କାର୍ତ୍ତିକ ବ୍ରତ ଓ ରାଇ ଦାମୋଦର ପୂଜା

ସନ୍ତୋଷ କୁମାର ଦାଶ

କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ ।ପାରମ୍ପରିକ ପ୍ରଥାନୁସାରେ ବ୍ରାହ୍ମଣ ପରିବାରର ବିଧବା ମହିଳା ଓ କାର୍ତ୍ତିକ ବ୍ରତଧାରୀ ମହିଳା ମାନେ ଚଉରା ମୂଳରେ ଆରମ୍ଭ କରିଛନ୍ତି ରାଇ ଦାମୋଦର ପୂଜା। ଅନେକ ଧର୍ମ ପରାୟଣ ଶ୍ରଦ୍ଧାଳୁ ପରିବାର ପାଳନ କରିଛନ୍ତି କାର୍ତ୍ତିକ ବ୍ରତ। ବିଧବା ମହିଳା ମାନେ ପ୍ରାତଃ ରୁ ସ୍ନାନ କରି ପୁରୋହିତ ବ୍ରାହ୍ମଣ ଙ୍କ ପାଖରେ ପାଣି ଟେକି ସଂକଳ୍ପ କରିଥିଲେ। ଯେତେ ଦୁଃଖ, ବାଧା ବିଘ୍ନ ଆସିଲେ ବି ସେମାନେ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ରଖି ରାଇ ଦାମୋଦର ପୂଜା କରିବେ। ନଦୀ, ପୋଖରୀ ଅଥବା ଚଉରା ମୂଳରେ ବିଧବା ମହିଳା ମାନେ ବାଲୁକା ଲିଙ୍ଗ ସ୍ଥାପି ପ୍ରଥମେ ପୂଜା କରିବା ପରେ ଚଉରା ମୂଳରେ ଏକାଠି ହୋଇ ପଞ୍ଚ ମୁରୁଜ ରେ ରାଇ ଦାମୋଦର ମୂର୍ତ୍ତି ଆଙ୍କିଥାନ୍ତି। ଲିଆ,ଉଖୁଡା,ନଡ଼ିଆ, କଦଳୀ ଓ ବିଭିନ୍ନ ଫଳ ମୂଳ କୁ ଏକତ୍ର ଚକଟି ସେହି ଭୋଗ କୁ ରାଇ ଦାମୋଦର ଓ ବୃନ୍ଦାବତୀ ଙ୍କୁ ଲାଗି କରିବା ସହିତ ସମସ୍ତେ ଏକତ୍ର ବନ୍ଦାପନା କରିଥାନ୍ତି। ଚଉରା ମୂଳରେ କଉଡ଼ି ଖେଳ ଓ ଦହି ଗୋଳାଇବା କାର୍ଯ୍ୟ କରି ରାଇ ଦାମୋଦର ଙ୍କ ସ୍ମୃତି ଚାରଣ କରି ଥାନ୍ତି। ଶେଷରେ ବ୍ରାହ୍ମଣ ଙ୍କ ନିକଟରେ ବସି ସମସ୍ତେ କାର୍ତ୍ତିକ ପୁରାଣ ଶ୍ରବଣ କରିଥାନ୍ତି। ସଂଧ୍ୟା ରେ ଚଉରା ମୂଳରେ ଆକାଶ ଦୀପ ଜାଳି ପୂଜା କରିଥାନ୍ତି। ଏହି ବ୍ରତ ମାସ ସାରା ଚାଲି କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପନ ହୋଇଥାଏ। ମାସ ସାରା ବ୍ରତଧାରୀ ମହିଳା ଓ ବିଧବା ମହିଳା ମାନେ ନିଜେ ହବିଷାନ୍ନ ରାନ୍ଧି ରାଇ ଦାମୋଦର ଙ୍କୁ ଉତ୍ସର୍ଗ କରିବା ପରେ
ଭୋଜନ କରିଥାନ୍ତି। ଏହି ହବିଷାନ୍ନ ରେ ସବୁ ପନିପରିବା ପଡ଼ିନଥାଏ। ପୁରୀ ଶ୍ରୀ ମନ୍ଦିର ର ଅଭଡ଼ା ପ୍ରସ୍ତୁତି ରେ ଯେଉଁ ସବୁ ପନିପରିବା ବ୍ୟବହାର ହୋଇଥାଏ ସେହି ପନି ପରିବା ହବିଷାନ୍ନ ରେ ବ୍ୟବହୃତ ହୋଇଥାଏ। ରାଇ ଦାମୋଦର ପୂଜା କୁ ରାଧା ଦାମୋଦର ପୂଜା ମଧ୍ୟ କୁହା ଯାଇଥାଏ। ଶ୍ରୀ ରାଧାମଣୀ ଏହି ବ୍ରତ କରି ନିଜ ଜୀବନ କୁ ଶ୍ରୀ ଜଗନ୍ନାଥ ଙ୍କୁ ସମର୍ପଣ କରି ଦେଇଥିଲେ ଓ ମୃତ୍ୟୁ ପରେ ବୈକୁଣ୍ଠପୁର କୁ ଯାଇ ଥିଲେ ବୋଲି ବିଶ୍ୱାସ ରହିଛି। ଏଣୁ ନିଜ ନିଜ ସ୍ୱାମୀ ମାନଙ୍କୁ ହରାଇ ଥିବା ବିଧବା ମହିଳା ମାନେ ଏହି ବ୍ରତ ପାଳନ କରି ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ନିଜ ଅବଶିଷ୍ଟ ଜୀବନ କୁ ଉତ୍ସର୍ଗ କରି ଦେଇଥାନ୍ତି। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ବିଧବା ମହିଳା ମାନେ ପାଳନ କରୁଥିବା ରାଇ ଦାମୋଦର ବ୍ରତ ଏକ ଅନନ୍ୟ ପରମ୍ପରା ଭାବେ ପାଳିତ ହୋଇଆସୁଛି କାହିଁ କେତେ କାଳରୁ। ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ରାଇ ଦାମୋଦର।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ