ବିନାୟକବଜାର ରାସ୍ତା ଶୋଚନୀୟ: ଯାତାୟତରେ ସମସ୍ୟା ଯୋଗୁଁ ବଢୁଛି ଅସନ୍ତୋଷ

ଆସିକା (ୱାଇଏନ୍‍ଏସ୍‍) ସ୍ୱାୟତ୍ତ ଶାସନ ବ୍ୟବସ୍ଥା ମାଧ୍ୟମରେ ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ଲାଗି ସରକାର ରାଜକୋଷରୁ ବିଭିନ୍ନ ଯୋଜନାରେ ପାଣି ଭଳି ଅର୍ଥ ଖର୍ଚ୍ଚ କରିଚାଲିଥିଲା ବେଳେ ଆସିକା ଏନ୍‍ଏସି ଅଧୀନସ୍ଥ ୧୩ ନମ୍ବର ୱାର୍ଡର ସଦାସର୍ବଦା ବ୍ୟସ୍ତବହୁଳ ବିନାୟକବଜାର ରାସ୍ତାର ଅବସ୍ଥା ଦିନକୁ ଦିନ ଖାଲଖମାରେ ପରିପୂର୍ଣ୍ଣ ହୋଇ ଶୋଚନୀୟ ଅବସ୍ଥାକୁ ଗତି କରୁଥିଲା ବେଳେ ଉକ୍ତ ରାସ୍ତାକୁ ମରାମତି କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଓ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଦୀର୍ଘ ଦିନ ହେଲା ଆସିକା ଏନ୍‍ଏସି ଅଧୀନସ୍ଥ ୧୩ ନମ୍ବର ୱାର୍ଡର କୁମ୍ଭାର ସାହି ଛକ ଠାରୁ ସତ୍ୟନାରାୟଣ ମନ୍ଦିର ସମ୍ମୁଖସ୍ଥ ରାସ୍ତା କେତେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବା ଯୋଗୁଁ ଜନସାଧାରଣଙ୍କ ଯାତାୟତ କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହେଉଛି । ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଉକ୍ତ ବ୍ୟସ୍ତବହୁଳ ବିନାୟକବଜାର ଅଞ୍ଚଳରେ ବିକାଶ ଯେମିତି ଅଦୃଶ୍ୟ ହୋଇଯାଇଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ଅଞ୍ଚଳର ବିଭିନ୍ନ ବିଭାଗର ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ରାଜନେତା ଦୈନିକ ଉକ୍ତ ବ୍ୟସ୍ତବହୁଳ ବିନାୟକବଜାର ରାସ୍ତା ଦେଇ ଯାତାୟତ କରୁଥିଲେ ମଧ୍ୟ ରାସ୍ତାର ଦୂରାବସ୍ଥା ସଂପର୍କରେ ସବୁ ଜାଣି ନୀରବ ରହିବା ଘଟଣା ସଚେତନ ନାଗରିକଙ୍କୁ ବ୍ୟଥିତ କରିପକାଉଥିବା ଦେଖିବାକୁ ମିଳୁଛି । କେବେ ବଦଳିବ ବ୍ୟସ୍ତବହୁଳ ବିନାୟକବଜାର ରାସ୍ତାର ଭାଗ୍ୟ ତାହାକୁ ସାଧାରଣ ଜନତା ଅପେକ୍ଷା କରିବସିଥିବା ଲକ୍ଷ୍ୟ କରାଯାଇଛି । ଗମନାଗମନର ସୁବିଧା ଲାଗି କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରୁଥିଲା ବେଳେ କେଉଁ କାରଣରୁ ବିନାୟକ ବଜାର ରାସ୍ତା ମରାମତି ହୋଇପାରୁନି ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଜଣାପଡିଛି । ଆସିକା ସହରର ବିନାୟକବଜାର ରାସ୍ତାରେ ଦୈନିକ ଭାରିଯାନ ଠାରୁ ଆରମ୍ଭ କରି ଛୋଟବୋଡ ଗାଡି ଚଳାଚଳ କରୁଥିଲା ବେଳେ ରାତିପାହିଲା ମାତ୍ରେ ଶହ ଶହ ଜନତା ଉକ୍ତ ରାସ୍ତା ଉପରେ ନିର୍ଭର କରି ଯାତାୟତ କରିଥାନ୍ତି । ରାଜ୍ୟ ସରକାର ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ବ୍ୟସ୍ତବହୁଳ ବିନାୟକ ବଜାର ରାସ୍ତାକୁ ଆଗାମୀ ବର୍ଷାଋତୁ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ