ଚାଷୀ ପଞ୍ଜୀକରଣରେ ବ୍ୟାପକ ଅନିୟମିତତା: ଜିଲାପାଳଙ୍କ ଠାରେ ଅଭିଯୋଗ କଲେ ଚାଷୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ସରମରା ସେବା ସମବାୟ ସମିତିରେ ଗତ ଖରିଫ ଓ ରବି ଚାଷ ଏବଂ ୨୦୨୫-୨୬ ଖରିଫ ଋତୁରେ ଚାଷୀ ପଞ୍ଜୀକରଣରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ଟିଲୋ ପଞ୍ଚାୟତ ଦେବତାଗଢିଆ ଗ୍ରାମର ଚାଷୀ ଅକ୍ଷୟ କୁମାର ସେଠୀ ଆଜି ଭଦ୍ରକ ଜିଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ଖରିଫ ଏବଂ ରବି ଋତୁରେ ଚାଷୀ ପଞ୍ଜୀକରଣ ଓ ମଣ୍ଡିରେ ଧାନ କ୍ରୟ ଏବଂ ୨୦୨୫-୨୬ ଖରିଫ ଋତୁରେ ଚାଷୀ ପଞ୍ଜୀକରଣ ସମୟରେ ସମ୍ପୃକ୍ତ ସମବାୟ ସମିତିର ସମ୍ପାଦକ ଓ ଡିଇଓ ମିଳିତ ଭାବରେ ଅନ୍ୟ ଜିଲାର ଜମିକୁ ଏହି ସମିତିରେ ପଞ୍ଜୀକରଣ କରିବା, ଜମି ନଥିବା ବ୍ୟକ୍ତିଙ୍କ ନାମରେ ଅନ୍ୟ ଚାଷୀଙ୍କ ଜମିକୁ ଆଣି ପଞ୍ଜୀକରଣ କରି ଲକ୍ଷ ଲକ୍ଷ ସରକାରୀ ଟଙ୍କାକୁ ଆତ୍ମସାତ୍ କରିଛନ୍ତି । ସେହିପରି ମଣ୍ଡିରୁ ଧାନ ନକିଣି ଅସାଧୁ ବ୍ୟବସାୟୀଙ୍କ ମାଧ୍ୟମରେ ମିଲରେ ଧାନ ପକାଇବା ନେଇ ସେ ଅଭିଯୋଗ କରିଛନ୍ତି । ଏଥିନେଇ ସେ ପୂର୍ବରୁ ୭ ଥର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ । ଏସମ୍ପର୍କରେ ଜିଲାପାଳ ଡିଆରସିଏସ ଏବଂ ଏଆରସିଏସ ଭଦ୍ରକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା ମଧ୍ୟରେ ବହୁଦିନ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ତଦନ୍ତ କରାଯାଇନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗରେ ଦର୍ଶାଯାଇଛି । ଆଗାମୀ ୭ ଦିନ ମଧ୍ୟରେ ଏସମ୍ପର୍କରେ ବିଦ୍ଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ଆମରଣ ଅନଶନ କରିବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଉପରୋକ୍ତ ଅଭିଯୋଗ ନେଇ ଭଦ୍ରକ ଡିଆରସିଏସ ଦୁଖିଆ ଟୁଡୁ କହନ୍ତି, ଅଫିସିଆଲି ତଦନ୍ତରେ ସେପରି କିଛି ଅନିୟମିତତା ଦେଖାଯାଉନାହିଁ । ଆସନ୍ତା ୯ ତାରିଖରେ କ୍ଷେତ୍ରୀୟ ତଦନ୍ତ କରିବି । ଅନିୟମିତତା ହୋଇଥିଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ।