କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ବର(ସରୋଜ ପଣ୍ଡା): ଓଡିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୋକଭବନକୁ ଯାଇ ଶ୍ରୀ ଦତ୍ତ ଏହି ସାକ୍ଷାତ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ ରାଜ୍ୟପାଳ ଡକ୍ଟର କମ୍ବମ୍ପତିଙ୍କୁ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ସାକ୍ଷାତ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଜାରି ରହିଥବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ଦତ୍ତ ରାଜ୍ୟପାଳଙ୍କୁ ଅବଗତ କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ପ୍ରକଳ୍ପରେ ତୃଣମୂଳସ୍ତରରେ ଥିବା ଜନସାଧାରଣ ଉପକୃତ ହେଉଥିବା ସେ ଜଣାଇଛନ୍ତି । ବିଶେଷ କରି ଗରିବ ଅସହାୟଙ୍କ ନିକଟରେ ସରକାରଙ୍କ ପ୍ରତ୍ୟେକଟି ଯୋଜନାର ସୁଫଳ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି । ତେବେ ବାଲେଶ୍ୱର ଜିଲ୍ଲାର ସମୃଦ୍ଧ କଳା, ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଆବଶ୍ୟକତା ରହିଛି । ଏହା ସହିତ ବେଳାଭୂମୀ ପର୍ଯ୍ୟବେଶିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଉପରେ ଶ୍ରୀ ଦତ୍ତ ଗୁରୁତ୍ୱ ଦେଇଛନ୍ତି । ବିଗତ ସରକାରଙ୍କ ଅମଳରେ ଅବହେଳିତ ଅବସ୍ଥାରେ ଥିବା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଅଧିକ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ବିଧାୟକ ଶ୍ରୀ ଦତ୍ତ ରାଜ୍ୟପାଳ ଡକ୍ଟର କମ୍ବମ୍ପତିଙ୍କୁ ନିବେଦନ କରିଛନ୍ତି । ସେହିପରି ଶିକ୍ଷା କ୍ଷେତ୍ରରେ ଅଧିକ ସୁନାମ ଥିବା ବାଲେଶ୍ୱରରେ ସ୍ୱତନ୍ତ୍ର ଯୋଜନା ପାଇଁ ଶ୍ରୀ ଦତ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ।


