ପ୍ରକାଶ ପାଇଲା ଯୁକ୍ତ ତିନି କଟ ଅଫ ମାର୍କ: ରେଭେନ୍ସା ଆଗରେ
କଟକ,(ଓ୍ବାଇଏନଏସ): ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ । କଳା ବିଜ୍ଞାନ ବାଣିଜ୍ୟ ବିଭାଗରେ ଟପ ୱାନରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ତେବେ ପ୍ରଥମ ପର୍ଯ୍ୟାୟରେ କେତେ ପିଲା ସ୍ଥାନ ପାଇଛନ୍ତି ଏବଂ କେଉଁ କଲେଜରେ କେତେ ପ୍ରତିଶତ ମାର୍କ କଟ ଅଫ ଯାଇଛି ଜାଣନ୍ତୁ । ରାଜ୍ୟରେ ମୋଟ ଯୁକ୍ତ ତିନିରେ ମଞ୍ଜୁରୀପ୍ରାପ୍ତ ଆସନ ସଂଖ୍ୟା ହେଉଛି ୨ ଲକ୍ଷ ୭୪ ହଜାର ୫୦୯ । ତେବେ ଏଥିରେ ଆବେଦନ କରିଥିବା ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ ଲକ୍ଷ ୬୫ ହଜାର ୫୯୦ । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ମନୋନୀତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୭୨୨ । ଏହାରି ମଧ୍ୟରେ ମୋଟ ୭୦ ହଜାର ୭୪୫ ଛାତ୍ର ମନୋନୀତ ହୋଇଥିବା ବେଳେ ମୋଟ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୯୬୭ ଜଣ । ସେହିପରି ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଟ୍ରାନ୍ସଜେଣ୍ଡର ଚୟନ ହୋଇଛନ୍ତି । “ଫ୍ରିଜ୍” ବିକଳ୍ପ ବାଛିଥିବା ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମାପ୍ତ କରିବା ପାଇଁ ଚଳିତ ମାସ ୧୩ ତାରିଖ ରହିଛି । ଏହା ସହିତ ୧୬ ତାରିଖ ଏବଂ ୧୭ ତାରିଖ ସକାଳ ୧୦ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମନୋନୀତ ଛାତ୍ର ଛାତ୍ରୀ ମାନେ ନାମ ଲେଖାଇ ପାରିବେ ।