ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମର ପରିଦର୍ଶନ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧୀନ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ତିନି ଜଣିଆ କାୟାକଳ୍ପ ଟିମ୍ ପରିଦର୍ଶନ ରେ ଆସିଥିଲେ। କାୟାକଳ୍ପ ଯୋଜନା ଅନ୍ତର୍ଗତ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱଛତା, ସୁରକ୍ଷା ଓ ରୋଗୀ ସେବାର ଗୁଣମାନ ଆକଳନ କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପିଏସଆଇ ଇଣ୍ଡିଆ ରୁବି ରାଉତ, ଡ଼ଃ ମନୋରଞ୍ଜନ ହାତି, ସୋମ୍ୟାଶ୍ରୀ ମହାପାତ୍ର, କସ୍ତୁରୀ ପ୍ରିୟମ୍ବଦା ଗଠିତ କାୟାକଳ୍ପ ଟିମ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥିଲେ। ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଶାନ୍ତିଭୂଷଣ ଜେନା ଟିମ୍ କୁ ସ୍ୱାଗତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା, ସୁବିଧା ଓ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ପରିଦର୍ଶନ ସମୟରେ କାୟାକଳ୍ପ ଟିମ୍ ଆଉଟଡୋର, ଇନଡୋର, ପ୍ରସୂତି ୱାର୍ଡ, ଶିଶୁ ୱାର୍ଡ, ଲ୍ୟାବ, ଔଷଧ ଭଣ୍ଡାର, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକ କାଗଜପତ୍ର ଯାଞ୍ଚ ସହ ଚତୁଃପାର୍ଶ୍ୱ ପରିଦର୍ଶନ କରିଥିଲେ।ସ୍ୱଛତା, ବର୍ଜ୍ୟ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ରୋଗୀ ସେବାର ମାନଦଣ୍ଡ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ କାୟାକଳ୍ପ ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ରୋଗୀ ମାନଙ୍କ ସହ କଥା ହୋଇ ଚିକିତ୍ସା ସେବା, ଔଷଧ ପ୍ରାପ୍ତି, ଡାକ୍ତର ଓ କର୍ମଚାରୀ ଙ୍କ ବ୍ୟବହାର, ଅପେକ୍ଷା ସମୟ ଆଦି ବିଷୟରେ ମତାମତ ସଂଗ୍ରହ କରିଥିଲେ। ସ୍ଥାନୀୟ ରୋଗୀ ମାନେ ମେଡିକାଲ ର କିଛି ସୁବିଧା ସହ ଥିବା ଅସୁବିଧା ବିଷୟରେ ଟିମ୍ ସମ୍ମୁଖରେ ମତ ରଖିଥିଲେ। ପରେ ମେଡିକାଲ ଷ୍ଟାଫ ମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସମସ୍ୟା ଭାବେ ସ୍ପେଶାଲିଷ୍ଟ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ, ଔଷଧ ବଣ୍ଟନରେ ଅସୁବିଧା, ରୋଗୀ ଭିଡ଼ ସମ୍ପର୍କରେ ଆଲୋଚନା ହୋଇଥିଲା। କାୟାକଳ୍ପ ଟିମ୍ ପରିଦର୍ଶନ ଓ ଆଲୋଚନା ହୋଇଥିଲା। କାୟାକଳ୍ପ ଟିମ୍ ପରିଦର୍ଶନ ଓ ଆଲୋଚନା ଆଧାରରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କୁ ଦାଖଲ କରିବେ ବୋଲି ଜଣାଇଛନ୍ତି। ଏହି ରିପୋର୍ଟ ଆଧାରରେ ଆଗାମୀ ଦିନରେ ବାଙ୍ଗୁରିଗାଁ ମେଡିକାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରାଯିବ ବୋଲି ମେଡିକାଲ ଅଧକାରୀ ଡ଼ଃ ଶାନ୍ତିଭୂଷଣ ଜେନା ଆଶା ପ୍ରକାଶ କରିଛନ୍ତି।


