ଏସସିବିରେ ସଫଳ ହେଲା କିଡନୀ ପ୍ରତିରୋପଣ
କଟକ,(ଓ୍ବାଇଏନଏସ): ଏସସିବି ମେଡିକାଲରେ ସଫଳ ହେଲା କାଡ଼ାଭରିକ କିଡନୀ ପ୍ରତିରୋପଣ । ଅଙ୍ଗଦାନ କରି ଅମର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଖୋର୍ଦ୍ଧା ଅଞ୍ଚଳର ସୌମ୍ୟରଞ୍ଜନ ବେହେରା । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଏସସିବି ମେଡିକାଲରେ କାଡ଼ାଭରିକ ଟ୍ରାନ୍ସପ୍ଲାଣ୍ଟ ବା କିଡ୍ନୀ ପ୍ରତିରୋପଣ ସଫଳ ହେବା ପରେ ନୂଆ ଜୀବନ ପାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷ୍ମୀନାରାୟଣ ପତି । ସେ ଦୀର୍ଘ ଦିନ ହେବ କିଡନୀ ରୋଗରେ ପୀଡ଼ିତ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ସୌମ୍ୟରଞ୍ଜନଙ୍କ ବ୍ରେନଷ୍ଟ୍ରୋକ ହୋଇଥିବା କାରଣରୁ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କର ଚିକିତ୍ସା ସମୟରେ ବ୍ରେନ ଡେଡ୍ ହୋଇଥିବା ଡାକ୍ତର ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଏହାପରେ ପରିବାର ଲୋକଙ୍କ ସହ ମତିକ୍ରମେ ସୌମ୍ୟରଞ୍ଜନ କିଡ଼ନୀ ଦାନ କରିବା ପାଇଁ ସ୍ଥିର ହୋଇଥିଲା । ସୋଟୋ ଓଡ଼ିଶା ପକ୍ଷରୁ ଯୋଗାଯୋଗ ପରେ ଏସସିବିର ଡାକ୍ତରୀ ଦଳ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଜରିଆରେ କିମ୍ସରେ ପହଞ୍ଚି କିଡ଼ନୀ ଆଣି ଏସସିବି ମେଡିକାଲ ନେଫ୍ରୋଲୋଜି ବିଭାଗରେ ଦୀର୍ଘ ୧୩ ବର୍ଷ ଧରି ଡାଏଲିସିସ ହେଉଥିବା ଲକ୍ଷ୍ମୀନାରାୟଣ ପତିଙ୍କ ଶରୀରରେ ପ୍ରତିରୋପଣ କରା ଯାଇଥିଲା ।ମେଡିକାଲର ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଅରୁଣା ଆଚାର୍ଯ୍ୟ, ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସମୀର ସ୍ବାଇଁ, ଡା. ସଞ୍ଜୟ ଚୌଧୁରୀ, ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିରୋପଣକୁ ସଫଳ ରୂପ ଦେଇଥିଲେ । ଅନ୍ୟପଟେ କିଡନୀ ପାଇ ନୂଆ ଜୀବନ ପାଇଥିବା ଲକ୍ଷ୍ମୀନାରାୟଣଙ୍କ ପରିବାର ଏହି ଅପରେସନକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି । ତାଙ୍କ ବଡ଼ ଭଉଣୀ ଶୈଳବାଳା ପତି କହିଛନ୍ତି,” ଦୀର୍ଘ ଦିନ ହେବ ମୋ ଭାଇ ଲକ୍ଷ୍ମୀନାରାୟଣ ପତି କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କ ପାଇଁ କିଡନୀ ଖୋଜା ଜାରି ରହିଥିବା ବେଳେ ଗତକାଲି ତାଙ୍କର କିଡନୀ ପ୍ରତିରୋପଣ ସଫଳ ହୋଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ସହଯୋଗରେ ଭାଇ ନୂଆ ଜୀବନ ପାଇଛନ୍ତି ।”