ମେଧାବୀ ଆଦିବାସୀ ଛାତ୍ରୀଙ୍କୁ ମିଳିଲା ଡାକ୍ତରୀ ପାଠ ପଢ଼ିବା ପାଇଁ ଆର୍ଥିକ ସହାୟତା
ଗୁଣପୁର (ୱାଇ ଏନ ଏସ): ଅର୍ଥ ଅଭାବରୁ ଯେପରି ଜଣେ ମେଧାବୀ ଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗି ନଯାଉ, ସେଥିପାଇଁ ଆଗେଇ ଆସିଛନ୍ତି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ସମାଜସେବୀ ସୁଧୀର ଦାଶ। ଡାକ୍ତରୀ ପାଠ ପଢ଼ିବା ପାଇଁ ଜଣେ ଆଦିବାସୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେ ଅଞ୍ଚଳରେ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି। ଛାତ୍ରୀ ଜଣକ ରାୟଗଡାଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ସାହାଡ ଗ୍ରାମର କବିତା ହିକକା ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟମ ମେଡିକାଲ କଲେଜରେ ଡାକ୍ତରୀ ପାଠପଢିବା ନିମନ୍ତେ ମନୋନୀତ ହୋଇଛନ୍ତି । କବିତା ସାହାଡ ଗ୍ରାମର ଲବ ହିକକାଙ୍କ ଝିଅ ହୋଇଥିବା ବେଳେ ସେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । କବିତା ପ୍ରାଥମିକ ଶିକ୍ଷା ସାହାଡ଼ା ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଭାଲେରୀରେ ଦଶମ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି ଥିଲେ । ନିଜର ପ୍ରଚେଷ୍ଟା ଓ ମେଧା ବଳରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଥିବା ଏହି ଆଦିବାସୀ ଛାତ୍ରୀଜଣକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଏହି ଖବର ପାଇବା ପରେ ସୁଧୀର ଦାଶ ତୁରନ୍ତ ଛାତ୍ରୀଙ୍କ ପରିବାର ସହ ଯୋଗାଯୋଗ କରି ନାମଲେଖା ଓ ପାଠପଢ଼ା ପାଇଁ ବର୍ଷକୁ ୫୦ହଜାର ଟଙ୍କା ଲେଖାଏ ପାଞ୍ଚ ବର୍ଷର କଲେଜ ଫିଜ୍ ଦବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆର୍ଥିକ ସହାୟତା ପାଇବା ପରେ ଛାତ୍ରୀଜଣକ ନିଜର ଡାକ୍ତର ହେବା ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ସୁଧୀର ଦାଶଙ୍କୁ ଗଭୀର ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସୁଧୀର ଦାଶଙ୍କ ଏହି ବଦାନ୍ୟତା ଏବଂ ମହତ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ଏହା ଏକ ପ୍ରେରଣା ସାଜିଛି।


