ବିଶ୍ୱ ହୋମିଓପ୍ୟାଥିକ୍‍ ଦିବସ

ଆସିକା (ୱାଇଏନ୍‍ଏସ୍‍) : ଆଜି ପାଳିତ ହେବ ବିଶ୍ୱ ହୋମିଓପ୍ୟାଥିକ୍‍ ଦିବସ । ଜନସାଧାରଣଙ୍କୁ ଚିକିତ୍ସାସେବା ଯୋଗାଇଦେବା କ୍ଷେତ୍ରରେ ହୋମିଓପ୍ୟାଥିକ୍‍ର ଅବଦାନ ଓ ମହତ୍ୱ ଏବଂ ସୁରକ୍ଷିତ ଚିକିତ୍ସା ସଂପର୍କରେ ସଚେତନତା ସୃଷ୍ଟି ସାଙ୍ଗକୁ ହୋମିଓପ୍ୟାଥିକ୍‍ ଚିକିତ୍ସାର ଜନକ ଡାକ୍ତର ସାମୁଏଲ୍‍ ହାନେମାନ୍‍ଙ୍କ ଜନ୍ମଦିନକୁ ସ୍ମରଣ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୧୦ ତାରିଖରେ ବିଶ୍ୱ ହୋମିଓପ୍ୟାଥିକ୍‍ ଦିବସ ରୂପେ ପାଳନ କରାଯାଇଆସୁଛି । ସାମୁଏଲ୍‍ ହାନେମାନ୍‍ ଜର୍ମାନୀର ଜଣେ ବରିଷ୍ଠ ଡାକ୍ତର ଥିଲେ ଯିଏ ହୋମିଓପ୍ୟାଥିକ୍‍ ଚିକିତ୍ସା ପଦ୍ଧତିର ଆବିଷ୍କାର କରିଥିଲେ । ବିଶ୍ୱ ହୋମିଓପ୍ୟାଥିକ୍‍ ଦିବସ ଅବସରରେ ଆସିକା ସହରର ମହାତ୍ମାଗାନ୍ଧୀ ରୋଡର ହୋମିଓପ୍ୟାଥିକ୍‍ କ୍ଳିନିକ୍‍ର ପରିଚାଳନା ମୁଖ୍ୟ ତଥା ବରିଷ୍ଠ ହୋମିଓପ୍ୟାଥିକ୍‍ ଡାକ୍ତର ପ୍ରଫୁଲ କୁମାର ପଣ୍ଡା ଏକ ସାକ୍ଷାତକାରରେ ପ୍ରକାଶ କରିକହିଛନ୍ତି ଶରୀର ଅଛି ତ ରୋଗ ଅଛି, ରୋଗ ଅଛି ତ ନିରାକରଣ ଅଛି, ଶରୀରକୁ ସୁସ୍ଥ କରିବା ପାଇଁ ସାଧାରଣ ଜନତାଙ୍କୁ ବିଭିନ୍ନ ସମୟରେ ନାନା ପ୍ରକାର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ । ସେଥିମଧ୍ୟରୁ ହୋମିଓପ୍ୟାଥିକ୍‍ ଚିକିତ୍ସା ପଦ୍ଧତି ଅନ୍ୟତମ । ହୋମିଓପ୍ୟାଥିକ୍‍ ଚିକିତ୍ସା ପଦ୍ଧତିରେ ବିଭିନ୍ନ ରୋଗ ପାଇଁ ବହୁ ଉପଚାର ରହିଛି । ହୋମିଓପ୍ୟାଥିକ୍‍ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ନଥିବାରୁ ଏହା ଶରୀରକୁ କ୍ଷତି ପହଞ୍ଚାଇନଥାଏ ଏବଂ ବହୁ ଲକ୍ଷ୍ୟଣ ପାଇଁ ଗୋଟିଏ ଔଷଧ ସହ ପ୍ରତିରୋଧକର ବ୍ୟବସ୍ଥା ରହିଛି । ହୋମିଓପ୍ୟାଥିକ୍‍ ଚିକିତ୍ସା ସେବା ଦିନକୁ ଦିନ ଜନାଦୃତ ହେବାକୁ ଲାଗିଥିବା ବେଳେ ଏହାକୁ ଆହୁରି ଲୋକାଭିମୁଖୀ କରିବାର ଆବଶ୍ୟକତା ରହିଛି । ହୋମିଓପ୍ୟାଥିକ୍‍ ଚିକିତ୍ସା ପଦ୍ଧତି ମାଧ୍ୟମରେ ସହଜ ଓ ସରଳ ଉପାୟରେ ରୋଗୀର ପ୍ରତିରୋଧକ ଶକ୍ତିକୁ ବ୍ୟବହାର କରି ରୋଗର ସଂପୁର୍ଣ୍ଣ ବିନାଶ କରାଯାଇଥାଏ । ସାଧାରଣ କାଶ ଠାରୁ ଆରମ୍ଭ କରି ପୁରାତନ ତଥା କଷ୍ଟସାଧ୍ୟ ଓ ବିଭିନ୍ନ ଜଟିଳ ରୋଗ ମଧ୍ୟ ହୋମିଓପ୍ୟାଥିକ୍‍ ଚିକିତ୍ସାରେ ଫଳପ୍ରଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତ ସରକାର ମଧ୍ୟ ହୋମିଓପ୍ୟାଥିକ୍‍ ଚିକିତ୍ସାର ପ୍ରସାର ଏବଂ ପ୍ରଚାର ସାଙ୍ଗକୁ ଗବେଷଣା ଉପରେ ଗୁରୁତ୍ୱାରୋପ କରି ବହୁମୁଖୀ କଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । କେତେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ବାଦ୍‍ ଦେଲେ ପ୍ରାୟତଃ ବହୁ ରୋଗ ପାଇଁ ହୋମିଓପ୍ୟାଥିକ୍‍ର ଉପାଦେୟତା ରହିଛି । ରୋଗୀ ଠିକ୍‍ ଭାବରେ ହୋମିଓପ୍ୟାଥିକ୍‍ ଚିକିତ୍ସକଙ୍କ ପରାମର୍ଶ ନେଇ ନିୟମିତ ଔଷଧ ଖାଇଲେ ରୋଗ ମୁଳୋତ୍ପାଟନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାଂପ୍ରତିକ ପରିସ୍ଥିତିରେ ବିଭିନ୍ନ ରୋଗ ପାଇଁ ଯେଉଁଠିି ଅଧିକ ମାତ୍ରାରେ ଔଷଧ ଖାଇବାକୁ ପଡିଥାଏ ସେହି କ୍ଷେତ୍ରରେ ହୋମିଓପ୍ୟାଥିକ୍‍ ଔଷଧ ଅତି ସୁକ୍ଷ୍ମମାତ୍ରାରେ ଖାଇବା ଦ୍ୱାରା ରୋଗାକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଥାଏ । ରୋଗୀଙ୍କୁ ସରଳ ଏବଂ ଉତ୍ତମ ଚିକିତ୍ସା ପ୍ରଦାନ କରି ଶରୀରରୁ କଷ୍ଟ ଦୂର କରି ବିଭିନ୍ନ ରୋଗର ମୂଳୋତ୍ପାଟନ କରିବା କ୍ଷେତ୍ରରେ ହୋମିଓପ୍ୟାଥିକ୍‍ ଚିକିତ୍ସା ପଦ୍ଧତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ବେଳେ ଜନସାଧାରଣ ହୋମିଓପ୍ୟାଥିକ୍‍ ଔଷଧର ଉପାଦେୟତା ଉପରେ ସଚେତନତା ହେବା ନିତାନ୍ତ ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ