ଆସିକାରେ ବାଟବଣା ସରକାରୀ କଟକଣା: ମାର୍ଗଦର୍ଶିକାକୁ ଉଲଙ୍ଘନ କରି ଖରାରେ କାମ କରୁଛନ୍ତି ଶ୍ରମିକ

ଆସିକା (ୱାଇଏନ୍‍ଏସ୍‍) : ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଡିଣ୍ଡିମ ପିଟାଯାଉଥିଲା ବେଳେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି । ସରକାରଙ୍କ ପକ୍ଷରୁ ଗତ ୧ ତାରିଖରୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାମରେ ଲଗାଇବା ଉପରେ କଟକଣା ଜାରି କରାଯାଇଛି । କାରଖାନା ହେଉ ବା ନିର୍ମାଣ କାର୍ଯ୍ୟ ହେଉ ଦିନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ ଯେପରି କାର୍ଯ୍ୟ କରିନପାରିବେ ସେଥିପ୍ରତି ଦୃଷ୍ଟି ଦେଇ କଡା ପଦକ୍ଷେପ ଗ୍ରହଣ କରିବାକୁ ମାର୍ଗଦର୍ଶିକାରେ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଚଣ୍ଡ ଖରାରେ ଠିକାଦାରମାନେ ଶ୍ରମିକ ମାନଙ୍କୁ କାମରେ ଲଗାଇଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିୟମ ରହିଛି । ତେବେ କେତେକ ବରିଷ୍ଠ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଅଧିକାଂଶ ଅଞ୍ଚଳରେ ପ୍ରଚଣ୍ଡ ଖରାରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ସରକାରୀ କଟକଣା ଆସିକାରେ ବାଟବଣା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ଠିକାଦାର ସରକାରଙ୍କ ସମସ୍ତ ନୀତିନିୟମକୁ ଉଲଙ୍ଘନ କରି ଶ୍ରମିକ ମାନଙ୍କୁ ପ୍ରଚଣ୍ଡ ଖରାରେ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଗତ କିଛିଦିନ ହେଲା ଆସିକା ଅଞ୍ଚଳର ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗ୍ରୀଷ୍ମର ପ୍ରକୋପରେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ଡହଳବିକଳ ହେଉଛନ୍ତି । ଦିନବେଳା ଘରୁ ବାହାରିବା କାଠିକର ପାଠ ହୋଇପଡିଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଟାଣ ଖରାରେ ଅନେକ ସ୍ଥାନରେ ଶ୍ରମିକ ମାନଙ୍କୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଉଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ଟାଇଁ ଟାଇଁ ଖରାରେ କାମ କରୁଥିବା ବେଳେ କୌଣସି ଶ୍ରମିକର ଯଦି ମୃତ୍ୟୁ ଘଟେ ସେଥିପାଇଁ ଦାୟୀ କିଏ ରହିବ ବୋଲି ସଚେତନ ନାଗରିକ ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆସିକା ଅଞ୍ଚଳରେ ସରକାରୀ ମାର୍ଗଦର୍ଶିକାକୁ ଉଲଙ୍ଘନ କରି ଦିନ ୧୧ଟାରୁ ଅପରାହ୍ନ ୩ ଟା ଯାଏଁ କେତେକ ଅଞ୍ଚଳରେ ଶ୍ରମିକ କାମ କରୁଥିବା ସଂକ୍ରାନ୍ତରେ ସହକାରୀ ଶ୍ରମ ଅଧିକାରୀ ବି.ହୃଷିକେଶ୍‍ ରାଓଙ୍କ ଦୃôଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟକାରୀ କରିଥିବା କଟକଣା ଯେପରି କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ