ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଚେତନତା କାର୍ଯକ୍ରମ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଗ୍ରାମାଞ୍ଚଳ ମହିଳା ଓ ପୁରୁଷମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ହସ୍ତ ତନ୍ତ ବିଭାଗ ପକ୍ଷରୁ ଏକ ଦିନିକିଆ ସଚେତନତା କାର୍ଯକ୍ରମ ଝୁମ୍ପୁରା ବ୍ଲକର ବିଦ୍ୟା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଅଜୟ କୁମାର ମହାନ୍ତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ପ୍ରକାରର କ୍ଷୁଦ୍ର, ମଧ୍ୟମ ଶିଳ୍ପ ସ୍ଥାପନ କରିବା ପାଇଁ ରହିଥିବା ସରକାରୀ ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ରର ନିର୍ଦେଶକ ହରେକୃଷ୍ଣ ମହାନ୍ତ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ରହିଥିବା ମାଗଣା ତାଲିମ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ହସ୍ତକଳା ଓ ହସ୍ତଶିଳ୍ପ ପାଇଁ ରହିଥିବା ସରକାରୀ ଯୋଜନା ଓ ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ହସ୍ତଶିଳ୍ପ ସହ ନିର୍ଦେଶକ ଲଲାଟେନ୍ଦୁ ସର୍ଦ୍ଦାର ସୂଚନା ଦେଇଥିଲେ। ନାବାର୍ଡର ଉପନିର୍ଦେଶକ ଖୁରେଶ କୁମାର ନାୟକ ଆତ୍ମ ନିଯୁକ୍ତି ଓ କୃଷି ପାଇଁ ସରକାରଙ୍କ ପକ୍ଷରୁ ଋଣ ଓ ରିହାତି ସୁବିଧା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ସମ୍ପ୍ରସାରଣ ଅଧିକାରୀ ମାନସ କୁମାର ନାୟକ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଆତ୍ମ ନିଯୁକ୍ତି ମଧ୍ୟମରେ ନିଜର ଆୟ ବଢ଼ାଇବା ସହ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି କରି ହେବ ସେଥି ପାଇଁ ଉତ୍ସାହିତ କରିଥିଲେ। ସଭାରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମଳୟ ମହାପାତ୍ର ଉପସ୍ଥିତ ରହିବା ସହିତ ବଡ଼ନେଉଳି ପଞ୍ଚାୟତର ସରପଞ୍ଚ ନିରୋଦ କୁମାର ସଏ ଉପସ୍ଥିତ ରହିଥିଲେ। ଝୁମ୍ପୁରା ବ୍ଲକର ବିଭିନ୍ନ ଗ୍ରାମ ତଥା ନାଗର ପାଳ, କାଠ ବାଉଁଶୂଳି ପୋଡ଼ା ସିମଳା, ଖୁଦପଶି , ବଡନେଉଳି, ଯମୁନା ପଶି, ପାଣପଶି ଆଦି ଗ୍ରାମର ୬୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ପଦ୍ମଲୋଚନ ବାରିକ ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ସମ୍ପାଦକ ଆଲୋକ ମିଶ୍ର ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


