ଚଳିତ ବର୍ଷ କଟକ ଜିଲ୍ଲା ପ୍ରଥମ ବିକାଶ ସମନ୍ୱୟ କମିଟି ବୈଠକ
କଟକ, (ଓ୍ବାଇଏନଏସ): ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ପ୍ରଥମ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା) ବୈଠକ ଆଜି ପୂର୍ବାହ୍ନରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡମଡମଣି ପୀଠ ପରିସରରେ ମାନ୍ୟବର ସାଂସଦ,କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ଆଠଗଡ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ,ମାନ୍ୟବର ବିଧାୟକ, ସାଲେପୁର ଶ୍ରୀ ପ୍ରଶାନ୍ତ ବେହେରା, ବିଧାୟିକା, ବାରବାଟୀ-କଟକ, ଇଂ ସୋଫିଆ ଫିରଦୋସ, ବିଧାୟକ, କଟକ-ସଦର ଇଂ ପ୍ରକାଶ ଚନ୍ଦ୍ର ସେଠୀ, ମାନ୍ୟବର ବିଧାୟକ ବଡମ୍ବା ଶ୍ରୀ ବିଜୟ କୁମାର ଦଳବେହେରା, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବୈଠକରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦେଶ କ୍ରମେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଓ ସଂଯୋଜନାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ଚତୁର୍ଥ ଦିଶା ବୈଠକର ଆଲୋଚନା ହୋଇଥିବା ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟର ଅଗ୍ରଗତି, କାର୍ଯ୍ୟାନୁଷ୍ଠାନ ଆଦି ସଂମ୍ପର୍କରେ ଜନ ପ୍ରତିନିଧମାନଙ୍କୁ ବୈଠକରେ ଉପସ୍ଥିତ ହୋଇଥିବା ସଂପୃକ୍ତ ଅଧିକାରୀମାନଙ୍କ ଦ୍ଵାରା ଅବଗତ କରାଯାଇଥିଲା । ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଯେଉଁ ଯେଉଁ ବ୍ଲକ ମାନଙ୍କରେ ଲକ୍ଷପତି ଦିଦି କମିଛି ତାହାକୁ ତର୍ଜମା ପୂର୍ବକ ପୂରଣ କରାଯିବା ନେଇ ଆଲୋଚନା କରାଯାଇଥିଲା । ସମଗ୍ର ଜିଲ୍ଲାରେ ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ସ୍ଵୟଂ ସହାୟକ ଗୋଷ୍ଟୀ ବ୍ୟାଙ୍କ ସଂଯୋଗୀକରଣ ସଂପର୍କରେ ଆଲୋଚନା କରାଯିବା ସହ ଦିନଦୟାଲ ଉପାଧ୍ୟାୟ କୌଶଳ ଯୋଜନା, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା,ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଆଲୋଚନା ପୂର୍ବକ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଅନ୍ତର୍ଗତ ଜିଲ୍ଲାର ସମସ୍ତ ବ୍ଲକରେ ଚାଲିଥିବା କାର୍ଯ୍ୟ, ପ୍ରକଳ୍ପର ସ୍ଥିତି, ନିଯୋଜିତ ଶ୍ରମିକ, ସମୁଦାୟ ଶ୍ରମିକ ଦିବସ ଆଦି ସମ୍ବନ୍ଧରେ ସମୀକ୍ଷା ପୂର୍ବକ ଆଲୋଚନା ହୋଇଥିଲା । ଜଳ ଜୀବନ ମିଶନ ଅନ୍ତର୍ଗତ ଜିଲ୍ଲାରେ ମେଗା ପାଇପ ଯୋଗେ ଜଳ ଯୋଗାଣର କାର୍ଯ୍ୟର ଅଗ୍ରଗତି ଏବଂ ଗ୍ରାମୀଣ ପାନୀୟ ଜଳଯୋଗାଣ ସ୍ଥିତି ସମ୍ବନ୍ଧରେ ଆଲୋଚନା କରି ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ନଳକୂପ ଖନନ କରିବା ଉପରେ ଆଲୋଚନା ବୈଠକରେ ଅବଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯିବା ସହ ମୃତ୍ତିକା ଚୟନ ଓ ସଂଗ୍ରହ ତଥା ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ (Soil Health Card) ସମ୍ପର୍କରେ ଆଲୋଚନା କରଯାଇଥିଲ। । ଏଥିସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଫସଲ ବୀମାରେ ଚାଷୀ ଉପକୃତ ହେବା ସହ କୃଷି ଉଦ୍ୟାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ପୁରଣ କରାଯିବା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହ ତଦାରଖ ପୂର୍ବକ ଜିଲ୍ଲାରେ ଚାଲୁ ରହିଥିବା ସମସ୍ତ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ସମୀକ୍ଷା ପୂର୍ବକ ବୈଠକରେ ସାଂସଦ ନିର୍ଦେଶ ଦେଇଥିଲେ । ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡଃ. ଦିବ୍ୟଲୋଚନ ମହନ୍ତ, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା,ବାଙ୍କି ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରାଙ୍କ ସମେତ ଆଠଗଡ ଓ ବାଙ୍କି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା,ବିଭିନ୍ନ ବିଭାଗର ଅଧିକ୍ଷଣ ଓ ନିର୍ବାହୀ ଯନ୍ତ୍ରୀ, ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଯୋଗ ଦେଇଥିଲେ ।


