ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ କଳାବ୍ୟାଜ୍‍ ପରିଧାନ

ଆସିକା (ୱାଇଏନ୍‍ଏସ୍‍) : ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ଓଡିଶାର ଆହ୍ୱାନକ୍ରମେ ୧୩ ଦଫା ଦାବୀ ପୂରଣ ଲାଗି ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଭାବେ ସଂଘର କାର୍ଯ୍ୟକର୍ତ୍ତାମାନେ କଳାବ୍ୟାଜ୍‍ ପରିଧାନ କାର୍ଯ୍ୟକ୍ରମ ଜାରି ରଖିଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଓ କର୍ମଚାରୀମାନେ ରାଜ୍ୟ ସଂଘର ନିଷ୍ପତିକୁ ସମ୍ମାନ ଜଣାଇ ଏହି କଳାବ୍ୟାଜ ପରିଧାନ କାର୍ଯ୍ୟକ୍ରମରେ ସାମିଲ୍‍ ହୋଇ ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏନ୍‍ଏମ୍‍ଏମ୍‍ଏସ୍‍ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ପ୍ରଦାନ ସାଙ୍ଗକୁ ନିଟ୍‍ ଓ ଜେଇଇ ପରୀକ୍ଷାରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ଓଡିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଓ ୟୁନିଫର୍ମ କ୍ୟାଡର୍‍ ମାନ୍ୟତା ପ୍ରଦାନ, ଶାରୀରିକ ଶିକ୍ଷା, ସଙ୍ଗୀତ ଓ କମ୍ପ୍ୟୁଟର ଶିକ୍ଷକମାନଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଟଙ୍କା ଗ୍ରେଡ୍‍ ପେ ପ୍ରଦାନ କରିବା, ପ୍ରତ୍ୟେକ ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ଭଳି ଆର୍ଟସ୍‍ ଷ୍ଟ୍ରିମ୍‍ ଖୋଲିବା ସହ ଓଡିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ଆର୍ଟ ଶିକ୍ଷକମାନଙ୍କ ପାଇଁ ଟିଜିଟି ଭିଜୁଆଲ୍‍ ଆର୍ଟ ମାନ୍ୟତା ଦେବା, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ (ପ୍ରିନ୍‍ସିପାଲ୍‍) ମାନଙ୍କ ଗ୍ରେଡ୍‍ ପେ ସମସ୍ୟାର ସମାଧାନ କରିବା ଏବଂ ଓଏଭି କର୍ମଚାରୀମାନଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ କରିବା, କ୍ଳର୍କ (ଜୁନିୟର୍‍ କିରାଣୀ କମ୍‍ ଆକାଉଣ୍ଟାଣ୍ଟ) କର୍ମଚାରୀଙ୍କ ଚାକିରୀରେ ନିୟମିତ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ କ୍ଳର୍କ ପୋଷ୍ଟିଂ କରିବା, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧିକୁ ବର୍ତ୍ତମାନର ସେବା ଅବଧିରେ ମିଶ୍ରଣ କରିବା, ଅତୀତରେ ଓଏଭିରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚାକିରୀ ଓ ଦରମାରେ ସୁରକ୍ଷା ପ୍ରଦାନ କରିବା, ପୂର୍ବବତ୍‍ ରାଜ୍ୟସ୍ତରରେ ଓଏଭି ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା, ପିଏମ୍‍ଶ୍ରୀ ସ୍କୁଲରେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷାର ଗୁଣବତ୍ତା ସାଙ୍ଗକୁ କର୍ମଚାରୀମାନଙ୍କ ନ୍ୟାୟ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଇତ୍ୟାଦି ଦାବୀ ପୂରଣ ଲାଗି ରାଜ୍ୟସଂଘର ଆହ୍ୱାନକ୍ରମେ ଆସିକା ବ୍ଳକ ଅଧୀନସ୍ଥ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ କଳାବ୍ୟାଜ୍‍ ପରିଧାନ କାର୍ଯ୍ୟକ୍ରମ ଜାରି ରଖିଥିବା ଜଣାପଡିଛି । ଆସନ୍ତା ଡିସେମ୍ବର ୭ ତାରିଖ ମଧ୍ୟରେ ଯଦି ସରକାରଙ୍କ ପକ୍ଷରୁ ସଂଘର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ପଦକ୍ଷେପ ନିଆନଯାଏ ତେବେ ୮ ତାରିଖରେ ସଂଘର କାର୍ଯ୍ୟକର୍ତ୍ତା ଦାବୀ ପୂରଣ ଲାଗି ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସିବିଏସ୍‍ଇ ଅନୁବନ୍ଧିତ ଇଂରାଜୀ ମାଧ୍ୟମରେ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ବେଳେ ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦାନ କରିଆସୁଥିଲା ବେଳେ ବିଡମ୍ବନାର ବିଷୟ ଏହି ଓଏଭିରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନେ ଅବହେଳିତ ଅବସ୍ଥାରେ ରହିଥିବା ମତ ପ୍ରକାଶ ପାଉଛି । ଓଡିଶା ଆଦର୍ଶ ବିଦ୍ୟାଳୟରେ ଚାକିରୀରେ ଯୋଗଦେଇ ମୃତ୍ୟୁବରଣ କରିଥିବା ପ୍ରାୟ ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପରିବାରବର୍ଗଙ୍କୁ ପ୍ରାପ୍ୟ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଇଆସୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ଓଡିଶାର ଦୀର୍ଘ ଦିନର ୧୩ ଦଫା ସମ୍ବଳିତ ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଆସିକା ଶାଖାର ସଦସ୍ୟ ଦୁର୍ଯ୍ୟୋଧନ ଦୋରା, ଆଲୋକ ସାହୁ, ମଧୁସୁଦନ ବେହେରା, ରାଜେଶ୍‍ ସ୍ୱାଇଁ, ଜାନକୀ ପ୍ରଧାନ, ଦେବଜାନୀ ଦାଶ, ତ୍ରିନାଥ ବେହେରା, ରଶ୍ମିତା ସ୍ୱାଇଁ, ଗାୟତ୍ରୀ ନାୟକ, ଅଜୟ କୁମାର ପରିଡା, ଦୀପ୍ତିମୟୀ ତରେଇ, ମିନାକ୍ଷୀ ମହାପାତ୍ର, ଶୁଭମ୍‍ କୁମାର ପାଣିଗ୍ରାହୀ, ପ୍ରିୟଙ୍କା ପାତ୍ର, ଅରୁଣ ବେହେରା ପ୍ରମୁଖ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ