ଶିକ୍ଷକଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ତଦନ୍ତ କଲେ ଅଧିକାରୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧିନ ଆପ୍ତୀରା ୟୁଜିଏମଇ ସ୍କୁଲର ଜନୈକ ଶିକ୍ଷକଙ୍କ ବିରୁଦ୍ଧରେ ଗତ ଦେଢ ମାସ ତଳେ ଗ୍ରାମର କିଛି ଲୋକଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ଗୁରୁବାର ତଦନ୍ତ ହୋଇଛି । ବ୍ଳକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଟିଲୋ ସିଆରସିସି ଅଶୋକ କୁମାର ଦାସ ଏବଂ ତୋଫାବିବି କ୍ଲଷ୍ଟରର ସିଆରସିସି ନିରଞ୍ଜନ ଖିଲାର ମିଳିତ ଭାବେ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ଏସ.ଏମ.ସି ସଭ୍ୟସଭ୍ୟା ମାନଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ । ତଦନ୍ତକାରୀ ଅଧିକାରୀ ଦ୍ୱୟ ଜନୈକ ଶିକ୍ଷକଙ୍କ ବିଷୟରେ ପୃଥକ ଭାବେ ଏସ.ଏମ.ସି ସଭ୍ୟସଭ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ଠାରୁ ଲିଖିତ ଓ ମୌଖିକ ବୟାନ ରେକର୍ଡ କରିଥିଲେ । ତଦନ୍ତ ଖବର ପାଇ କିଛି ଗ୍ରାମବାସୀ ବିଦ୍ୟାଳୟ ନିକଟରେ ପହଞ୍ôଚ ଅଭିଯୋଗ ହୋଇଥିବା ସମ୍ପୃକ୍ତ ଶିକ୍ଷକଙ୍କ ସପକ୍ଷରେ ବିବୃତ୍ତି ପ୍ରଦାନ କରିଥିଲେ । ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଗୁଡିକର କୌଣସି ସତ୍ୟତା ନାହିଁ ଏବଂ ଏହା ଆକ୍ରୋଶ ମୂଳକ ବୋଲି ଅନେକ ଗ୍ରାମବାସୀ ଓ ଅଭିଭାବକ ମତ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି, ସମ୍ପୃକ୍ତ ଶିକ୍ଷକ ଜଣକ ନିୟମିତ ବିଦ୍ୟାଳୟ ନଆସିବା, ବିଭିନ୍ନ ଜାତୀୟ ଦିବସରେ ନଆସିବା, ମୋବାଇଲରେ ଗପିବା, ବିଦ୍ୟାଳୟରେ ରାଜନୀତି କରିବା, ପ୍ରଧାନ ଶିକ୍ଷକଙ୍କ କଥା ନମାନିବା ଆଦି ବିଭିନ୍ନ ଅଭିଯୋଗ ସମ୍ପର୍କରେ ଗ୍ରାମର କିଛି ବ୍ୟକ୍ତି ଗତ ଦେଢ ମାସ ତଳେ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ତଦନ୍ତକାରୀ ଟିମର ଅଧିକାରୀ ତଥା ସିଆରସିସି ନିରଞ୍ଜନ ଖିଲାର ଓ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ତଦନ୍ତ କରାଯାଇଥିବା ବେଳେ ରିପୋର୍ଟ ପ୍ରସ୍ତୁତ କରି ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବୁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ