ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’

ରାମନାଗୁଡା (ୱାଇଏନଏସ): କେବଳ ପାଠପଢ଼ା ନୁହେଁ, ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହିଁ ପ୍ରକୃତ ଶିକ୍ଷାର ଅନ୍ୟତମ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟକୁ ନେଇ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଅକ୍ଟୋବର ୧୨, ୧୩ ଓ ୧୪ ତାରିଖରେ ତିନି ଦିନ ଧରି ରଙ୍ଗାରଙ୍ଗ ପରିବେଶରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ କୁନି କୁନି ପ୍ରତିଭାମାନେ ନିଜର କଳା, ଦକ୍ଷତା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜ୍ଞାନ ରଞ୍ଜନ ବଡ଼ଜେନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା ଓ ବିଆରସିସି ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ କ୍ଲଷ୍ଟରର ସିଆରସିସି, ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିମାନେ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା ଓ ସଫଳତାରେ ସହଯୋଗ କରିଥିଲେ। ରାମନାଗୁଡ଼ା ବ୍ଲକର ୧୧ଟି କ୍ଲଷ୍ଟର ମଧ୍ୟରୁ ୧୦ଟି କ୍ଲଷ୍ଟରରେ ପୃଥକ୍‌ ପୃଥକ୍‌ ଭାବେ ଏହି ମହୋତ୍ସବ ଆୟୋଜିତ ହୋଇଛି। ପ୍ରତ୍ୟେକ କ୍ଲଷ୍ଟରର ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିବା ସୂଚନା ମିଳିଛି। ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ନିଜ ଭିତରେ ଥିବା ସୁପ୍ତ କଳାକୁ ମଞ୍ଚରେ  ପ୍ରଦର୍ଶନ କରିଥିଲେ। ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟଠାରୁ ଆଧୁନିକ ନୃତ୍ୟ ଏବଂ ସମ୍ବଲପୁରୀ ଗୀତଠାରୁ ଓଡ଼ିଆ ଆଧୁନିକ ସଙ୍ଗୀତ ପର୍ଯ୍ୟନ୍ତ ବିଭିନ୍ନ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଶେଷକରି ନିଲାମଗୁଡ଼ା କ୍ଲଷ୍ଟରର ଛାତ୍ରୀମାନଙ୍କ ଢେମସା ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନ ଜିଣି ନେଇଥିଲା। ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତାରେ ‘ମୋ ସ୍ୱପ୍ନର ଓଡ଼ିଶା’ ଏବଂ ‘ପରିବେଶ ସୁରକ୍ଷା’ ଭଳି ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ନିଜର କଳ୍ପନାଶକ୍ତି ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ବଦ୍ଦୁଗୁଡ଼ା ଓ ହାଡୁଗୁଡ଼ା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଚିତ୍ର ଆଙ୍କି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବକ୍ତୃତା ଓ ଏକାଙ୍କିକା ନାଟକ ମାଧ୍ୟମରେ ଶୁଣ୍ଡିଢାମୁଣୀ, ପାରିଖିତି ଓ ଗୁଲୁଣ୍ଠି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମାଜିକ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଓଡ଼ିଆ ଓ ଇଂରାଜୀ ବକ୍ତୃତା ସହ ନାଟକ ମାଧ୍ୟମରେ ବାଲ୍ୟବିବାହ ରୋକିବା ଏବଂ ନିଶାମୁକ୍ତ ସମାଜ ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ପ୍ରତ୍ୟେକ କ୍ଲଷ୍ଟରର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମେଡାଲ, ପ୍ରମାଣପତ୍ର ଓ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି ବିଜେତାମାନେ ବ୍ଲକସ୍ତରୀୟ ସୁରଭି ମହୋତ୍ସବରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିବେ। ସେଠାରେ କୃତିତ୍ୱ ହାସଲ କଲେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ