ଗୁହାରୀ ଶୁଣିଲେ ସରକାର: ଜାନକୀଙ୍କୁ ମିଳିଲା ଆବାସ ଗୃହ

ହାଟଡିହି(ଓ୍ବାଇଏନଏସ):  ବିଳମ୍ବରେ ହେଉ ପଛେ ସରକାର ଶୁଣିଛନ୍ତି ଜାନକୀଙ୍କ ଦୁଃଖ। ଅନ୍ତୋର୍ଦୟ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେଇଛନ୍ତି। ଆଉ ତାଙ୍କୁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ିବନି କି ଖୋଲା ଆକାଶ ତଳେ ମଶାରୀ ଟାଙ୍ଗି ଶୋଇବାକୁ ପଡ଼ିବନି। ଯାହାକୁ ନେଇ ସେ ଓ ଗ୍ରାମର ସାହି ପଡିଶା ମାନେ ଖୁସି ବ୍ୟକ୍ତ କରିଛନ୍ତି। ଶାଳଣିଆ ଗ୍ରାମର ଜାନକୀ ରଣା। ସ୍ୱାମୀ ଜଟାଧାରୀ ରଣା,  ଗତ କରୋନା ସମୟରେ ମୃତ୍ୟୁବରଣ କରିବା ପରେ  ଜାନକୀ ଅସହାୟ ହୋଇ ପଡ଼ିଥିଲେ। ପୁଅ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ଆଉ ଫେରି ନାହିଁ। ଏପରି ଅବସ୍ଥାରେ ଘରେ ଖାଇବାକୁ ନଥିବା ବେଳେ ଚାଳଘର ଖଣ୍ଡିକ ଛପର କରି ନପାରିବାରୁ ଭାଙ୍ଗି ରୁଜି ଯାଇଥିଲା। ଅଧିକାଂଶ ସମୟ ଖୋଲା ଆକାଶ ତଳେ ମଶୁରି ଟାଙ୍ଗି ତା ଭିତରେ ରାତି ବିତାଉ ଥିଲେ ତ ଆଉ କେତେବେଳେ ବର୍ଷା ହେଲେ ପର ବାରଣ୍ଡାରେ ରାତି କାଟୁଥିଲେ। ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ବି ତତ୍କାଳୀନ ପ୍ରଶାସନିଜ ଅଧିକାରୀ ମାନେ କେବଳ ପ୍ରତିଶୃତି ଦେଇ ଭୁଲି ଯାଇଥିଲେ। ସେହି ସମୟରେ ବ୍ଲକରେ ହଜାର ହଜାର ଆବାସ ଯୋଜନା ଗୃହ ବଣ୍ଟନ କରାଯାଇ ଥିଲେ ବି ଜାନକୀ ଙ୍କୁ ସେଥିରୁ ବାଦ ଦିଆ ଯାଇଥିଲା। ଗତ ଏପ୍ରିଲ ମାସରେ ଏନେଇ ‘ଜାନକୀ ଙ୍କୁ ଭୁଲିଗଲା କି ପ୍ରଶାସନ’ ଖବର ପ୍ରକାଶ ପାଇବା ପରେ ବର୍ତମାନର ବିଡ଼ିଓ ରଞ୍ଜନ କୁମାର ପରିଡା ସଙ୍ଗେ ସଙ୍ଗେ ଏହାର ଅନୁଧ୍ୟାନ କରାଇ ଅନ୍ତୋର୍ଦୟ ଯୋଜନାରେ ଘର ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ। ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଆଲୋକ କୁମାର ନାୟକ ସଙ୍ଗେ ସଙ୍ଗେ ତାଙ୍କର କାଗଜପତ୍ର ମଗାଇ ନାମ ପଞ୍ଜିକୃତ କରିବା ପରେ ଏବେ ତାଙ୍କ ଏକାଉଣ୍ଟ କୁ ଘର ତିଆରି କରିବା ପାଇଁ ପ୍ରଥମ କିସ୍ତି ବାବଦକୁ ଚାଳିଶ ହଜାର ଟଙ୍କା ଦିଆ ଯାଇଛି। ଯାହାକୁ ନେଇ ଜାନକୀ ଖୁସି ବ୍ୟକ୍ତ କରିବା ସହ ଅବଶିଷ୍ଟ ଜୀବନ ନିଜଘରେ କଟିବ ବୋଲି କହିଛନ୍ତି। କାର୍ଯ୍ୟାଦେଶ ମିଳିବା ପରେ ନୂତନ ଘର ନିର୍ମାଣ ପାଇଁ ଏବେ ପୁରୁଣା ଭଙ୍ଗା ଘରର କାନ୍ଥ ଭାଙ୍ଗି ସମତୁଲ କରୁଛନ୍ତି।  ଗ୍ରାମର ସମାଜସେବୀ ବିପିନି କୁଅଁର, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର କୁମାର ବିଶ୍ୱାଳ, ସୁରେନ୍ଦ୍ର ରଣା, ପ୍ରମିଳା ରଣା, ସୁବାସ ରଣା ପ୍ରମୁଖ ଖୁସି ବ୍ୟକ୍ତ କରିବା ଅସହାୟ ଜାନକୀଙ୍କୁ ଘର ଯୋଗାଇ ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିବାରୁ ସେମାନେ ଧନ୍ୟବାଦର୍ଦାହ ବୋଲି କହିଛନ୍ତି।  ବିଡ଼ିଓ ରଞ୍ଜନ କୁମାର ପରିଡା କହିଛନ୍ତି ଯେ ମୁଁ ଏବାବଦରେ ଗଣ ମଧ୍ୟମରୁ ଜାଣିବା ପରେ ତୁରନ୍ତ ଘର ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲି। ଖାଲି ଜାନକୀ ନୁହନ୍ତି ଅନ୍ୟ କେହି ଯଦି ଏପରି ନିରାଶ୍ରୟ ଲୋକ ଅଛନ୍ତି ତେବେ ଆମ ଦୃଷ୍ଟିକୁ ଆଣନ୍ତୁ, ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ କରିବୁ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ