ଦରମା ଦେବା ପାଇଁ ନେଉଥିଲେ ୫୦୦୦ ଟଙ୍କା ଲାଞ୍ଚ, ପଞ୍ଚାୟତ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ
କଟକ, (ଓ୍ବାଇଏନଏସ): କଟକର ଟାଙ୍ଗୀ-ଚୌଦ୍ୱାର ବ୍ଲକର ପଞ୍ଚାୟତ ଅଧିକାରୀ ଜଣେ ମେକାନିକ୍ଙ୍କ ଦରମା ଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ। ସୂଚନାଥାଉକି, କଟକ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଭଟିମୁଣ୍ଡା ଗ୍ରାମ ପଞ୍ଚାୟତର ପିଇଓ ଶ୍ରୀ ଭରତ ଭୂଷଣ ମିଶ୍ରଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ବକେୟା ଦରମା ଦେବା ପାଇଁ ଏବଂ ତାଙ୍କ ଚାକିରି ଅବଧି ବୃଦ୍ଧି କରିବା ପାଇଁ ଭଟିମୁଣ୍ଡା ଗ୍ରାମ ପଞ୍ଚାୟତର ଜଣେ ମେକାନିକ୍ ଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିଲେ। ପିଇଓ ବକେୟା ଦରମା ପ୍ରଦାନ ଏବଂ ଅଭିଯୋଗକାରୀଙ୍କ ଚାକିରି ବୃଦ୍ଧି ପାଇଁ ଲାଞ୍ଚ ଦାବି କରିବା ଉପରେ ଜିଦ୍ ଧରିବାରୁ, ସେ ଘଟଣାଟି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୂଚନା ପାଇ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଶ୍ରୀ ମିଶ୍ରଙ୍କୁ ମେକାନିକ୍ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି। ଅଭିଯୁକ୍ତ ଶ୍ରୀ ମିଶ୍ର, ପିଇଓଙ୍କ କବଜାରୁ ସମ୍ପୂର୍ଣ୍ଣ ଲାଞ୍ଚ ନେଉଥିବା ୫୦୦୦ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହା ସହ ଅଭିଯୁକ୍ତ ପଞ୍ଚାୟତ ଅଧିକାରୀଙ୍କ ୩ ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ଏହି ସମ୍ପର୍କରେ, କଟକ ଭିଜିଲାନ୍ସ ଏକ ମାମଲା ନମ୍ବର ୮ ତାରିଖ ୧୯/୦୨/୨୦୨୬, ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ କରାଯାଇଥିବା ବେଳେ, ଅଭିଯୁକ୍ତ ଶ୍ରୀ ମିଶ୍ର, ପିଇଓଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।


