ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବକୁ ନେଇ ଉଦ୍ବେଗ ପ୍ରକାଶ କଲେ ହାଇକୋର୍ଟ
କଟକ, (ଓ୍ବାଇଏନଏସ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବକୁ ନେଇ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ୪ କୋଟି ୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶା ପାଇଁ ମାତ୍ର ଗୋଟିଏ ଖାଦ୍ୟ ପରୀକ୍ଷାଗାର (ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ) ରହିଥିବାରୁ ଅଦାଲତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ ଖାଦ୍ୟ ପରୀକ୍ଷାଗାର ସ୍ଥାପନ ସହ ଆବଶ୍ୟକ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ଏହି ଆଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଉପରେ ଜବାବ ରଖିବାକୁ ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମୀରା ପାଣିଗ୍ରାହୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ.ପାଣିଗ୍ରାହୀ ଏହି ଆଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଖାଦ୍ୟର ଗୁଣବତ୍ତା ନିୟନ୍ତ୍ରଣ ଏବଂ ଉପଯୁକ୍ତ ଯାଞ୍ଚ ପାଇଁ ବର୍ତ୍ତମାନର ଭିତ୍ତିଭୂମି ସମ୍ପୂର୍ଣ୍ଣ ଅପର୍ଯ୍ୟାପ୍ତ । ରାଜ୍ୟରେ ଖାଦ୍ୟର ମାନ ଯାଞ୍ଚ ଓ ନମୁନା ପରୀକ୍ଷଣରେ ବିଳମ୍ବ ହେଉଥିବାରୁ ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । ଆବେଦନକାରୀ ପିଟିସନ୍ରେ ଦର୍ଶାଇଥିଲେ ଯେ, ସମଗ୍ର ଓଡ଼ିଶାରେ କେବଳ ଗୋଟିଏ ମାତ୍ର ଖାଦ୍ୟ ପରୀକ୍ଷାଗାର ରହିଛି । ଜଣେ ମାତ୍ର ଚିଫ୍ ଫୁଡ୍ ଆନାଲିଷ୍ଟ୍ ଓ ସୀମିତ ସଂଖ୍ୟକ ବୈଷୟିକ କର୍ମଚାରୀଙ୍କୁ ନେଇ ଏହି ପରୀକ୍ଷାଗାର ଚାଲିଛି । ରାଜ୍ୟରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଦୋକାନ, ହୋଟେଲ୍ ପ୍ରଭୃତିରୁ ଖାଦ୍ୟ ନମୁନା ସଂଗ୍ରହ କରନ୍ତି । ନମୁନା ରିପୋର୍ଟ ବିଳମ୍ବ ହେଉଥିବାରୁ ମାମଲା ଆଇନଗତ ଭାବେ ଦୃଢ଼ ହୋଇ ପାରୁନାହିଁ । ଅପମିଶ୍ରିତ ଓ ନକଲି ଖାଦ୍ୟ ଯୋଗୁଁ ବିଷକ୍ରିୟା ଓ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ବିଶେଷ କରି ଶିଶୁ, ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ୁଛି । ରାଜ୍ୟରେ ପରୀକ୍ଷାଗାର ସଂଖ୍ୟା କମ୍ ଥିବାରୁ ଖାଦ୍ୟ ପରୀକ୍ଷା ଯଥାସମ୍ଭବ ହୋଇପାରୁନାହିଁ । ଅଦାଲତ ଏହାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ।


