ନିଖୋଜ ବୃଦ୍ଧଙ୍କ ନଦୀରୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମର ହରି ସାହୁ ନାମକ ଜଣେ ବୃଦ୍ଧ ବୁଧବାର ଅପରାହ୍ନରେ ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇ ଯାଇଥିଲେ । ନିଖୋଜର ୪୦ ଘଣ୍ଟା ପରେ ଶୁକ୍ରବାର ସକାଳେ ହରିଙ୍କ ଗଳିତ ଶବ ନଦୀଗଣ୍ଡରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ହରି ବୁଧବାର ଅପରାହ୍ନ ୨ ଟାରେ ନଦୀଗଣ୍ଡକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ନଦୀର ଗଭୀର ପାଣିକୁ ଖସି ଯାଇଥିଲେ । ତେବେ ହରି ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଆଉ ଘରକୁ ଫେରି ନଥିବାରୁ ପରିବାର ଲୋକେ ବିଚଳିତ ହୋଇ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ । ଗୁରୁବାର ସକାଳେ ହରିଙ୍କ ଆଶାବାଡି ନଦୀ ନିକଟରେ ପଡ଼ିଥିବା ଦେଖି ନଦୀରେ ବୁଡି ଯାଇଥିବା ସନ୍ଦେହ କରି ଦିଗପହଣ୍ଡି ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇଥିଲା । ଅଗ୍ନିଶମ  କର୍ମଚାରୀ ବୃନ୍ଦ ସେଠାରେ ପହଞ୍ଚି ଦୀର୍ଘ ୩ ଘଣ୍ଟା ଧରି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ହୋଇ ଯିବାରୁ ତଲାସି ଅଭିଯାନ ବନ୍ଦ ରଖାଯାଇଥିଲା।  ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ଗ୍ରାମର କିଛି ଲୋକ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହରିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ  ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ମଧ୍ୟରୁ ବୃଦ୍ଧଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଏତଲା ହେବାପରେ  ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ଥାନା ଅପମୃତ୍ୟୁ ମାମଲା ୨୦/୨୬ ଅନୁଯାୟୀ  ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇଥିଲା । ଅପରାହ୍ନରେ ହରିଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ