ଦର୍ଶନ
କାଲି ଯାଇଥିଲି
ଶ୍ରୀମନ୍ଦିର ବୁଲି
ଦର୍ଶନ ମିଳିଲା ନାହିଁ,
ପଣ୍ଡାଏ କହିଲେ
ବନକ ଲାଗୁଛି
ଦେଖି ନ ପାରିବେ କେହି ।
କେତେ ଘଣ୍ଟା ଆଉ
ଅପେକ୍ଷା କରନ୍ତି
ଏତେ ଧୈର୍ଯ୍ଯ ମୋର କାହିଁ,
କେତେ ଧୈର୍ଯ୍ଯ ତୋର
ଘଣ୍ଟା ଘଣ୍ଟା ଧରି
ବେଶ ହେଉ ଜଗା ତୁହି ।
କି ବେଶ ହେଉଛ
କେଉଁ ଦରବରେ
ସତେକି ଦୁର୍ଲଭ ତାହା,
ମୁଖମଣ୍ଡଳର
ଶୋଭା ବଢାଇବ
ପଣ୍ଡାଏ କହନ୍ତି ଯାହା ।
ସକଳ ଶୋଭାର
ଯିଏ ସେ ଭଣ୍ଡାର
କି ଶୃଙ୍ଗାର ହେବେ ସିଏ,
ଯାହା ଲଗାଇବ
ତାଙ୍କ ଶ୍ରୀଅଙ୍ଗରେ
ତା ଭିତରେ ଥାନ୍ତି ସିଏ ।
ଏତିକି ବୁଝିଲେ
ସବୁ ସରିଗଲା
ସର୍ବ ସ୍ଥାନେଛନ୍ତି ପୁରି,
ବନକ ଲାଗିରେ
ଆଖି ଧିରେ ବୁଜ
ହୃଦେ ଦେଖ ନ ଯା ପୁରୀ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ


