ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା : ଡିଜିପି
କଟକ, (ଓ୍ବାଇଏନଏସ) : ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୁଲିସକୁ ସଫଳତା ମିଳିଛି । ବଲାଙ୍ଗୀର ଓ ବରଗଡକୁ ମାଓବାଦୀ ମୁକ୍ତ ଜିଲ୍ଲା ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଘୋଷଣା କରିଛନ୍ତି । ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼, ବଲାଙ୍ଗିର, ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ। ଯାହା ଫଳରେ,ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସୁରକ୍ଷା ବାହିନୀ ତରଫରୁ ଦୀର୍ଘଦିନ ଧରି ଚାଲିଥିବା ମିଳିତ ଅଭିଯାନ, ଗୁଇନ୍ଦା ସୂଚନା, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବାହିନୀଙ୍କ ସମନ୍ୱିତ ପଦକ୍ଷେପ ଏବଂ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏହି ପ୍ରକାର ଅଭିଯାନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବ। ଶୀଘ୍ର ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।


