ବାହାବଳପୁର ଓ ପରିଖିରେ ନୂତନ ଗ୍ରାମ ପଂଚାୟତ ଭବନ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାହାବଳପୁର ଓ ପରିଖି ପଂଚାୟତରେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନୂତନ ଗ୍ରାମ ପଂଚାୟତ ଭବନ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଦୁଇ ପଂଚାୟତରେ ନୂତନ ଗ୍ରାମପଂଚାୟତ ଭବନ ନିର୍ମାଣ ପ୍ରକଳ୍ପର ଶୁଭ ଦେଇଥିଲେ । ପ୍ରଥମେ ବାହାବଳପୁର ଠାରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୧୦ଲକ୍ଷ, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ୨୦ଲକ୍ଷ ଓ ରାଜ୍ୟ ଅର୍ଥ ଆୟୋଗର ୫ଲକ୍ଷ ଟଙ୍କାର ଅନୁଦାନକୁ ମିଶାଇ ମୋଟ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ସେହିପରି ପରିଖି ଠାରେ ଶୁଭ ଦିଆଯାଇଥିବା ନୂତନ ଗ୍ରାମପଂଚାୟତ ଭବନ ନିର୍ମାଣ ପ୍ରକଳ୍ପ ପାଇଁ ମଧ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୧୦ଲକ୍ଷ, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅନ୍ତର୍ଗତ ୨୦ଲକ୍ଷ ଓ ରାଜ୍ୟ ଅର୍ଥ ଆୟୋଗର ୫ଲକ୍ଷ ଟଙ୍କାର ଅନୁଦାନକୁ ମିଶାଇ ମୋଟ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ନିକଟରେ ବାସ୍ତବତାର ରୂପ ଦେବା ନିମନ୍ତେ ଆଦର୍ଶ ପରିବେଶ ଓ ଆଧୁନିକ ଜ୍ଞାନକୌଶଳ ସମ୍ପନ୍ନ ପଂଚାୟତ କାର୍ଯ୍ୟାଳୟର ଆବଶ୍ୟକତାକୁ ଦୃଷ୍ଟି ରଖି ରାଜ୍ୟର ଲୋକଙ୍କ ସରକାର ବାହାବଳପୁର ଓ ପରିଖି ପଂଚାୟତରେ ନୂତନ ଗ୍ରାମ ପଂଚାୟତ ଭବନ ନିର୍ମାଣ ନିମନ୍ତେ ମଞ୍ଜୁରୀ ସହ ଅନୁଦାନ ପ୍ରଦାନ କରିଛନ୍ତି । ପୂର୍ଣ୍ଣାଙ୍ଗ ଭବନ କାର୍ଯ୍ୟକ୍ଷମ ହେବା ଦ୍ୱାରା ତୃଣମୂଳସ୍ତରରେ ଶାସନ ବ୍ୟବସ୍ଥା ସୁଦୃଢ ହେବା ସହିତ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ତେବେ ନୂତନ ଭବନ ନିର୍ମାଣରେ ଉପଯୁକ୍ତ ଗୁଣବତ୍ତା ଓ ମାନଦଣ୍ଡ ରକ୍ଷା ପୂର୍ବକ ଯୋଜନା ବଦ୍ଧ ସମୟସୀମା ମଧ୍ୟରେ ସାରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଦର ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା, ବାହାବଳପୁର ସରପଂଚ ରାମ ନାରାୟଣ ଦ୍ୱିବେଦୀ ଓ ଦୁବୁଲାଗଡି ସମିତି ସଭ୍ୟ ରବୀନ୍ଦ୍ର ଜେନା, ପରିଖି ସରପଂଚ କାର୍ତ୍ତିକ ଚନ୍ଦ୍ର ରାଉତ ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମଗୁଡିକରେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ