ଶିକ୍ଷକ ଶୂନ୍ୟ ସଂସ୍କୃତ ଶିକ୍ଷାନୁଷ୍ଠାନ : ନୂତନ ଶିକ୍ଷକ ନିଯୁକ୍ତି ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକସ୍ଥିତ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ ୫୭ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏବେ ସେହି ବିଦ୍ୟାଳୟର ଶିକ୍ଷକ ଶୂନ୍ୟ ହୋଇଯାଇଛି । ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ଝୁଲିବା ଆଶଙ୍କା ପ୍ରକାଶ ପାଇଛି । ପ୍ରକାଶ ଯେ, ଗତ ୧୯୬୯ ମସିହା ଜୁଲାଇ ୧ରେ ସ୍ଥାନୀୟ ଅଞ୍ଚଳରେ ସଂସ୍କୃତ ଶିକ୍ଷାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଅଞ୍ଚଳଳବାସୀଙ୍କ ଉଦ୍ୟମରେ ନିଳୋକ ଗ୍ରାମରେ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲା । ପ୍ରଥମେ ୬ଷ୍ଠ ଓ ୭ମ ଶ୍ରେଣୀକୁ ନେଇ ପ୍ରଥମା ଖୋଲିଥିଲା । ୧୯୭୨ ମସିହା ଜୁଲାଇ ୧ରେ ଏହି ଅନୁଷ୍ଠାନ ସରକାରୀ ସ୍ୱୀକୃତି ଓ ଅନୁଦାନ ପାଇଥିଲା । ପରେ ୧୯୮୫-୮୬ ମସିହାରେ ମଧ୍ୟମା ଶ୍ରେଣୀ ଖୋଲିଥିବା ବେଳେ ୧୯୮୯ ମସିହା ସେପ୍ଟେମ୍ବର ୧ରେ ଏହା ସରକାରୀ ସ୍ୱୀକୃତି ଓ ଅନୁଦାନ ପାଇଥିଲା । ଏହି ବିଦ୍ୟାଳୟରେ ବିଭିନ୍ନ ପ୍ରାନ୍ତରୁ ପିଲାମାନେ ଆସି ଶିକ୍ଷା ଗ୍ରହଣ କରି ବହୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି । ଏପରିପେକ୍ଷୀରେ ଗତ ୨୦୦୭ ମସିହାରେ ପ୍ରଥମା ଶ୍ରେଣୀର ଜଣେ ସହକାରୀ ଶିକ୍ଷକ ଓ ଗତ ୨୦୧୨ ଜୁନ୍ ୩୦ରେ ପ୍ରଧାନ ପଣ୍ଡିତ ଏହି ବିଦ୍ୟାଳୟରୁ ଅବସର ନେଇଥିଲେ । ପରେ ୨୦୧୯ ଜୁଲାଇ ୩୧ରେ ମଧ୍ୟମା ଶ୍ରେଣୀର ଜଣେ, ୨୦୨୩ ମାର୍ଚ୍ଚ ୩୧ରେ ମଧ୍ୟମାରେ ଜଣେ ଏବଂ ୨୦୨୩ ଅଗଷ୍ଟ ୩୧ରେ ପ୍ରଥମାରେ ଜଣେ ପଣ୍ଡିତ ଚାକିରୀରୁ ଅବସର ନେଇଥିଲେ । ଏହାରି ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଓ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଥିବା ବେଳେ ୨୦୨୬ ଜାନୁଆରୀ ୩୧ରେ ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଏବଂ ଏପ୍ରିଲ ୩୦ରେ ସହକାରୀ ଶିକ୍ଷୟିତ୍ରୀ ଚାକିରୀରୁ ଅବସର ନେଇଛନ୍ତି । ଫଳରେ ଶିକ୍ଷାଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଆସନ୍ତା ନଭେମ୍ବର ୩୦ରେ ଜଣେ ମାତ୍ର କାର୍ଯ୍ୟରତ ଶିକ୍ଷା କର୍ମଚାରୀ ଅବସର ନେବାକୁ ଥିବା ବେଳେ ଆଗକୁ ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ତାଲା ଝୁଲିବା ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମାନେ ଚିନ୍ତା ପ୍ରକଟ କରିବା ସହ ଏହି ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି କରି ଶିକ୍ଷାଦାନ ପ୍ରକିୟାକୁ ସ୍ୱାଭାବିକ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିବେ ବୋଲି ଜଣାଯାଇଛି ।


