ସିଏମସି ପକ୍ଷରୁ ଆୟୋଜିତ ସାହିତ୍ୟ ସରୋବରର ଅଷ୍ଟମ ସନ୍ଧ୍ୟା
କଟକ , (ଓ୍ବାଇଏନଏସ) : ମହାନଦୀ କୂଳରେ କଟକ ମହାନଗର ନିଗମ ପକ୍ଷରୁ ବାଲିଯାତ୍ରା ପଡିଆରେ ଚାଲିଛି ପ୍ରଥମ ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା। ସାହିତ୍ୟ ସରୋବରର ଆଜି ଥିଲା ଅଷ୍ଟମ ସନ୍ଧ୍ୟା। ଏହି ଅବସରରେ ଆୟୋଜିତ ସଭାରେ ମହାନଗର ନିଗମର ମାନ୍ୟବର ମେୟର ସୁବାସ ସିଂହ, ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ପ୍ରଫେସର ଡ ବାବାଜୀ ଚରଣ ପଟ୍ଟନାୟକ, ଗୀତି କବି ସମାଜର ସଭାପତି ତଥା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଲେଖକ ଗୌର ପଟ୍ଟନାୟକ ଅନ୍ୟତମ ଅତିଥିଭାବେ ସାମିଲ ହୋଇଥିଲେ। ସାହିତ୍ୟ ସବୁବେଳେ ଆମ ସମାଜକୁ ପ୍ରେରଣା ଦେଇଛି। କଟକ ସାହିତ୍ୟ ସରୋବର ଆଜି ଆମ ଯୁବ ପିଢୀଙ୍କୁ ପ୍ରେରଣା ଦେବା ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାରେ ସହାୟକ ହେବ ବୋଲି ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ମତବ୍ୟକ୍ତ କରିଥିଲେ। କଟକ ଆମର ସାଂସ୍କୃତିକ ରାଜଧାନୀ ହୋଇଥିବାରୁ ଜ୍ଞାନକୋଷ ଏହି ସହରର ବିଭିନ୍ନ ପ୍ରାନ୍ତରେ ରହିଛି। ସାହିତ୍ୟ, ସଂସ୍କୃତି, ସିନେମା, କ୍ରୀଡ଼ା,ନୌବାଣିଜ୍ୟ ଏପରିକି ଶିକ୍ଷା କ୍ଷେତ୍ରରେ କଟକ ଅନେକ ଉଦାହରଣ ସୃଷ୍ଟି କରିଥିବା ପ୍ରଫେସର ପଟ୍ଟନାୟକ ଉଲ୍ଲେଖ କରିଥିଲେ। ମହାନଗର ନିଗମ ପୁସ୍ତକମେଳା ଆୟୋଜନ କରିବା ସମାଜ ପ୍ରତି ଏକ ସୁବାର୍ତ୍ତା ବୋଲି ଅଭିହିତ କରିଥିଲେ ଗୌର ପଟ୍ଟନାୟକ। ଶେଷରେ ସିଏମସିର ଲୋକ ସମ୍ପର୍କ ଅଧିକାରୀ ଅବିନାଶ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜି ଅପରାହ୍ନ ଅଧିବେଶନରେ ଓଡ଼ିଶା ଗୀତି କବି ସମାଜ ପକ୍ଷରୁ ୩୦ ରୁ ଅଧିକ ଗୀତି କବି ‘ ଗୀତି କବିତା ଆସରରେ ସାମିଲ ହୋଇଥିଲେ। ଜିଲ୍ଲା ସ୍ତରୀୟ ପୁସ୍ତକମେଳା ଆସନ୍ତା ୨୯ ତାରିଖ ରବିବାର ପର୍ଯ୍ୟନ୍ତ ଚାଲିବ। ପୁସ୍ତକମେଳାରୁ ୯୯୯ ଟଙ୍କାରେ ବହି କିଣିଲେ ଗୋଟିଏ ଔଷଧୀୟ ବୃକ୍ଷ୍ୟ ଉପହାର ସ୍ୱରୂପ ସିଏମସି ପାଖରୁ ଷ୍ଟଲ ନମ୍ବର ୪୦ରେ ପ୍ରଦାନ କରାଯାଉଛି।


