ଚାଇଲ୍ଡ ଟ୍ରାକିଂ ମିଶନ ସର୍ଭେ : ଅଧାରୁ ପାଠ ଛାଡିଥିବା ପିଲା ଗଲେ ସ୍କୁଲ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁଣି ଶିକ୍ଷାଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଇଲ୍ଡ ଟ୍ରାକିଂ ମିଶନ ସର୍ଭେ କାର୍ଯ୍ୟକ୍ରମ ଚାଲିଛି।ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧାରୁ ପାଠ ଛାଡିଥିବା ୧୮ ବର୍ଷରୁ କମ ବୟସର ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଙ୍କୁ ଗାଁ ସ୍କୁଲ ରେ ଶିକ୍ଷାଦାନ କରାଯାଇ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ସ୍ରୋତରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତି କ୍ଲଷ୍ଟର ସ୍ତରରେ ସି.ଆର୍.ସି.ସି, ଶିକ୍ଷକ ଏବଂ ପଞ୍ଚାୟତ ସରପଞ୍ଚ ମାନଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଅଛି।ଏହା ମାଧ୍ୟମରେ ଅଧାରୁ ପାଠ ଛାଡିଥିବା କିମ୍ବା ଆଦୌ ପାଠ ପଢ଼ି ନଥିବା ପ୍ରାୟ ୨୨୦ ପିଲା ବିଭିନ୍ନ ବିଦ୍ୟାଳୟ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ମାନଙ୍କରେ ପୁଣି ନାମ ଲେଖାଇଛନ୍ତି। ଶିକ୍ଷା ଅଭିଯାନ ‘ମିଶନ ସର୍ଭେ ‘ ମାଧ୍ୟମରେ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ଵତନ୍ତ୍ରଟିମ୍ ସହ ଟି.ଗୋବିନ୍ଦ ପୁର ପଞ୍ଚାୟତ ର ପ୍ରାୟ ୭ କିମି ପାହାଡ଼ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗାଁ କାଳିବୋରେଇ, କପାବାଡ,କନ୍ଧ ଜକର,ଶାନ୍ତି ନଗର ,ପାଳୁଖଳା, ଖେମୁଣ୍ଡିଖୋଲ ପ୍ରଭୃତି ଗ୍ରାମରେ ପହଞ୍ଚିବା ପରେ ସେଠାକାର ଅଭିଭାବକ ମାନଙ୍କୁ ସଚେତନ କରାଇବା ସହ ଅଧାରୁ ପାଠ ଛାଡିଥିବା ସେମାନଙ୍କ ପିଲାମାନଙ୍କୁ ପୁଣି ଥରେ ସ୍କୁଲ କୁ ପଠାଇବା ସହ ସେମାନଙ୍କୁ ଶିକ୍ଷା ସ୍ରୋତରେ ସାମିଲ କରାଇଛନ୍ତି। ଅଧାରୁ ପାଠ ଛାଡିଥିବା ପ୍ରାୟ ୭ ଜଣ ଛାତ୍ର ଛାତ୍ରୀ ଟି. ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ,ପ୍ରଧାନଶିକ୍ଷୟତ୍ରୀ ସରସ୍ଵତୀ ବିଶ୍ଵାଳ ,ପ୍ରଧାନଶିକ୍ଷକ ଶ୍ରୀଧର ରଥ ,ସି. ଆର.ସି.ସି ବିଜୟ ଗୌଡ଼,ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ,ମନୋଜ କୁମାର ନାୟକ,ସନାତନ ସେଠୀ ଙ୍କ ଉପସ୍ଥିତିରେ ଟି.ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ରେ ନାମ ଲେଖାଇଥିଲେ।ଏଥି ପୂର୍ବରୁ ସେ ବ୍ଲକ ଅଧିନ ଗାଁ କୁ ଗାଁ ବୁଲି ପାଠ ଛାଡିଥିବା ଅନେକ ପିଲାଙ୍କୁ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଥିବା କହିଛନ୍ତି।ଏହି’ ମିଶନ ଶିକ୍ଷା ‘ ଅଭିଯାନ ଦ୍ବାରା ଡ୍ରପ ଆଉଟ୍ ଛାତ୍ର ଛାତ୍ରୀ ପୁଣି ଥରେ ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିବେ।ବି.ଆର୍.ସି.ସି ରିତାଞ୍ଜଳି ରଥ, ଏ.ବି.ଓ ଶୁକଦେବ ମଲ୍ଲିକ ଙ୍କ ସମେତ ସମସ୍ତ ସି.ଆର୍.ସି.ସି , ପ୍ରଧାନଶିକ୍ଷୟତ୍ରୀ,ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଶିକ୍ଷକ ପ୍ରମୁଖ ଏକାଧିକ ଟିମ୍ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ଥିବା ସେ ଜଣାଇଛନ୍ତି।


