ବ୍ରାହ୍ମଣପାଳରେ ବିରାଜିତ ହୋଇଛନ୍ତି ମା’ ଦକ୍ଷିଣକାଳୀ
ଆରଡ଼ି , ( ଆଲୋକ ଚନ୍ଦ୍ର ନାୟକ ): : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଭଟ୍ଟସାହି ପଞ୍ଚାୟତର ବ୍ରାହ୍ମଣପାଳରେ ରହିଛି ମା’ଦକ୍ଷୀଣ କାଳୀଙ୍କର ପୀଠ । ୧୫୩୯ ମହିହା ଠାରୁ ଏଠାରେ ମା’ ବିରାଜମାନ କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ଏଠାରେ ମା’ଙ୍କର ପୂଜା ଆଠ ଦିନ ଧରି ପାଳିତ ହେବ । ସୋମବାର ରାତ୍ରିରେ ଏଠାରେ ଘଟ ଉତ୍ତୋଳନ କରାଯାଇ ମା’ଙ୍କର ପୂଜାର ଅୟମାରମ୍ଭ ହୋଇଛି । ମଙ୍ଗଳବାର ଠାରୁ ସୋମବାର ପର୍ଯ୍ୟନ୍ତ ଏଠାରେ ମା’ଙ୍କର ଚଣ୍ଡୀପାଠ, ଯଜ୍ଞ, ଘୃତାହୁତି, ଷୋଡଶ ଉପଚାର ପୂଜା ବିଧି ଅନୁସାରେ ଅନୁଷ୍ଠିତ ହେବ । ପୂଜା କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୀଠ ଚତୁପାର୍ଶ୍ବରେ ଉଠା ଦୋକାନୀ ସେମାନଙ୍କ ସାମଗ୍ରୀ ବିକ୍ରି ଆରମ୍ଭ କରିଦେଲେଣି । ମଙ୍ଗଳବାର ସକାଳ ଠାରୁ ଭକ୍ତମାନଙ୍କର ଭିଡ ଜମିଲାଣି । ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ଦେବୀ ମା’ ଦକ୍ଷୀଣ କାଳୀଙ୍କ ମହିମା ଅପାର । ଡାକିଲେ ସେ ଜବାବ ଦିଅନ୍ତି । କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ ଯାଜପୁର ଜିଲା, ବାଲେଶ୍ବର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାରୁ ହକାର ହଜାର ଶ୍ରଦ୍ଧାଳୁ ଏହି ପୀଠକୁ ଛୁଟି ଆସନ୍ତି । ସମସ୍ତଙ୍କ ମୁହଁରେ ମା’ ଙ୍କର ମହିମା ଶୁଣିବାକୁ ମିଳେ, ଯାହାକି ଅବର୍ଣ୍ଣନୀୟ । ବିପଦରେ ପଣତକାନୀ ଘୋଡାଇ ଦିଅନ୍ତି ମା’ । ଦୁର୍ଦ୍ଦିନରେ ଅଭୟର ହାତ ସେ ବଢାଇ ଦିଅନ୍ତି । ମନସ୍କାମନା ପୂର୍ଣ୍ଣ ହେବାରୁ ସୁଦୂର ଅଞ୍ଚଳର ଜଣେ ଭକ୍ତ ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ମୂଲ୍ୟର ଏକ ଚାନ୍ଦି ନିର୍ମିତ ମୁକୁଟ ପ୍ରଦାନ କରିଛନ୍ତି, ଯାହାକି ଏବେ ଝଟଝଟ ହୋଇ ଚମକୁଛି । ମା’ଙ୍କର ଆବିର୍ଭାବ ବିଷୟରେ ବହୁ କିମ୍ବଦନ୍ତି ରହିଛି । ମା’ ଙ୍କର ଏବେକାର ମୁଖ୍ୟ ପୂଜକ ନିଜ ପୂର୍ବ ପୁରୁଷଙ୍କ ନିସୃତ ବାଣୀକୁ ମନେ ରଖିଥିବା କଥା କହନ୍ତି । ଷୋଡଶ ଶତାବ୍ଦୀର ମଧ୍ୟ ଭାଗରେ ଯାଜପୁର ଅଞ୍ଚଳର ଜଣେ ଜମିଦାର ଜଣେ ଭାରୁଆଙ୍କ ସାହାଯ୍ୟରେ ସ୍ବର୍ଣ୍ଣମୁଦ୍ରା ନେଇ ନିଜ ବାସସ୍ଥାନକୁ ଆସୁଥିଲେ । ବାଟରେ ଚୋର କିମ୍ବା ଡକାୟତଙ୍କ ହାବୁଡରୁ ରକ୍ଷା ପାଇବା ନିମନ୍ତେ କଲିକତାରେ ପୂଜା ପାଉଥିବା ମା’ କାଳୀଙ୍କୁ ପ୍ରାର୍ଥନା କରିଥିଲେ । ମା’ ସେହି ଜମିଦାରଙ୍କୁ ସ୍ବପ୍ନରେ କହିଥିଲେ କିଛି ଭୟ କରିବାର ନାହିଁ । ତୁମ ପଛେପଛେ ମୁଁ ଯିବି । ଆଉ ମନେରଖ ମୋର ନୁପୁର ଶବ୍ଦ ଶୁଣି ତୁମେ ବାଟ ଚାଲୁଥିବ । କେବେବି ପଛକୁ ଚାହିଁବ ନାହିଁ । ସତକୁ ସତ ବାଟରେ ଗଲାବେଳେ ନୂପୁରର ରୁଣୁଝୁଣ୍ ଶବ୍ଦ ଶୁଭିବାକୁ ଲାଗିଲା । ଆନନ୍ଦ ମନରେ ଜମିଦାର ଓ ଭାରୁଆ ଆଗକୁ ଚାଲୁଥା’ନ୍ତି । ହଠାତ ଏବେକାର ପୂଜା ସ୍ଥାନରେ ନୂପୁର ଶବ୍ଦ ଆଉ ଶୁଭିଲା ନାହିଁ । ଜମିଦାର କିଛି ଆଶଙ୍କା କରି ପଛକୁ ଚାହିଁଦେଲେ । ହଠାତ ଶୂନ୍ୟବାଣୀ ହେଲା । ରାତି ପାହିଲେ ଯାହା ଦେଖିବ ତାକୁ ଏହିଠାରେ ରଖି ପୂଜା କରିବ । ଜମିଦାର ଉକ୍ତ ସ୍ଥାନରେ ଏକ ବାଉଁଶ ପୋତି । ନିଜ ଘରକୁ ଗଲେ । ଧର୍ମପତ୍ନୀଙ୍କୁ ସମସ୍ତ କଥା କହିଲେ । ଉଭୟ ପରଦିନ ସେଠାକୁ ଆସି ମା’ଙ୍କର ଏକ ବିଗ୍ରହ ପଡିଥିବା ଦେଖିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ପୂଜା ହୋଇ ଆସୁଛି । ଏମାନେ କହନ୍ତି – ୧. ସିଦ୍ଧାର୍ଥ ଶଙ୍କର ମିଶ୍ର, ସ୍ଥାନୀୟ ବାସିନ୍ଦା – ଏଠାରେ ବିଜେ କରିଥିବା ମା’କାଳୀ ଉଭୟ ବୈଷ୍ଣବ ଓ ଶାକ୍ତ ସମ୍ପ୍ରଦାୟଙ୍କ ଆରାଧ୍ୟ ଦେବୀ । ପ୍ରତିଦିନ ମା’ଙ୍କ ପାଖରେ ଖଜା, ଜିଲାପି, ପୁରି, କାକରା ଭୋଗ ହୋଇଥାଏ । ପ୍ରତି ଅମାବାସ୍ୟାରେ ଏଠାରେ ଆମିଷ ଭୋଗ ଦିଆଯାଏ । ଚିଙ୍ଗୁଡି ମା’ଙ୍କର ପ୍ରିୟ ଖାଦ୍ୟ। ୨. ମାନସ ରଞ୍ଜନ ନାୟକ, ସଭାପତି,ଦକ୍ଷିଣକାଳୀ ପୂଜା କମିଟି – ମା’ ଦକ୍ଷୀଣ କାଳୀ ହେଉଛନ୍ତି ଭକ୍ତ ବତ୍ସଳା । ମା’ ସିନା ଏଠାରେ ଭୈରବୀ ରୂପ ଧାରଣ କରିଛନ୍ତି , ପ୍ରକୃତରେ ମା’ ଶାନ୍ତ ଓ ସରଳା । ମା’ ବାଳିକା ରୂପ ଧାରଣ କରି ଖରାବେଳେ ଏଠାରେ ପିଲାଙ୍କ ପରି ଖେଳନ୍ତି । ୩. ହେମନ୍ତ କୁମାର ସୁତାର, ସମ୍ପାଦକ, ଦକ୍ଷିଣକାଳୀ ପୂଜା କମିଟି – ମା’ ଦକ୍ଷୀଣ କାଳୀ ଆମ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ । ସେ ମାନବୀ ପରି ଶଙ୍ଖାରୀଙ୍କୁ ଶଙ୍କା ସିନ୍ଦୁର ମାଗନ୍ତି । ଅଞ୍ଚଳ ପାଇଁ ସେ ରକ୍ଷାକର୍ତ୍ତୀ । ବିପଦ ପଡିବା ଆଗରୁ ସେ ସତର୍କ କରି ଦିଅନ୍ତି । ୪. ହରିହର ବେହେରା, ଅନୁଷ୍ଠାନ କୋଷାଧ୍ଯକ୍ଷ – ପ୍ରତିଦିନ ଗଭୀର ରାତିରେ ଏଠାରେ ଶଙ୍ଖାର ଝମଝମ ଶବ୍ଦ ଶୁଣାଯାଏ । ଏଥି ସହିତ ଝୁଣା ଓ ଧୂପର ସୁଗନ୍ଧ ମଧ୍ୟ ମହକି ଆସେ । ପ୍ରତ୍ୟକ୍ଷ ଦେବୀ ମା’ କାଳୀ ଅଭୟ ଦାୟିନୀ ଓ ଶକ୍ତି ପ୍ରଦାୟିନୀ ଅଟନ୍ତି । ୫. ସନ୍ତୋଷ କୁମାର ପଣ୍ଡା , ମୁଖ୍ୟ ପୂଜକ – ମା’ ଙ୍କର ବିଗ୍ରହ ପ୍ରତିଷ୍ଠା ସମୟରେ କାରିଗର ଏଠାରେ ପୂଜା ପାଉଥିବା ୩ ଗୋଟି ବ୍ରହ୍ମକୁ ମା’ଙ୍କ ବକ୍ଷ ଓ ୨ ଭୂଜରେ ସ୍ଥାପନ କରାଯାଏ ଓ ମା’ ଜୀବନ୍ତ ଦେଖା ଯାଆନ୍ତି । ବିସର୍ଜନ ପରେ ବିଗ୍ରହର ତେଜ କମିଯାଇଥାଏ । ମା’ ଏ ଅଞ୍ଚଳ ବାସୀଙ୍କୁ ଅଭୟ ବର ଦେଇଛନ୍ତି ।