କେନ୍ଦୁଝରରେ ବାଲି ଲୁଟ୍ର ମହାକେଳେଙ୍କାରୀ, ଡ୍ରୋନ୍ ସର୍ଭେ ରିପୋର୍ଟ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାରେ ବାଲି ଉଠାଣକୁ ନେଇ ଏକ ବଡ଼ ଅନିୟମିତତା ସାମ୍ନାକୁ ଆସିଛି। ହାଟଡିହି ବ୍ଲକ୍ର ବିଭିନ୍ନ ଲିଜ୍ପ୍ରାପ୍ତ ବାଲିଘାଟରୁ ଅନୁମତିଠାରୁ ଅଧିକ ପରିମାଣର ବାଲି ଉଠାଯାଇଥିବା ଜୁନ୍ ୨୦୨୬ରେ କରାଯାଇଥିବା ଡ୍ରୋନ୍ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଏହି ଅତିରିକ୍ତ ବାଲି ଉଠାଣର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିବାବେଳେ, ରିପୋର୍ଟ ଦାଖଲ ହେବାର ପ୍ରାୟ ପାଞ୍ଚ ମାସ ପରେ ମଧ୍ୟ ଦାୟୀ ଲିଜ୍ଧାରୀଙ୍କ ବିରୋଧରେ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ଉଠିଛି। ଡ୍ରୋନ୍ ସର୍ଭେ ମାଧ୍ୟମରେ ବାଲିଘାଟରୁ ଉଠାଯାଇଥିବା ବାଲିର ପରିମାଣ, ଖନନର ଗଭୀରତା ଓ ଲିଜ୍ର ନିର୍ଦ୍ଧାରିତ ସୀମା ବାହାରେ ହୋଇଥିବା ଉଠାଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ଏହି ରିପୋର୍ଟରେ ଅନେକ ବାଲିଘାଟରୁ ଅନୁମୋଦିତ ପରିମାଣଠାରୁ ଅଧିକ ବାଲି ଉଠାଯାଇଥିବା ଉଲ୍ଲେଖ ରହିଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସର୍ଭେ ରିପୋର୍ଟ କେନ୍ଦୁଝର ଖଣି ବିଭାଗରେ ଦାଖଲ ହୋଇଥିଲେ ମଧ୍ୟ ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡର ବୈତରଣୀ ନଦୀର ବିଭିନ୍ନ ସ୍ଥାନରେ ବାଲି ଉଠାଣ ପାଇଁ ସରକାରଙ୍କ ପକ୍ଷରୁ ଲିଜ୍ ପ୍ରଦାନ କରାଯାଇଥାଏ। ଲିଜ୍ ଚୁକ୍ତିରେ ବାଲି ଉଠାଣର ପରିମାଣ, ଖନନର ଗଭୀରତା ଓ ନିର୍ଦ୍ଧାରିତ ସୀମା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥାଏ। କିନ୍ତୁ ଏହି ନିୟମ ଉଲ୍ଲଂଘନ କରି ଅଧିକ ପରିମାଣର ବାଲି ଉଠାଯାଇଥିବା ଡ୍ରୋନ୍ ସର୍ଭେରୁ ଜଣାପଡ଼ିଛି। ନଦୀ ଶଯ୍ୟାରେ ଅତ୍ୟଧିକ ଖନନ ଯୋଗୁଁ ଗଭୀର ଗାତ ସୃଷ୍ଟି ହୋଇଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିବା କୁହାଯାଉଛି। ହାଟଡିହି ବ୍ଲକ୍ରେ ସମୁଦାୟ ଛଅଟି ବାଲିଘାଟ ଲିଜ୍ ହୋଇଥିବାବେଳେ, କିଛି ଘାଟରୁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ବାଲି ଉଠାଯାଇଥିବା ସର୍ଭେରେ ଚିହ୍ନଟ ହୋଇଛି। ଏହି ତାଲିକାରେ ହାବଳେଶ୍ୱର ବାଲିଘାଟ ଶୀର୍ଷରେ ରହିଥିବା ଜଣାପଡ଼ିଛି। ସେଠାରୁ ପ୍ରାୟ ଏକ ଲକ୍ଷ କ୍ୟୁବିକ୍ ମିଟରରୁ ଅଧିକ ବାଲି ଉଠାଯାଇଥିବା ନେଇ ସର୍ଭେ ରିପୋର୍ଟରେ ଉଲ୍ଲେଖ ଥିବା କୁହାଯାଉଛି। ସର୍ଭେ ରିପୋର୍ଟ କେନ୍ଦୁଝର ଖଣି ବିଭାଗକୁ ପ୍ରଦାନ କରାଯାଇଥିଲା। ନିୟମ ଅନୁଯାୟୀ, ଅନୁମତିଠାରୁ ଅଧିକ ବାଲି ଉଠାଣ ହୋଇଥିଲେ ସମ୍ପୃକ୍ତ ଲିଜ୍ଧାରୀଙ୍କୁ ଡିମାଣ୍ଡ ନୋଟିସ୍ ଜାରି କରି ଅତିରିକ୍ତ ବାଲିର ମୂଲ୍ୟ ସହ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି। ଜରିମାନା ଅନାଦେୟ ହେଲେ ଲିଜ୍ ବାତିଲ୍ କରିବା ପର୍ଯ୍ୟନ୍ତ ନିୟମାନୁସାରେ ପଦକ୍ଷେପ ନିଆଯାଇପାରେ। କିନ୍ତୁ ରିପୋର୍ଟ ଦାଖଲ ପରେ ମଧ୍ୟ ଏପରି ପଦକ୍ଷେପ ନିଆଯାଇନଥିବାରୁ ବିଭାଗର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ଓ ସନ୍ଦେହ ପ୍ରକାଶ ପାଇଛି। ଅଧିକ ବାଲି ଉଠାଣ ହୋଇଥିବା ଘଟଣାରେ ଡିମାଣ୍ଡ ନୋଟିସ୍ ଜାରି ଓ ଜରିମାନା ଆଦାୟରେ ବିଳମ୍ବ କାହିଁକି ହେଉଛି, ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ସରକାରୀ ରାଜସ୍ୱର କ୍ଷତି ହେଉଥିବା ଅଭିଯୋଗ ସତ୍ତ୍ୱେ ବିଭାଗୀୟ ନିରବତା ପଛରେ କୌଣସି ଚାପ ରହିଛି କି ନାହିଁ, ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି। ତେବେ ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଚାପ କିମ୍ବା ସ୍ୱାର୍ଥସମ୍ପର୍କର ପ୍ରମାଣ ମିଳିନଥିବାରୁ ଏହା ଅଭିଯୋଗ ଓ ସନ୍ଦେହର ସ୍ତରରେ ରହିଛି। ଏ ସମ୍ପର୍କରେ ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରେ, ସେ ସର୍ଭେ ରିପୋର୍ଟ ଜିଲ୍ଲା ଖଣି ଅଧିକାରୀଙ୍କୁ ପଠାଯାଇଥିବା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତାଙ୍କର ଦାୟିତ୍ୱ ବୋଲି କହିଥିଲେ। ଅନ୍ୟପକ୍ଷରେ, ଜିଲ୍ଲା ଖଣି ଅଧିକାରୀ ସୁପ୍ରଭା ଶୁଭଦର୍ଶନୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ସେ ଅଳ୍ପଦିନ ହେଲା କାର୍ଯ୍ୟରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ପୂର୍ବରୁ ରିପୋର୍ଟ ଆସିଥିଲେ ମଧ୍ୟ ସେ ଏ ସମ୍ପର୍କରେ ଅବଗତ ନଥିଲେ। ଏବେ ଜାଣିବା ପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।


