ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଶିଶୁ ଦିବସରେ ଆଇନ ପାଠ ପଢିଲେ ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ଭିନ୍ନ ଧରଣର ଶିଶୁ ଦିବସ ପାଳିତ ହୋଇଯାଇଛି. ଯେଉଁ ଶିଶୁ ଦିବସରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆଇନର ପାଠ ପଢା ଯାଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ତେଣୁ ଏକ ସଚେତନ ନାଗରିକ ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ପାରଳାଖେମୁଣ୍ଡିସ୍ଥିତ ବେତାଗୁଡାର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭିନ୍ନ ଧରଣର ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ନିୟମ, ଶିଶୁ ଶ୍ରମ, ସାଇବର ଅପରାଧ ଏବଂ ଶିଶୁଙ୍କ ବିଭିନ୍ନ ଅଧିକାର ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ ତଥା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଅଶ୍ବିନୀ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ହୋଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବା ସହ ଭବିଷ୍ୟତରେ ଏକ ସୁନାଗରିକ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ। ସର୍ବଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ପଣ୍ଡା ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।


