ଶ୍ରୀରାମ ନବମୀ ଉତ୍ସବ ପାଳିତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ଧାର୍ମିକ ପୁରାଣ ବର୍ଣ୍ଣନା ଅନୁସାରେ ଚୈତ୍ର ଶୁକ୍ଳ ପକ୍ଷର ନବମୀ ତିଥିରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା।ରାମ ନବମୀ ସହିତ ମା” ଦୁର୍ଗାଙ୍କ ଚୈତ୍ର ନବରାତ୍ରୀର ଆଜି ଶେଷ ଦିବସ।ଏହି ଅବସରରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦର ମହକୁମାରେ ଥିବା ଶ୍ରୀରାମ ମନ୍ଦିରରେ ଆଜି ବ୍ରାହ୍ମ ମୁହୂର୍ତ୍ତରୁ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା।ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ନିତିକାନ୍ତି ମନ୍ଦିର ପରିସରରେ ଅତି ଭବ୍ୟ ଓ ଦିବ୍ୟ ଭାବେ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ନେତୃତ୍ବ ଓ ପୂଜାରୀ ଶରତ ଚନ୍ଦ୍ର ଶତପଥିଙ୍କ ଏବଂ ଚିନ୍ଟୁ ଚୌଧୁରୀ ପ୍ରମୁଖ ପୂଜକ,ପୁରୋହିତ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।ସମ୍ପୂର୍ଣ୍ଣ ମାନବୀୟ ଲୀଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ଭଗବାନ ଶ୍ରୀରାମଙ୍କ ଜନ୍ମ ମହୋତ୍ସବ ପାଳନ ହେଉଥିବା ସମୟରେ ଅନେକ ଭକ୍ତ ଭାବାବେଗରେ ଅଭିଭୂତ ହୋଇ ଉଠିଥିଲେ।ଶ୍ରୀରାମ ଭଜନ କୀର୍ତ୍ତନ ରେ ମନ୍ଦିର ପରିସର ମୁଖରିତ ଥିବାବେଳେ ସଂଖ୍ୟାଧିକ ଭକ୍ତ ସମାଗମ ମନ୍ଦିର ପରିସରକୁ ଆବୋରି ନେଇଥିଲା।ଅନେକ ମାନସିକଧାରୀ ପୁରୁଷ ଓ ମହିଳା ଭକ୍ତଗଣ ଉପବାସ ରହିବା ସହ ମନ୍ଦିର ପରିସରରେ ଶ୍ରୀରାମ ଚରିତ ମାନସ ପାଠ କରୁଥିବା ଦେଖିବାକୁ ମିଳିଥିଲା।ଭକ୍ତି ଓ ଭାବର ଅପୂର୍ବ ମିଳନ ଏହି ଉତ୍ସବ ଭଗବାନ ଶ୍ରୀରାମଙ୍କ ଆଦର୍ଶ ଜୀବନର ଅମୂଲ୍ୟ ପ୍ରତୀକ ବୋଲି ଆଜି ଶ୍ରୀରାମ ମନ୍ଦିର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବୃନ୍ଦାବନ ସାହୁ ମନ୍ତବ୍ୟ ରଖିଥିଲେ।ଦିନସାରା ମନ୍ଦିର ପରିସରରେ ଭଗବାନ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ପୁରାଣପାଠ ଚାଲିଥିବା ବେଳେ ସନ୍ଧ୍ୟାରେ ଭଜନ ସନ୍ଧ୍ୟାର ବ୍ୟବସ୍ଥା କରାଯାଇଥିବା ଜଣାଯାଏ।ଆଜି ମନ୍ଦିର ପରିସରରେ ଭକ୍ତ ମାନଙ୍କ ନିମନ୍ତେ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିବା ଜଣାଯାଏ।


