ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିଲା ନାହିଁ ମାଗଣା ପୋଷାକ
ଆସିକା (ୱାଇଏନ୍ଏସ୍) :ଖରାଛୁଟି ପୂର୍ବରୁ ଅର୍ଥାତ୍ ଚଳିତ ଏପ୍ରିଲ ମାସ ୨୭ ତାରିଖ ସୁଦ୍ଧା ଶିଶୁବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନ ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଗତ କିଛି ଦିନ ତଳେ ଜାରି କରିଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିକା ଅଞ୍ଚଳରେ ବାଟବଣା ହୋଇଯାଇଥିବା ଯୋଗୁଁ ପ୍ରଶାସନର ପାରିବାପଣିଆ ପଦାରେ ପଡିଲା ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଖରାଛୁଟି ପୂର୍ବରୁୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନ ନେଇ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ୨୦୨୬-୨୭ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁନିଫର୍ମ, ହାଉସ୍ ଡ୍ରେସ୍, ଜୋତା, ମୋଜା ବଣ୍ଟନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରିଚୟ ପତ୍ର ଓ ଟୋପି ପ୍ରଦାନ ପାଇଁ ଆଲୋଚନା ବି ସରିଥିଲା । ଏପ୍ରିଲ ମାସ ୧୦ ତାରିଖ ସୁଦ୍ଧା ବିଦ୍ୟାଳୟ ଗୁଡିକର ତଥ୍ୟ ବିଇଓ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏପ୍ରିଲ ମାସ ୧୨ ତାରିଖ ସୁଦ୍ଧା ପୋଷାକ ପ୍ରସ୍ତୁତି ଦାୟିତ୍ୱରେ ଥିବା ସଂସ୍ଥାର ୱାର୍କଅର୍ଡରକୁ ସମୀକ୍ଷା କରାଯିବା ପରେ ୨୭ ତାରିଖ ସୁଦ୍ଧା ପୋଷାକ ବଣ୍ଟନ ଏବଂ ୩୦ ତାରିଖ ସୁଦ୍ଧା ପୋଷାକର ଗୁଣବତ୍ତା ଯାଞ୍ଚ ସାଙ୍ଗକୁ ମେ ୨ ତାରିଖ ସୁଦ୍ଧା ସବିଶେଷ ରିପୋର୍ଟ ଓସେପା କାର୍ଯ୍ୟାଳୟରେ ଦାଖଲ ପାଇଁ ନିର୍ଦ୍ଦେଶ ରହିଥିଲା । ସରକାରୀ ସ୍କୁଲ ପିଲାଙ୍କ ପାଇଁ ସରକାର ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି । ଖରାଛୁଟି ଆରମ୍ଭ ହୋଇସାରିଥିଲା ବେଳେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅଧୀନସ୍ଥ ପ୍ରାୟ ୧୬୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୬ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇଆସିଥିବା ଅଭିଯୋଗ ହେଉଛି । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ଏପରି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା ବେଳେ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ପ୍ରାୟ ୧୬ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଖରାଛୁଟି ପୂର୍ବରୁ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇଆସିଥିଲା ବେଳେ ପ୍ରଶାସନର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଧିକାଂଶ ବିଦ୍ୟାଳୟ ଗୁôଡିକର ଛାତ୍ରଛାତ୍ରୀମାନେ ଖରାଛୁଟି ପୂର୍ବରୁ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ବିଦ୍ୟାର୍ଥୀଙ୍କୁ ସରକାରଙ୍କ ମାଗଣା ପୋଷାକ ବଣ୍ଟନ ଦିଗରେ ପଦକ୍ଷେପ ନିଆଯାଉଛି । ଡ୍ରପ୍ଆଉଟ୍ ହାର କମାଇବା ଓ ବିଦ୍ୟାଳୟ ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବହୁ ଶିକ୍ଷା କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ତେବେ ଆସିକା ଅଞ୍ଚଳର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ପ୍ରାୟ ୧୬ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଖରାଛୁଟି ପୂର୍ବରୁ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଂଚିତ ହୋଇଆସୁଥିବା ଅଭିଯୋଗ ହେଉଛି । କେଉଁ କାରଣରୁ ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଂଚିତ ହେଲେ ତାହାର ଏକ ନିରପେକ୍ଷ ତଦନ୍ତ କରି ପୋଷାକ ବଣ୍ଟନ ପାଇଁ ଶିକ୍ଷା ବିଭାଗ ସହ ଚୁକ୍ତିନାମା କରିଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସମସ୍ତ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଯେପରି ସରକାରଙ୍କ ମାଗଣା ପୋଷାକ ଅତିଶୀଘ୍ର ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


