ସମୂହ ଛୁଟିରେ ଯିବେ ରାଜସ୍ବ ଅମଲା
ହାଟଡିହି, ୧୦/୮: ବିଭିନ୍ନ ଦାବି ନେଇ ରାଜସ୍ବ ଅମଲାମାନେ ସୋମବାରଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯାଉଛନ୍ତି। ହାଟଡିହି ବ୍ଲକ୍ କାର୍ଯ୍ୟାଳୟ, ତହସିଲ, ଆଇସିଡିଏସ୍ ଅଫିସ ଭଳି କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ରାଜସ୍ଵ ଅମଲାମାନେ କାର୍ଯ୍ୟରେ ଯୋଗଦେବେନି। ଏହି ପରିପ୍ରେକ୍ଷୀରେ ରାଜସ୍ଵ ଅମଲା ସଂଘ ପକ୍ଷରୁ ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ସହ ସମୂହ ଛୁଟି ପାଇଁ ନିଜ ନିଜର ବିଭାଗୀୟ ଅଧିକାରୀଙ୍କୁ ଆବେଦନ କରିଥିବା ଜଣାଯାଇଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ସଂଘ ପକ୍ଷରୁ କୁହା ଯାଇଛି। ସୂଚନାନୁସାରେ, ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ୧୦ ଦଫା ଦାବି ପୂରଣ କରିବା ପାଇଁ ସରକାରଙ୍କୁ ବାରମ୍ବାର ଗୁହାରି କରାଯାଇଛି। ଗତ ଜୁଲାଇ ୯ ତାରିଖରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜସ୍ବ ଅମଲା ସଂଘର କର୍ମକର୍ତମାନେ ଆଲୋଚନା କରି ୭ ରୁ ୧୫ ଦିନ ଭିତରେ ଦାବିଗୁଡ଼ିକୁ ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିପାଇଁ ରାଜସ୍ବ ଅମଲାମାନଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଦାବିଗୁଡ଼ିକୁ ପୂରଣ କରାଗଲା ନାହିଁ। ଏହାକୁ ନେଇ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ମୂଳ ଦରମା ଓଆର୍ଏସ୍ପି-୨୦୧୭ ନିୟମ ଅନୁଯାଇ ଲେବେଲ୍-୯କୁ ବୃଦ୍ଧି କରିବା, ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ସଂକଳ୍ପ ପତ୍ର ଅନୁଯାୟୀ ନୂତନ ପଦବି ସୃଷ୍ଟି ଓ ପଦବି ପୁନର୍ଗଠନ, କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ, ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତରେ ନିଯୁକ୍ତି ପ୍ରଦାନ, ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି ରଖାଯାଇଥିବା ସଙ୍ଘ ପକ୍ଷରୁ କୁହା ଯାଇଛି। ଅମଲା ସଂଘର ଆନ୍ଦୋଳନ ଚାଲିଲେ ସରକାରୀ କାର୍ଯ୍ୟ ସମ୍ପାଦନରେ ନାନା ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି।


