ଭୂତକୋଠି ପାଲଟିଛି ଅବକାରୀ କାର୍ଯ୍ୟାଳୟ
କଲ୍ୟାଣସିଂହପୁର, (ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ଅବକାରୀ ବିଭାଗରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ବିଭାଗର କାର୍ଯ୍ୟାଳୟ ନାମକୁ ମାତ୍ର ଏକ ଭଡ଼ାଘରେ ଚାଲୁଥିବାରୁ ଲୋକେ କୌଣସି ଅଭିଯୋଗ ପାଇଁ ଖୋଜୁଥିଲେ। ଏବେ ନୂଆ କାର୍ଯ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଅଧିକାରୀ ଅବା କର୍ମଚାରୀଙ୍କ ଦେଖାମିଳୁନି। ଲୋକେ ଅଭିଯୋଗ ପାଇଁ ଅଧିକାରୀଙ୍କୁ ଖୋଜୁଛନ୍ତି। ଲୋକଙ୍କ ଖୋଜାଖୋଜିରେ ବିରାମ ଲାଗିପାରୁନି । ନୂଆ କାର୍ଯ୍ୟାଳୟରେ କେହି ରହୁ ନଥିବାରୁ ଏହା ଭୂତକୋଠିରେ ପରିଣତ ହୋଇଛି। ଆଦିବାସୀ ଅଧ୍ଯୁଷିତ ଏହି ବ୍ଲକରେ ଅବକାରୀ ବିଭାଗ କେଉଁ କାଳରୁ କାର୍ଯ୍ୟ କରି ଆସୁଛି। ପୂର୍ବରୁ ଏଠାରେ ଏକ କାର୍ଯ୍ୟାଳୟ ଥିଲା ଓ ଅଧିକାରୀମାନେ ରହୁଥିଲେ। ତେବେ ପ୍ରାୟ ୧୦ରୁ ୧୨ବର୍ଷ ହେବ କୌଣସି ଅଧିକାରୀ କି କର୍ମଚାରୀ ରହୁନାହାନ୍ତି। ଏକ ଭଡ଼ାଘରେ ନାମକୁ ମାତ୍ର କାର୍ଯ୍ୟାଳୟ ଚାଲୁଥିଲା। ଲୋକେ ଅଭିଯୋଗ କରିବା ପାଇଁ କାର୍ଯ୍ୟାଳୟ ଖୋଜୁଥିଲେ, ଅଧିକାରୀମାନେ ରହୁ ନଥିବାରୁ ଚୋରାମଦ କାରବାର ବେଶ୍ ବୃଦ୍ଧି ପାଇଥିଲା। କାଁ ଭାଁ କେତେବେଳେ କେମିତି ହାତଗୁଞ୍ଜା ନମିଳିଲେ ଚଢଉ
ହେଉଥିଲା, ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ଅବକାରୀ କାର୍ଯ୍ୟାଳୟ ନୂଆକରି ନିର୍ମାଣ କରିଥିଲେ। ତେବେ ତିନିବର୍ଷ ହେବ ଏଠାରେ କାହାରିକୁ ଦେଖିବାକୁ
ମିଳୁନି। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ନୂଆ କାର୍ଯ୍ୟାଳୟ ଭୂତକୋଠିରେ ପରିଣତ ହୋଇଛି, ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଉଛନ୍ତି। କେହି ଜଣେ ବି ରହୁ ନଥିବା ଓ ରକ୍ଷଣାବେକ୍ଷଣ ଅଭାବରୁ ଘରଟି ଭାଙ୍ଗିବା ଅବସ୍ଥାକୁ ଆସିଗଲାଣି। ଅଭିଯୋଗ ପାଇଁ ସାଧାରଣ ଲୋକେ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଖୋଜୁଛନ୍ତି। ମାସମାସ ଧରି ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳୁ ନଥିବାରୁ ଅବକାରୀ ବିଭାଗ ଉପରେ ଲୋକଙ୍କ ବିଶ୍ଵାସ ତୁଟିବାରେ ଲାଗିଛି, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


