ଠାକୁରାଣୀ ଯାତ୍ରା ପାଇଁ ତିଳେଶ୍ୱର ଗାଁ ଉତ୍ସବ ମୁଖର

ଦିଗପହଣ୍ଡି(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗାଁ ବାସନ୍ତିକ ଠାକୁରାଣୀ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି।ବୁଧବାର ଠାରୁ ଗ୍ରାମଦେବତୀ ଠାକୁରାଣୀ ଙ୍କ ଯାତ୍ରା ଶୁଭାରମ୍ଭ ହୋଇଛି। ରଙ୍ଗ ବେରଙ୍ଗ ଆଲୋକମାଳାରେ ସମଗ୍ର ଗାଁ ଝଲସି ଉଠିଛି।ଅସ୍ଥାୟୀ ଯାତ୍ରା ମଣ୍ଡପ କୁ ସାଜସଜ୍ଜା କରାଯାଇଛି।ଦୂରଦୂରାନ୍ତ ରେ ରହୁଥିବା ଲୋକେ ପରିବାର ସହ ଗାଁ ରେ ପହଞ୍ଚିଛନ୍ତି। ଗ୍ରାମଦେବତୀ ଠାକୁରାଣୀଙ୍କ ପୂଜା ଆରାଧନା ପରମ୍ପରା ଗ୍ରାମରେ କେଉଁ ଆବାହମାନ କାଳରୁ ରହି ଆସିଛି। ଗ୍ରାମଦେବତୀ ବୁଢ଼ୀ ଠାକୁରାଣୀଙ୍କୁ ଗ୍ରାମର ସୁରକ୍ଷା ଓ ଗ୍ରାମବାସୀ ଙ୍କ ମଙ୍ଗଳର ପ୍ରତୀକ ଭାବେ ବିଶ୍ୱାସ କରାଯାଏ।ପୁରାଣ ଶାସ୍ତ୍ରରେ  ବର୍ଣିତ ଅଛି ଯେ ସଦା ଗ୍ରାମ ପ୍ରିୟେ ଦେବୀ, ସର୍ବ ଲୋକ ହିତୈଷିଣୀ। ଗାଁ ର ଅତି ପ୍ରିୟ ଓ ଗାଁ ର ହିତ ସାଧନ କରୁଥିବା ଦେବୀଙ୍କ ମଧ୍ୟରେ ଗ୍ରାମଦେବତୀ ଠାକୁରାଣୀ  ପ୍ରଥମ ଆରାଧ୍ୟ୍ୟ ଦେବୀ । ପ୍ରାୟ ୫ ଶହ ବର୍ଷ ପୂର୍ବେ ତିଳେଶ୍ୱର ଗ୍ରାମ ସ୍ଥାପନ କରାଯାଇଥିଲା ବୋଲି ଗ୍ରାମର ପୁରୁଖା ବ୍ୟକ୍ତି ବୃନ୍ଦ ମତଦିଅନ୍ତି।  ଘୋଡାହାଡ଼ ନଦୀ କୂଳରେ ତିଳେଶ୍ୱର ଗ୍ରାମ ଅବସ୍ଥିତ। ସର ଅର୍ଥାତ ନଦୀ ତଳ ରେ ଗ୍ରାମଟି ଅବସ୍ଥିତ ହେତୁ ତଳସର ରୁ ଗାଁ ନାମ କାଳକ୍ରମେ  ତିଳେଶ୍ୱର ହୋଇଥିବା ଅନୁମାନ କରାଯାଏ। କେହି କେହି କୁହନ୍ତି ଏହି ଗ୍ରାମରେ ଅତୀତ ରେ ପ୍ରଚୁର ତୈଳବୀଜ ତିଳ ଚାଷ କରାଯାଉଥିବା ରୁ ଏହି ଗ୍ରାମର ନାମ ତିଳେଶ୍ୱର ହୋଇଛି। ତତ୍କାଳୀନ ସାନଖେମୁଣ୍ଡି ଜମିଦାରି ର ପାଇକ ସୈନ୍ୟ ଙ୍କ ଗାଁ ମଧ୍ୟ ଥିଲା ତିଳେଶ୍ୱର। କୌଣସି ସାମାଜିକ ସମସ୍ୟା ଉପୁଜିଲେ ଏକଦା ସମଗ୍ର ଅଞ୍ଚଳରେ ନ୍ୟାୟ ନିସାପ ର  ପ୍ରମୁଖ ପେଣ୍ଠ ସ୍ଥଳୀ ଥିଲା ତିଳେଶ୍ୱର ଗ୍ରାମ । ବିଶେଷ କରି ସ୍ବାଧୀନତା ଆନ୍ଦୋଳନ ଓ ସ୍ବାଧୀନତା ପରବର୍ତ୍ତୀ କୃଷକ ଆନ୍ଦୋଳନ ଗଣ ସଂଗ୍ରାମ ର ନେତୃତ୍ୱ ନେଇ ତିଳେଶ୍ୱର ଗ୍ରାମବାସୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।  କଳା ସାହିତ୍ୟ ସଂସ୍କୃତି ଉଚ୍ଚ ଶିକ୍ଷା ସହ ସାମାଜିକ ଓ ଅର୍ଥନୈତିକ ବିକାଶ ର ନେତୃତ୍ୱ ନେଇଥିବା ଏହି ଗ୍ରାମରେ କିଛି ବର୍ଷ ଧରି ଆମ ଗାଁ ତିଳେଶ୍ୱର ମହୋତ୍ସବ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗ୍ରାମଦେବତୀ ମା, ବୁଢ଼ୀ ଠାକୁରାଣୀ ଙ୍କ ବାସନ୍ତୀକ ଯାତ୍ରା ମହୋତ୍ସବ ବୁଧବାର ଠାରୁ ୩ ଦିନବ୍ୟାପୀ ଆରମ୍ଭ ହୋଇଛି। ଯାତ୍ରା ରେ ପ୍ରତି ଗାଁ ରେ ପୌରାଣିକ ରା଼ମାୟଣ କିମ୍ୱା ମହାଭାରତ ନାଟକ ପରିବେଷଣ କରାଯାଇ ପ୍ରାଚୀନ କଳା ସଂସ୍କୃତି ର ଅବକ୍ଷୟ ସ୍ୱରୂପ ଅଶ୍ଳୀଳତା ପ୍ରଦର୍ଶନ ହେଉଥିବା ବେଳେ ଏହି ଗାଁ ଯାତ୍ରା ମହୋତ୍ସବରେ  କଳା ସାହିତ୍ୟ ସଂସ୍କୃତି ପରମ୍ପରା ପ୍ରତିଭା ପୂଜା କୁ ଗୁରୁତ୍ୱ ଦିଆଯାଇଛି।ସାନଖେମୁଣ୍ଡି ରାଜା ସାହେବ ବୀରକିଶୋର ଦେବ ଯାତ୍ରା ପାଇଁ ଶୁଭସ୍ତମ୍ଭ  ସ୍ଥାପନ କରିଥିବା ବେଳେ ପୌରାଣିକ ପ୍ରହଲ୍ଲାଦ ନାଟ୍ୟଗୁରୁ ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କ ସମେତ ଅଞ୍ଚଳର ଲୋକ ପ୍ରତିନିଧି ଶିକ୍ଷାବିତ କଳାକାର ସାହିତ୍ୟିକ ସଂସ୍କୃତି ପ୍ରେମୀଙ୍କୁ ନେଇ ସମାବେଶ ଆଲୋଚନା ଚକ୍ର ସମ୍ବର୍ଦ୍ଧନା ଆଦି ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହେବା ସହ ପୌରାଣିକ ମହାଭାରତ ନାଟକ ସୀମିତ ଶବ୍ଦ ଓ ଅଶ୍ଳୀଳତା ବିହୀନ ଭାବେ ମଞ୍ଚସ୍ଥ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସମ୍ପ୍ରତି ଏହି ଗ୍ରାମ ଜିଲା ତଥା ରାଜ୍ୟର ଏକ ଆଦର୍ଶ ଗ୍ରାମ ଭାବେ ଆଉ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସୋନ୍ଦର୍ଯ୍ୟପୂର୍ଣ୍ଣ ଠାକୁରାଣୀ ପାର୍କ ନିର୍ମାଣ, ପକ୍କା ରାସ୍ତା  ବିଦ୍ୟାଳୟ, ମଠ ମନ୍ଦିର, ଆଦର୍ଶ ପୁଷ୍କରିଣୀ, ପାଠଗାର ଆଦି ଗ୍ରାମ୍ୟ ଭିତ୍ତିଭୂମି ବିକାଶ ହେବ ବୋଲି  ବିଡ଼ିଓ ଜିତେନ୍ଦ୍ରକୁମାର ମିଶ୍ର ପ୍ରକାଶ କରିବା ସହ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି।  ଯାତ୍ରା କମିଟି କର୍ମକର୍ତ୍ତା ମନୋହର ପଣ୍ଡା, ବିଶ୍ଵନାଥ ବରାଡ,  ଅଶୋକ ଜେନା, ବିନୋଦ ନାୟକ,ଗଜେନ୍ଦ୍ର ବିଷୋୟୀ, ସୁରେନ୍ଦ୍ର ପାତ୍ର, କୋରା ଭୂୟାଁଙ୍କ ସମେତ ଯାତ୍ରା ପରିଚାଳନା କମିଟି ର ସମସ୍ତ ସଭ୍ୟ ଓ ଗ୍ରାମବାସୀ ଐକ୍ୟବଦ୍ଧ ଭାବେ ଗ୍ରାମର ଏଭଳି ଅନନ୍ୟ ଯାତ୍ରା ମହୋତ୍ସବ ପରିଚାଳନା କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ