ନାବାଳକଙ୍କୁ ଥାନାରେ ଅଟକ ରଖାଯିବା ଅଭିଯୋଗ: ଏସପିଙ୍କୁ ହାଜିର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (ଓ୍ବାଇଏନଏସ): ଜଣେ ନାବାଳକଙ୍କୁ ତଦନ୍ତ ପାଇଁ ଥାନାକୁ ଡାକି ଘଣ୍ଟା ଘଣ୍ଟା ଧରି ଅଟକ ରଖି ପଚରାଉଚରା କରାଯିବା ଅଭିଯୋଗକୁ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ପରବର୍ତ୍ତୀ ତାରିଖରେ ଭଦ୍ରକ ଏସପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନାବାଳକଙ୍କୁ ଅଟକ ରଖାଯାଇଥିବା ସଂପୃକ୍ତ ଥାନା ବା ଅନ୍ୟ କୌଣସି ଥାନାରେ ଶିଶୁ ଅନୁକୂଳ ସ୍ଥାନ(ଚାଇଲ୍ଡ ଫ୍ରେଣ୍ଡଲି କର୍ଣ୍ଣର) ରହିଛି କି ନାହିଁ ସେ ନେଇ ଏସପି ହାଜର ହୋଇ ସ୍ପଷ୍ଟୀକରଣ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ମେ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।ମାମଲାର ଶୁଣାଣି ବେଳେ ଏକ ଅପରାଧିକ ମାମଲାରେ ଜଣେ ନାବାଳକଙ୍କୁ ତଦନ୍ତ ପାଇଁ ଭଦ୍ରକର ଏକ ଥାନାକୁ ଡକାଯାଇ ଘଣ୍ଟା ଘଣ୍ଟା ଧରି ଅଟକ ରଖାଯିବା ସହିତ ପଚରାଉଚୁରା କରାଯାଇଥିବା ଦର୍ଶାଯାଇଥିଲା। ତଦନ୍ତକାରୀ ପୁଲିସ ଅଧିକାରୀ ନାବାଳକଙ୍କୁ ବହୁ ପ୍ରଶ୍ନ ପଚାରିଥିଲେ। ଅନ୍ୟପକ୍ଷରେ ସଂପୃକ୍ତ ଥାନାରେ ଶିଶୁ ଅନୁକୂଳ ବ୍ୟବସ୍ଥା ନଥିବା ଅଭିଯୋଗ କରାଯାଇଥିଲା। ଜଣେ ନାବାଳକଙ୍କୁ ଅନ୍ୟମାନଙ୍କ ଭଳି ବ୍ୟବହାର ପ୍ରଦର୍ଶନ କରାଯାଇ ପାରିବ ନାହିଁ। କି‌ଶୋର ନ୍ୟାୟ ଆଇନ ଅନୁସାରେ ନାବାଳକଙ୍କୁ ବ୍ୟବହାର ପ୍ରଦର୍ଶନ କରାଯିବା କଥା। କିନ୍ତୁ ଏହି ମାମଲାରେ ନାବାଳକଙ୍କୁ ଥାନାକୁ ତଦନ୍ତ ପାଇଁ ଡକାଯାଇଥିବା ବେଳେ ସେଠାରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ସଂପୃକ୍ତ ଥାନାରେ ଶିଶୁ ଅନୁକୂଳ ସ୍ଥାନ ବା ୟୁନିଟ ଭଳି ଭିତ୍ତିଭୂମି ନଥିବା ବେଳେ ନାବାଳକଙ୍କୁ ଥାନାକୁ ତଦନ୍ତ ପାଇଁ ଡକାଯିବା ଏକ ଗୁରୁତ୍ବର ପ୍ରସଂଗ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଭଦ୍ରକ ଏସପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶୁତୋଷ ରାଉତ ମାମଲା ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ