଖ ସକାଳେ ଆୟୁଷ୍ମାନଙ୍କ ମୃତଦେହ ଲୁଣାନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସଦର ଥାନାକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆୟୁଷ୍ମାନର ମୃତ ଦେହ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିଲା। ପ୍ରଥମେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଅନୁମାନ କରାଯାଉଥିଲା। ତେଣୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଆୟୁଷ୍ମାନଙ୍କ ବାପା ସଦର ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ଅଭିଯୋଗ ପାଇବା ପରେ ପୋଲିସ ସିସି ଟିଭି ଫୁଟେଜ୍କୁ ଯାଞ୍ଚ କରି ଜାଣିବାକୁ ପାଇଥିଲା ଯେ ଜଣେ ନାବାଳକ ଓ ଅନ୍ୟ ଜଣେ ଯୁବକ ଆୟୁଷ୍ମନକୁ ଥଣ୍ଡାପାନୀୟରେ ମଦ ମିଶାଇ ପିଇବାକୁ ଦେଉଛନ୍ତି। ଏହାପରେ ଆୟୁଷା୍ମନକୁ ଲୁଣାନଦୀ ପଠାରୁ ନଦୀଭିତରକୁ ଯୁବକ ଜଣଙ୍କ ଠେଲି ଦେଉଛନ୍ତି। ଏହାପରେ ପୋଲିସ ନାବାଳକ ଓ ସଂପୃକ୍ତ ଯୁବକଙ୍କୁ ଥାନାକୁ ଆଣିଥିଲା। ପ୍ରଥମେ ପୋଲିସ ନାବାଳକକୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା। ନାବାଳକ ଜଣଙ୍କ ପୋଲିସ ଆଗରେ ସମସ୍ତ କଥା ମାନି ଯାଇଥିଲା। ନାବାଳକର ସ୍ୱୀକାରୋକ୍ତି ପରେ ପୋଲିସ ସଂପୃକ୍ତ ଅଭିଯୁକ୍ତ ଯୁବକ ଭକ୍ତି ପ୍ରସାଦ ନାୟକକୁ ଥାନାରେ ଅଟକ ରଖି ଜେରା କରିଥିଲା। ଭକ୍ତିପ୍ରସାଦ ମଧ୍ୟ ପୋଲିସ ନିକଟରେ ସମସ୍ତ ଦୋଷ ସ୍ୱୀକାର କରିଥିବା ବେଳେ ପୋଲିସ କ’ଣ ପାଇଁ ତାକୁ ଛାଡିଦେଲା ଏନେଇ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି। ଆୟୁଷ୍ମାନର ବାପା ଖଗେଶ୍ୱର ଏସମ୍ପର୍କରେ ସଦର ଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଭେଟି ତାଙ୍କ ପୁଅ ଆୟୁଷ୍ମାନ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ବହୁବାର ନିବେଦନ କରିଛନ୍ତି। ଏଥିସହିତ ଗ୍ରାମବାସୀମାନେ ମଧ୍ୟ ଉପରୋକ୍ତ ଅଧିକାରୀମାନଙ୍କୁ ଭେଟି ଆୟୁଷ୍ମାନ ହତ୍ୟା ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯିବାକୁ ଦାବି କରିଥିଲେ। କିନ୍ତୁ ସଦର ଥାନା ପୋଲିସ ଏପର୍ଯ୍ୟନ୍ତ ଆୟୁଷ୍ମାନର ଶବ ମିଳିଥିବା ଘଟଣା ସ୍ଥଳକୁ ଯାଇ ସେଠାକାର ଲୋକମାନଙ୍କୁ ପଚରାଉଚୁରା କରିନଥିବା ବେଳେ ତଦନ୍ତକୁ ଦିଶାହୀନ କରିଦେଇଛି। ତେଣୁ ସେମାନଙ୍କର ଆଉ କେନ୍ଦ୍ରାପଡା ପୋଲିସ ଉପରେ ଭରଷା ଓ ବିଶ୍ୱାସ ରହୁନି। ତେଣୁ ଆୟୁଷ୍ମାନ ହତ୍ୟା ଘଟଣାର ଏକ ନିରପେକ୍ଷ ତଦନ୍ତ ନିମନ୍ତେ ଏହି ଘଟଣାର କ୍ରାଇମବ୍ରାଞ୍ଚସ୍ତରୀୟ ତଦନ୍ତ କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ସୁପାରିଶ କରିବାକୁ ମୃତ ଆୟୁଷ୍ମାନର ମା’ ଲକ୍ଷ୍ମୀପ୍ରିୟା ମହାନ୍ତି, ବାପା ଖଗେଶ୍ୱର ମହାନ୍ତି, ସେବତୀ ମହାନ୍ତି, ସନ୍ଧ୍ୟାରାଣୀ ମହାନ୍ତି, ସବିତା ଦାସ, ବୀରକିଶୋର ମହାନ୍ତି, ସଙ୍କେତ ମହାନ୍ତି, ପାର୍ବତୀ ମହାନ୍ତି, ସ୍ଥିତପ୍ରଜ୍ଞ ମହାନ୍ତି, ଶୃତିକନ୍ୟା ମହାନ୍ତି,ରଶ୍ମୀପ୍ରଭା ମହାନ୍ତି, ସୂର୍ଯ୍ୟନାରାୟଣ ମହାନ୍ତି, ଦିପ୍ତିରାଣୀ ମହାନ୍ତି, ସଂଯୁକ୍ତା ଦାସ, ଭରତଚନ୍ଦ୍ର ଦାସ, କାଞ୍ଚନ ଦାସ, ଜୟନ୍ତୀ ଦାସ, ଭରତ ମଳିକ, ଆଶିଷ କୁମାର ଦାସ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷମାନେ ଭେଟି ଦାବି କରିଛନ୍ତି।