କଳାବ୍ୟାଜ୍ ପରିଧାନ କରିବେ ପେନସନ୍ଭୋଗୀ ସରକାରୀ କର୍ମଚାରୀ
ଆସିକା (ୱାଇଏନ୍ଏସ୍): ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆସିକା ଶାଖାର ଏକ ବୈଠକ ଶନିବାର ସ୍ଥାନୀୟ ବାଣିବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲ୍ଲା ଶାଖାର ସହ ସଂପାଦକ ମିହିରକାନ୍ତ ମହାପାତ୍ର, ସଂଘର ବରିଷ୍ଠ ସଦସ୍ୟ ଉପେନ୍ଦ୍ର ନାୟକ, ପିତବାସ ମହାପାତ୍ର, ରାଜେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ପେନସନ୍ ବିରୋଧୀ ଭେଲିଡେସନ୍ ଆଇନ ପାରିତ କରି ଦେଶର ଲକ୍ଷ ଲକ୍ଷ ପେନସନ୍ଭୋଗୀଙ୍କ ପ୍ରାପ୍ୟକୁ ସଂକୁଚିତ କରିବା ଓ ସେମାନଙ୍କ ମନରେ ବିଭାଜନ ସୃଷ୍ଟି କରିବା ଭଳି ନେଇଥିବା ପଦକ୍ଷେପକୁ ତୀବ୍ର ନିନ୍ଦା କରିଥିଲେ । ଅତୀତରେ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ପକ୍ଷରୁ ଭେଲିଡେସନ୍ ଆଇନକୁ ବାତିଲ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିବେଦନପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ସର୍ବଭାରତୀୟ ରାଜ୍ୟ ପେନସନ୍ ଫେଡେରେସନର ଆହ୍ୱାନକ୍ରମେ ଆସନ୍ତା ୨୫ ତାରିଖ ଦିନ କଳାବ୍ୟାଜ୍ ପରିଧାନ କରିବା କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ୨୫ ତାରିଖ ଦିନ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆସିକା ଶାଖାର କାର୍ଯ୍ୟକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଜରିଆରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଦପ୍ତରକୁ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା । ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆସିକା ଶାଖାର ଏହି ବୈଠକରେ ସଂଘର ବରିଷ୍ଠ ସଦସ୍ୟ ନିରଞ୍ଜନ ନାୟକ, ଲକ୍ଷ୍ମୀ ନାରାୟଣ ନାୟକ, ହରପ୍ରିୟା ଉପାଧ୍ୟାୟ, ପିତବାସ ମୁନି, ଦିଲୀପ କୁମାର ପରିଡା, ଲମ୍ବୋଦର ଦାସ, ଲବ ସାହୁ, କୁଶ ନାଇଡୁ, ଖଦାଳ ନାୟକ, ଉମେଶ ନାୟକ, ଦଣ୍ଡପାଣି ସେଠୀ, ଯୁଧିଷ୍ଠିର ସେଠୀ, ସୁରେଶ କୁମାର ପରିଡା, ଗୋପୀନାଥ ଦାଶ, କୁମୁଦରଂଜନ ପଣ୍ଡା, କାମରାଜୁ ଗୌଡ, ଶୁକଦେବ ରାଉତଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଗଞ୍ଜାମ ଜିଲ୍ଲା ଶାଖାର ସହ ସଂପାଦକ ମିହିରକାନ୍ତ ମହାପାତ୍ର ଏହି ବୈଠକରେ ଯୋଗଦେଇ ଗତ ମାର୍ଚ୍ଚ ମାସ ୨୫ ତାରିଖରେ ଭେଲିଡେସନ୍ ଆକ୍ଟ ପାରିତ କରି ପେନସନ୍ଭୋଗୀଙ୍କୁ ଅଷ୍ଟମ ବେତନ କମିଶନରୁ ବଂଚିତ କରିବା ପାଇଁ ଯେଉଁ ଚକ୍ରାନ୍ତ କରାଯାଇଛି ତାହାକୁ ତୀବ୍ର ନିନ୍ଦା କରି ଏହା ବିରୋଧରେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ଧାରଣା, ସଭା, ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଥିଲା ।


